ବିରାଟ କୋହଲୀ ଭାରତୀୟ କ୍ରିକେଟ ଦଳର ଜଣେ ଦକ୍ଷ ଡାହାଣହାତି ବ୍ୟଟ୍ସମ୍ୟାନ । ସେ ମଧ୍ୟମ ଗତିର କାମଚଳା ବୋଲିଂ ମଧ୍ୟ କରନ୍ତି । ସେ ଭାରତୀୟ ଟେଷ୍ଟ ଦଳ, ଦିନିକିଆ ଦଳ ଓ ଟି୨୦ ଦଳର ଅଧିନାୟକ ଅଛନ୍ତି । ସେ ଆଇପିଏଲ ଦଳ ରୟାଲ ଚାଲେଞ୍ଜର ବାଙ୍ଗାଲୋରର ଅଧିନାୟକ ଅଛନ୍ତି । ଉନ୍ନତ ପ୍ରଦର୍ଶନଦ୍ୱାରା ଦିଲ୍ଲୀକୁ ପ୍ରତିନିଧିତ୍ୱ କରିସାରିବା ପରେ ତାଙ୍କୁ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ଅଧିନାୟକ ଦାଇତ୍ୱ ଦିଆଯାଇଥିଲା ଓ ସେ ଭାରତକୁ ୧୯-ବର୍ଷରୁ କମ ବିଶ୍ୱକପ ବିଜେତା କରାଇଥିଲେ । କିଛି ମାସ ପରେ ତାଙ୍କୁ ଶ୍ରୀଲଙ୍କା ସହ ପ୍ରଥମ ଦିନିକିଆ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା । ତାଙ୍କ ଉନ୍ନତ ପ୍ରଦର୍ଶନଦ୍ୱାରା ସେ ୨୦୧୧ ବିଶ୍ୱକପ ଦଳରେ ନିଜର ସ୍ଥାନ ବଜାୟ ରଖିପାରିଥିଲେ । କିଙ୍ଗଷ୍ଟନଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ୨୦୧୨ ଏବଂ ୨୦୧୭ରେ ସେ ଦିନିକିଆର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଆଇସିସିରୁ ଏବଂ ନିଜ ଉନ୍ନତ ପ୍ରଦର୍ଶନ ଯୋଗୁଁ ବିସିସିଆଇରୁ ଅର୍ଜୁନ ପୁରସ୍କାର ମଧ୍ୟ ପାଇସାରିଛନ୍ତି । ପ୍ରଥମ ଟେଷ୍ଟ ୨୦ ଜୁନ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ। ଶେଷ ଟେଷ୍ଟ ୨୪ ଜାନୁଆରି ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳଥିଲେ। ପ୍ରଥମ ଦିନିକିଆ ମ୍ୟାଚ ୧୮ ଅଗଷ୍ଟ ୨୦୦୮ ଶ୍ରୀଲଙ୍କା ବିପକ୍ଷରେ ଓ ଶେଷ ଦିନିକିଆ ୧୬ ଫେବୃଆରୀ ୨୦୧୮ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ତାଙ୍କର ଦିନିକିଆ ଜାମା ନମ୍ବର ହେଉଛି ୧୮। ପ୍ରଥମ ଟି୨୦ ୧୨ ଜୁନ ୨୦୧୦ରେ ଜିମ୍ବାୱେ ବିପକ୍ଷରେ ଖେଳିଥିଲେ। ଶେଷ ଟି୨୦ ୭ ନଭେମ୍ବର ୨୦୧୭ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଦର୍ଶନ କରିଥିଲେ।