ପତି ଓ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଅତି ପବିତ୍ର ବୋଲି ଆମେ ସମସ୍ତେ ଜାଣୁ । ହେଲେ କେତେକ ସେହି ସମ୍ପର୍କକୁ କଳଙ୍କିତ କରିବସନ୍ତି । ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ସାଧାରଣତଃ ପତ୍ନୀ ଉପବାସ କରନ୍ତି ଓ ବେଳେବେଳେ ତାଙ୍କ ପାଇଁ ସେ ନିଜ ଜୀବନ ବି ଦିଅନ୍ତି । ସ୍ୱାମୀ ବି ସ୍ତ୍ରୀଙ୍କ ପାଇଁ ଜୀବନ ଦେବାର ଉଦାହରଣ ରହିଛି । କିନ୍ତୁ ଏବେ ଏମିତି ଏକ ଘଟଣା ସାମନାକୁ ଆସିଛି ଯେଉଁଠି ପତ୍ନୀ ନିଜେ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ବିହାରର ମୁଜାଫରପୁରରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତା ମହିଳା ପ୍ରଥମେ ନିଜ ସ୍ୱାମୀଙ୍କୁ ଠକିଥିଲେ । ତା’ପରେ ତାଙ୍କୁ ହତ୍ୟା କରିଥିଲେ ଓ ମୃତ ଶରୀରକୁ କାଟି ଟୁକୁଡ଼ା ଟୁକୁଡ଼ା କରିଥିଲେ ।
ରାଧା ନାମକ ମହିଳାଙ୍କ ଦ୍ୱାରା ହୋଇଥିବା ଏହି ନିର୍ମମ ହତ୍ୟା ଖବରରେ ସାରା ବିହାରରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ମୁଜାଫରପୁର ଜିଲ୍ଲାର ସିକନ୍ଦରପୁର ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ରାଧା ନିଜ ପ୍ରେମିକ ଓ ନିଜ ଭଉଣୀ-ଭିଣୋଇଙ୍କ ସହ ମିଶି ସ୍ୱାମୀ ରାକେଶ ସାହନୀଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତ ରାଧା ତାଙ୍କ ସ୍ୱାମୀ ରାକେଶ ସାହନୀଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଆଠରୁ ୧୦ ଖଣ୍ଡ କରି କାଟି ଦେଇଥିଲେ । ତା’ ପରେ ସେହି ଟୁକୁଡ଼ାଗୁଡ଼ିକୁ ଏକ ଡ୍ରମରେ ଭର୍ତ୍ତି କରି ନିଜ ଘରେ ଲୁଚାଇ ରଖିଥିଲେ । ସେଗୁଡ଼ିକୁ ତରଳାଇ ନଷ୍ଟ କରିଦେବା ପାଇଁ ସେ ସେଥିରେ ଏସିଡ୍, ଲୁଣ ଓ ଅନ୍ୟ ରାସାୟନିକ ପଦାର୍ଥ ପକାଇଥିଲେ । ସେ ସହଜରେ ସବୁ ପ୍ରମାଣ ଲିଭାଇଦେବାକୁ ଚାହୁଁଥିଲେ ।
ମୃତ ରାକେଶ ସାହନୀଙ୍କ ଭାଇ ଦୀନେଶ ସାହନୀ ପୋଲିସକୁ କହିଛନ୍ତି ଯେ ତାଙ୍କ ଭାଇ ଦିଲ୍ଲୀରେ ରହୁଥିଲେ । ସେ ପ୍ରାୟ ଛଅ ଦିନ ପୂର୍ବରୁ ଘରକୁ ଆସିଥିଲେ। ସେ ଦିଲ୍ଲୀରେ ରହୁଥିବା ବେଳେ ରାଧା ଓ ସୁଭାଷ ନାମକ ଜଣେ ଯୁବକ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ସେମାନେ ମିଶି ରାକେଶ ସାହନୀଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ଭାଇ ଦିନେଶ କହିଛନ୍ତି । ଅଭିଯୁକ୍ତ ମହିଳା ରାଧା ଓ ତାଙ୍କ ପ୍ରେମିକ ସୁଭାଷଙ୍କ ସମେତ ଚାରି ଜଣଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି ।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ମୃତ ରାକେଶ ବିହାରରେ ମଦ ବିକ୍ରି ଉପରେ ନିଷେଧାଦେଶ ଲାଗିବା ପରେ ବି ବେଆଇନ ଭାବେ ମଦ ବିକ୍ରି କରୁଥିଲେ । ଏହି କାମରେ ସୁଭାଷ ତାଙ୍କୁ ସାହାଯ୍ୟ କରୁଥିଲା ଓ ବେଳେ ବେଳେ ତାଙ୍କ ଘରକୁ ଆସୁଥିଲା । ରାକେଶ ଦିଲ୍ଲୀ ଚାଲିଯିବା ପରେ ରାଧା ଓ ସୁଭାଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତା’ପରେ ଦୁହେଁ ରାକେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ସ୍ଥିର କରିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି ।