୪ ବର୍ଷର ପ୍ରେମ ପରେ ବିବାହ ହେଲା, ହେଲେ ବିବାହର ୪ ଦିନ ପରେ ପତି ଓ ପତ୍ନୀ ଆତ୍ମହତ୍ୟା କଲେ
Newly-wed couple commits suicide | ବିଶାଳ ଓ ନିଶା ପରସ୍ପରକୁ ଗଲା ଚାରି ବର୍ଷ ହେଲା ଭଲପାଉଥିଲେ । ସେମାନଙ୍କ ବିବାହରେ ସାରା ପରିବାର ଓ ବନ୍ଧୁବାନ୍ଧବ ଖୁସିରେ ମସଗୁଲ ଥିଲେ । ହେଲେ ଏହି ଯୁବ ଦମ୍ପତିଙ୍କ ଆତ୍ମହତ୍ୟା ଯୋଗୁଁ ସେ ଖୁସି ମାତ୍ର ଚାରି ଦିନ ପରେ ଉଭେଇଯାଇଥିଲା ।

ବିବାହର ମାତ୍ର ଚାରି ଦିନ ପରେ ଉଭୟ ପତି ଓ ପତ୍ନୀ ଆତ୍ମହତ୍ୟା କରିବା ଘଟଣା ପ୍ରାୟତଃ ଶୁଣିବାକୁ ମିଳେନାହିଁ । ହେଲେ ଯୁବ ଦମ୍ପତି ବିଶାଳ ଓ ନିଶା ତାହା କଲେ ।

ଏହି ଦୁଃଖଦ ଘଟଣା ଘଟିଛି ଗାଜିଆବାଦର ଗୋବିନ୍ଦପୁରମରେ । ସେଠାକାର ଆର.କେ. ପୁରମରେ ରହୁଥିବା ବିଶାଳ ପ୍ରଜାପତି ଓ ତାଙ୍କ ପତ୍ନୀ ନିଶା ସନ୍ଦେହଜନକ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି। ବିଶାଳ ଗୋବିନ୍ଦପୁରମରେ ଏକ କୋଚିଂ ସେଣ୍ଟର ଚଳାଉଥିଲେ । ନିଶା ନୋଏଡାରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଏକ ଉଚ୍ଚ ପଦବୀରେ ଅବସ୍ଥାପିତ ଥିଲେ ।

ବିଶାଳ ପ୍ରଜାପତି ଓ ନିଶା ଦୁହେଁ ଭିନ୍ନ ଜାତିରୁ ହୋଇଥିବା ସତ୍ତ୍ୱେ ସେମାନେ ଉଭୟ ପରିବାରର ସହମତିରେ ଜୁନ୍ ୨୯ରେ ବିବାହ କରିଥିଲେ । ବିବାହ ପରେ ବିଶାଲଙ୍କ ଘରେ ଦୁଇ ତିନି ଦିନ ଧରି ଏକ ଉତ୍ସବର ପରିବେଶ ରହିଥିଲା । କିନ୍ତୁ ଜୁଲାଇ ୨ ତାରିଖ ଅପରାହ୍ଣରେ ବିଶାଲ କୋଚିଂ ସେଣ୍ଟରକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ସଦସ୍ୟମାନେ ଚିନ୍ତିତ ହୋଇପଡ଼ିଥିଲେ ।

ରାତି ସାରା ବିଶାଳଙ୍କୁ ଖୋଜାଖୋଜି କରାଯାଇଥିଲା, କିନ୍ତୁ କୌଣସି ଖବର ମିଳି ନ ଥିଲା । ଶେଷରେ ଜୁଲାଇ ୩ ତାରିଖରେ ବିଶାଳଙ୍କ ମୃତ ଦେହ ରେଳ ଟ୍ରାକରେ ପଡ଼ିଥିବାର ଦେଖିବାକୁ ମିଳିଥିଲା ।

ଏହି ଖବର ଜଣାପଡ଼ିବା ପରେ ନିଶାଙ୍କ ବାପା ମାଆ ତାଙ୍କୁ ଜୁଲାଇ ୩ ତାରିଖ ସନ୍ଧ୍ୟାରେ ତାଙ୍କ ଘରକୁ ନେଇ ଆସିଥିଲେ । କିନ୍ତୁ ଜୁଲାଇ ୪ ତାରିଖ ସକାଳେ ନିଶା ବି ନିଜ କୋଠରୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।

ଏହି ଘଟଣା ପରେ ଉଭୟ ପରିବାରରେ ଶୋକର ବାତାବରଣ ରହିଛି । ତେବେ ନୂଆ ଦମ୍ପତିଙ୍କ ଆତ୍ମହତ୍ୟା ହେବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏତେ ବଡ଼ ଘଟଣା ପଛରେ ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ କାରଣ ମିଳିନାହିଁ । ଉଭୟ ପରିବାରକୁ ଏକା ସାଙ୍ଗରେ ଓ ଅଲଗା ଅଲଗା ପଚରାଉଚରା କରାଯାଉଛି, କିନ୍ତୁ କେହି କିଛି କହିବାକୁ ଅସମର୍ଥ ହୋଇଛନ୍ତି । ପୋଲିସ ଉଭୟ ନିଶା ଓ ବିଶାଳଙ୍କ ମୋବାଇଲ୍ ଫୋନ୍ ଜବତ କରି ସେଥିରେ ଥିବା ଚାଟ୍ ଓ ଉଭୟଙ୍କ କଲ୍ ଡିଟେଲ୍ସ ଦେଖି ଅନୁସନ୍ଧାନ ଜାରି ରଖିଛି ।