Vikas Dubey Encounter: ପୋଲିସ୍ ଗୁଳିରେ କେମିତି ଟଳିଲା ଗ୍ୟାଙ୍ଗଷ୍ଟର୍ ଦୁବେ? କ’ଣ ଥିଲା ଘଟଣା କ୍ରମ?
Vikas Dubey Encounter: ଉତ୍ତର ପ୍ରଦେଶରେ ଆଠ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେର ଖେଳ ଶେଷ ହୋଇଛି । ପୋଲିସ ଏନକାଉଣ୍ଟରରେ ତା’ର ମୃତ୍ୟୁ ହୋଇଛି । ଘଟଣା ସ୍ଥଳର ଫଟୋ ଉପରେ ନଜର ପକାନ୍ତୁ ।

ଉତ୍ତର ପ୍ରଦେଶରେ ଆଠ ଜଣ ପୋଲିସ କର୍ମୀଙ୍କ ନିର୍ମମ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ପୋଲିସ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF) ସହ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି । ବିକାଶ ଦୁବେ ଯେଉଁ ଗାଡ଼ିରେ ଯାଉଥିଲେ ତାହା ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଘଟଣା ବାରା ପୋଲିସ ଷ୍ଟେସନ ପରିସର ନିକଟରେ ହୋଇଥିଲା । ଦୁର୍ଘଟଣାରେ କାରଟି ଓଲଟି ଯାଇଥିଲା । ସୂତ୍ରଙ୍କ ଅନୁସାରେ ବିକାଶ ଦୁବେ ଦୁର୍ଘଟଣା ପରେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲା । ସେହି ସମୟରେ ଏନକାଉଣ୍ଟରରେ ତା’ର ମୃତ୍ୟୁ ଘଟିଥିଲା ।

ଏସ୍.ଏସ୍.ପି. ଦିନେଶ କୁମାର କହିଛନ୍ତି ଯେ ବିକାଶ ଦୁବେକୁ ନେଇ ଯାଉଥିବା ପୋଲିସର ଗାଡ଼ି ପଛରେ କେତେକ ଗାଡ଼ି ଆସୁଥିଲେ । ସେହି ଗାଡ଼ିଗୁଡ଼ିକ ପୋଲିସ୍ ଗାଡ଼ିକୁ ଲଗାତର ପିଛା କରୁଥିଲେ । ସେଇଥି ପାଇଁ ପୋଲିସ କାରକୁ ଶୀଘ୍ର ଚଳାଇବାକୁ ଚେଷ୍ଟା କରାଯାଇଥିଲା । ଏହି ସମୟରେ ପ୍ରବଳ ବର୍ଷା ହେଉଥିବାରୁ ପୋଲିସର ଗାଡ଼ିଟି ଓଲଟି ପଡିଥିଲା ।

ଏସ୍.ଏସ୍.ପି.ଙ୍କ କହିବା ଅନୁଯାୟୀ ପୋଲିସ ଗାଡ଼ିଟି ଓଲଟି ପଡିବାର ସୁଯୋଗ ନେଇ ବିକାଶ ଦୁବେ ଖସିଯିବାକୁ ଚେଷ୍ଟା କରୁଥିଲା । ‘‘ଆମ ସ୍ୱତନ୍ତ୍ର ଟାସ୍କ ଫୋର୍ସର (STF) ଯବାନମାନେ ଏହି ଗାଡ଼ିକୁ ଫଲୋ କରୁଥିଲେ । ବିକାଶ ଦୁବେ ଜଣେ ପୋଲିସ୍ କର୍ମୀଙ୍କ ବନ୍ଧୁକ ଛଡ଼ାଇ ଖସିଯିବା ପରେ ସେମାନେ କମ୍ବିଂ କଲେ । ଫାୟାରିଂ ହେଲା, ଆଉ ଆତ୍ମରକ୍ଷା ପାଇଁ ବିକାଶ ଦୁବେ ଉପରେ ଗୁଳି ଚାଲିଲା । ଏହା ଦ୍ୱାରା ବିକାଶ ଦୁବେର ମୃତ୍ୟ ହୋଇଗଲା ।’’ ଏସ୍.ଏସ୍.ପି. ଆହୁରି ମଧ୍ୟ କହିଛନ୍ତି ଯେ ଏନକାଉଣ୍ଟର ବୋଲି ସେମିତି କିଛି କଥା ନାହିଁ । ‘‘ଆମେ ନ୍ୟାୟିକ ପ୍ରକ୍ରିୟା ଅନୁସରଣ କରୁ । ବିକାଶର ସବୁ ସହଯୋଗୀ ଗୁଣ୍ଡାଙ୍କୁ ଗିରଫ କରାଯିବ,’’ ସେ କହିଛନ୍ତି ।

ଗୁରୁବାର ଦିନ ଜଣେ ବ୍ୟକ୍ତି ନିଜକୁ ୟୁପିର ବହୁଚର୍ଚ୍ଚିତ ଅପରାଧୀ ବିକାଶ ଦୁବେ ବୋଲି କହିବା ଆରମ୍ଭ କରିଥିଲା । କୁହାଯାଉଛି କି ଯେ ମହାକାଳ ମନ୍ଦିର ପରିସରରେ ପହଞ୍ଚି ଏହି ବ୍ୟକ୍ତି ବଡ଼ ପାଟି କରି ନିଜକୁ ବିକାଶ ଦୁବେ ବୋଲି କହୁଥିଲା ।

ପୋଲିସ ସୂତ୍ରଙ୍କ ଅନୁଯାୟୀ ନିଜ ସ୍ୱୀକାରୋକ୍ତିରେ ବିକାଶ ଦୁବେ କହିଥିଲା ଯେ କାନପୁରରେ ଘଟିଥିବା ଘଟଣା ପରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ମୃତ ଦେହକୁ ନିଜ ଘର ପାଖରେ ଥିବା ଗୋଟେ କୂଅ ପାଖପେ ଗୋଟିଏ ଉପରୋ ଆଉ ଗୋଟିଏ କରି ସେ ଗଦା କରିଥିଲା । ଏହା ଦ୍ୱାରା ସେଥିରେ ନିଆଁ ଲଗାଇ ସବୁ ପ୍ରମାଣ ନଷ୍ଟ କରିବା ପ୍ଲାନ୍ ଥିଲା । ନିଆଁ ଲଗାଇ ଜାଳିଦେବା ପାଇଁ ଘରେ ୫୦ ଲିଟର ଗ୍ୟାଲନ୍ ତେଲ ବି ପୂର୍ବରୁ ରଖାଯାଇଥିଲା । କିନ୍ତୁ ଶବଗୁଡ଼ିକୁ ଏକତ୍ର କରିବା ପରେ ତାକୁ ଆଉ ସେଥିରେ ନିଆଁ ଲଗାଇବାର ସୁଯୋଗ ମିଳି ନ ଥିଲା ଓ ସେ ଫେରାର ହୋଇଯାଇଥିଲା ।