ନା କୋଚିଂ ନା ଟେଷ୍ଟ୍ ସିରିଜ୍; କେବଳ ଇଣ୍ଟରନେଟ୍ ବ୍ୟବହାର କରି IAS ହେଲେ ଏହି ଯୁବତୀ
ଆଜିକାଲି ଯୁବକଯୁବତୀମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କୋଚିଂ ମାଧ୍ୟମରେ UPSC ଅର୍ଥାତ୍ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯୁବତୀ କେବଳ ଇଣ୍ଟରନେଟ୍ ମାଧ୍ୟମରେ ଅଧ୍ୟୟନ କରି ଏହି ସଫଳତା ହାସଲ କରିଛନ୍ତି ।

ଦେଶରେ ଏମିତି ଅନେକ ପ୍ରତିଭାବାନ୍ ଯୁବକଯୁବତୀ ଅଛନ୍ତି ଯେଉଁମାନେ କଠିନ କାର୍ଯ୍ୟକୁ ନିଜେ ସହଜ କରନ୍ତି ଓ ସଫଳତା ପାଆନ୍ତି । ଏମିତି ଜଣେ ଯୁବତୀ ହେଉଛନ୍ତି ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଅନୁକୃତି ଶର୍ମା । ସେ କେବେ କୌଣସି କୋଚିଂ ନେଇ ନାହାଁନ୍ତି ବା କୌଣସି ଟେଷ୍ଟ୍ ସିରିଜରେ ଭାଗ ନେଇ ନାହାଁନ୍ତି । କିନ୍ତୁ ସେ IAS ହୋଇ ନିଜର ସ୍ୱପ୍ନକୁ ପୂରଣ କରିଛନ୍ତି ।

ଆଜିକାଲି ଯୁବକଯୁବତୀମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କୋଚିଂ ମାଧ୍ୟମରେ UPSC ଅର୍ଥାତ୍ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନୁକୃତି ଶର୍ମା କେବଳ ଇଣ୍ଟରନେଟ୍ ମାଧ୍ୟମରେ ଅଧ୍ୟୟନ କରି ଏହି ସଫଳତା ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ଅତି ଗୁରୁତ୍ୱପୂର୍ଣ୍ଣ କାରଣ ଭାରତୀୟ ପ୍ରଶାସନିକ ସେବା (Indian Administrative Service, IAS) ହେଉଛି ଦେଶରେ ସରକାରୀ ଚାକିରି ମଧ୍ୟରେ ସବୁଠାରୁ ଲୋକପ୍ରିୟ ଚାକିରି । ଏଥିରେ ଅର୍ଥ, ଖ୍ୟାତି, ଆଧିପତ୍ୟ ସହ ସମାଜରେ ପରିବର୍ତ୍ତନ ଆଣିବାର ସୁଯୋଗ ଥାଏ ।

ନିକଟରେ ଏକ ସାକ୍ଷାତକାରରେ ଜୟପୁରର ବାସିନ୍ଦା ଅନୁକୃତି ଶର୍ମା ୟୁପିଏସସି ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଅନେକ ସହଜ ଓ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଛନ୍ତି । ତାଙ୍କ ସଫଳତାର କାହାଣୀ ସବୁ ଯୁବକଯୁବତୀଙ୍କୁ ନିଶ୍ଚୟ ପ୍ରେରଣା ଦେବ । ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୧୯ରେ ୧୩୩ତମ ରାଙ୍କ୍ ହାସଲ କରିଥିବା ଅନୁକୃତି ‘ଦିଲ୍ଲୀ ନଲେଜ୍ ଟ୍ରେକ୍’କୁ ଏକ ସାକ୍ଷାତକାରରେ IAS ହେବା ପର୍ଯ୍ୟନ୍ତ ନିଜ ଜୀବନର କାହାଣୀଟି କହିଥିଲେ ।

‘‘ଭଲ ପ୍ରସ୍ତୁତି ବିନା ପରୀକ୍ଷାରେ ଉତ୍ତମ ଉତ୍ତର ଦେବା ଅତି କଷ୍ଟକର । କିନ୍ତୁ ଯଦି ଆମେ ଉତ୍ତର ଲେଖିବା ପାଇଁ ଆମର ନିଜସ୍ୱ ପ୍ରସ୍ତୁତିକୁ ମଜବୁତ କରୁ, ତେବେ ସେହି କାର୍ଯ୍ୟ ସହଜ ହୋଇଯାଏ । ମୁଁ ନିଜେ ସେଥି ପାଇଁ ପ୍ରାକ୍ଟିସ୍ କରିଥିଲି,’’ ସେ କହିଛନ୍ତି ।

ଅନୁକୃତିଙ୍କ IAS ହେବାର କାହାଣୀ ଅତି କୌତୁହଳପୂର୍ଣ୍ଣ । ସେ ଏକ ସାଧାରଣ ପରିବାରର ଝିଅ । ଅନ୍ୟ ଝିଅମାନେ ବିବାହ ପରେ ନିଜ ଘର, ପରିବାର ଓ ସମ୍ପର୍କୀୟମାନଙ୍କ ଯତ୍ନ ନେବାରେ ବ୍ୟସ୍ତ ରହନ୍ତି । ଅନେକ ଝିଅ ତ ନିଜ କରିୟର ପାଇଁ ବିବାହ କରନ୍ତି ନାହିଁ ବା ବିବାହ ସମୟକୁ ଘୁଞ୍ଚାଇ ଚାଲିଥାନ୍ତି । ହେଲେ ଅନୁକୃତିଙ୍କ IAS ହେବାର ଯାତ୍ରା ତାଙ୍କ ବିବାହ ପରେ ହିଁ ଆରମ୍ଭ ହୋଇଥିଲା । ସେ ବିବାହ ପରେ ହିଁ ଆଇଏଏସ୍ ହେବାକୁ ନିଷ୍ପତ୍ତି ନେଇଥିଲେ । ଅଉ ସେ ନିଜ ସ୍ୱପ୍ନକୁ ପୂରଣ କରିବାରେ ସଫଳ ହୋଇଥିଲେ ।

‘‘ମୁଁ ସିଭିଲ ସର୍ଭିସେସ୍ ପରୀକ୍ଷାର ପ୍ରସ୍ତୁତି ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଇ କୋଚିଂ ଦେଉଥିବା ଇନଷ୍ଟିଚ୍ୟୁଟ୍ ଠାରୁ ଦୂରରେ ରହିଲି । ମୁଁ କୌଣସି ଅନଲାଇନ୍ କିମ୍ବା ଅଫଲାଇନ୍ ଟେଷ୍ଟ ସିରିଜରେ ବି ଭାଗ ନେଇ ନ ଥିଲି । ମୁଁ ସିଭିଲ ସର୍ଭିସ ପରୀକ୍ଷାର ପ୍ରସ୍ତୁତି ପାଇଁ କେବଳ ଇଣ୍ଟରନେଟକୁ ବ୍ୟବହାର କରିଥିଲି,’’ ସେ କହିଛନ୍ତି ।

ଏମିତି ନୁହେଁ ଯେ ଅନୁକୃତି ଇଣ୍ଟରନେଟ୍ ମାଧ୍ୟମରେ ପ୍ରସ୍ତୁତ ହୋଇ ନିଜ ପ୍ରଥମ ପ୍ରୟାସରେ ସଫଳ ପାଇଥିଲେ । ତାଙ୍କୁ ଚାରି ଥର ପରୀକ୍ଷା ଦେବାକୁ ପଡି଼ଥିଲା । ତା’ପରେ ଯାଇ ସେ IAS ହେବାରେ ସକ୍ଷମ ହୋଇଥିଲେ । ଭଲ ରାଙ୍କ୍ ନ ମିଳିବାରୁ ତାଙ୍କର ପ୍ରଥମ ତିନୋଟି ପ୍ରୟାସ ବିଫଳ ହୋଇଥିଲା । କିନ୍ତୁ ସେ ହାର ମାନି ନ ଥିଲେ ।

ଅନୁକୃତି ୨୦୧୭ର ପ୍ରଥମ ପ୍ରୟାସରେ ୩୫୫ତମ ରାଙ୍କ୍ ହାସଲ କରିଥିଲେ, କିନ୍ତୁ ସେଇଠି ଅଟକି ନ ଥିଲେ । ୨୦୧୮ରେ ପୁଣି ଥରେ ଆହୁରି ଭଲ ପ୍ରସ୍ତୁତି ପାଇଁ ସେ ଏକ ବିରତି ନେଇଥିଲେ । ଆଉ ୨୦୧୯ର ପ୍ରୟାସରେ ୧୩୮ତମ ରାଙ୍କ ହାସଲ କରିଥିଲେ ଓ IAS ହେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।

ବିଜ୍ଞାନ ପୃଷ୍ଠଭୂମିର ଛାତ୍ରୀ ଥିବା ଅନୁକୃତି ଜୟପୁରର ଇଣ୍ଡୋ ଭାରତ ଇଣ୍ଟରନ୍ୟାସନାଲ ସ୍କୁଲରେ ଅଧ୍ୟୟନ କରିଥିଲେ। ୨୦୧୨ରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ କୋଲକାତାରୁ ସେ BSMSରେ (ଭୂବିଜ୍ଞାନ) ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

ତା’ପରେ ସେ ପୋଷ୍ଟଗ୍ରାଜୁଏଟ୍ ହୋଇଥିଲେ ଓ ନେଟ୍ (NET) ପରୀକ୍ଷାରେ ବି ସଫଳ ହୋଇଥିଲେ । ପରେ ସେ ଅଧିକ ଅଧ୍ୟୟନ ପାଇଁ ଆମେରିକା ଯାଇଥିଲେ । ସେଠାରୁ ଫେରିବା ପରେ ସେ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ ।

ଅନୁକୃତିଙ୍କ ପିତା ସରକାରୀ ଚାକିରିରୁ ଅବସର ନେଇଛନ୍ତି ଓ ମା’ କଲେଜରୁ ଅବସର ନେଇଛନ୍ତି। ସିଭିଲ ସର୍ଭିସ ପରୀକ୍ଷା ଦେବାର ନିଷ୍ପତ୍ତି ନେବା ମାତ୍ରେ ଅନୁକ୍ତି ସିଲାବସ୍ ସଂଗ୍ରହ କରିଥିଲେ ଓ ସେହି ଅନୁଯାୟୀ ଇଣ୍ଟରନେଟରୁ ଅଧ୍ୟୟନ ସାମଗ୍ରୀ ବାହାର କରିଥିଲେ । ତା’ପରେ ସେ ଆରମ୍ଭ କରିଥିଲେ ପଏଣ୍ଟ-ଟୁ-ପଏଣ୍ଟ ପ୍ରସ୍ତୁତି ।

ଅନୁକୃତି କହିଛନ୍ତି, ‘‘ନିରନ୍ତର କଠିନ ପରିଶ୍ରମ ଓ ଇଣ୍ଟରନେଟ୍ ମାଧ୍ୟମରେ ଉନ୍ନତ ପ୍ରସ୍ତୁତି ସହିତ ଆପଣ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ପାଇପାରିବେ ।’’