ପୁରୁଷ ଭାବରେ ପାଳିତ ହୋଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଗର୍ଭବତୀ ହେଲେ; ତାଙ୍କର ଗର୍ଭାଶୟ ମିଳିଲା
ମିକିଙ୍କର ଆଭ୍ୟନ୍ତରୀଣ ଗର୍ଭଧାରଣ ଅଙ୍ଗ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସେ ଯୌନ ସମ୍ପର୍କ ସ୍ଥାପନ କରିବା ପରେ ଓ ପରିସ୍ରା କରିବା ପରେ ଏକ “ବିଚିତ୍ର ଅନୁଭବ” ହେଉଛି ବୋଲି ଅଭିଯୋଗ କରି ଡାକ୍ତରଙ୍କୁ ଦେଖାଇଥିଲେ । ସେ ଏବେ ୪ ମାସର ଗର୍ଭବତୀ ।

ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଯିଏ ପୁରୁଷ ଭାବରେ ଜନ୍ମ ହୋଇ ଲାଳିତ ପାଳିତ ହୋଇଥିଲେ ଓ ପୁରୁଷ ଭାବରେ ବଡ଼ ହୋଇଥିଲେ ସେ ଏବେ ମା’ ହେବାକୁ ଯାଉଛନ୍ତି । ଏହି ଘଟଣା ଆମେରିକାରେ ଘଟିଛି । ମିକି ଚାନେଲ ନାମକ ଏହି ବ୍ୟକ୍ତିଙ୍କ ଶରୀର ଭିତରେ ଡାକ୍ତର ଗର୍ଭାଶୟ ଓ ଫଲୋପିଆନ୍ ଟ୍ୟୁବ୍ ଆଦି ଚିହ୍ନଟ କରିବା ପରେ ସେ ଗର୍ଭବତୀ ହୋଇଛନ୍ତି ।

ଯେତେବେଳେ ମିକି ଚାନେଲ ଏକ ଭୃଣ ଥିଲେ, ତାଙ୍କ ମା’ଙ୍କ ଉପରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଥିଲା ଯେ ତାଙ୍କର ଗୋଟିଏ ଝିଅ ଜନ୍ମ ହେବ । କିନ୍ତୁ ମିକି ଜନ୍ମ ହେବା ପରେ ଡାକ୍ତରମାନେ ତାଙ୍କ ଦେହରେ ବାହ୍ୟ ପୁରୁଷ ଯୌନାଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ତାଙ୍କୁ ଏକ ବାଳକ ବୋଲି କହିଥିଲେ ।

ବର୍ତ୍ତମାନ ୧୮ ବର୍ଷୀୟା ମିକି ସର୍ବଦା ଅନୁଭବ କରିଆସୁଥିଲେ ଯେ ସେ ନିଜ ପୁରୁଷ ସାଥୀମାନଙ୍କ ଠାରୁ ଭିନ୍ନ । ନିଜ ପିଲାଦିନକୁ ମନେ ପକାଇ ମିକି କହିଛନ୍ତି ଯେ ସେ ନିଜ ମାଉସୀଙ୍କ ପର୍ସ ଓ ମା’ଙ୍କ ଲିପଷ୍ଟିକ୍ ସହିତ ଖେଳିବାକୁ ଭଲ ପାଉଥିଲେ । ମିକି କହିଛନ୍ତି ଯେ କିଛି ମୁଖ କେଶ ବ୍ୟତୀତ ତାଙ୍କର ପ୍ରକୃତରେ କୌଣସି ପୁରୁଷ ପରି ବୈଶିଷ୍ଟ୍ୟ ନ ଥିଲା । ବରଂ ତାଙ୍କ ଶରୀର ସବୁ ଦିଗରୁ ଏକ ନାରୀ ଶରୀର ଥିଲା ।

ମିକିଙ୍କର ଆଭ୍ୟନ୍ତରୀଣ ଗର୍ଭଧାରଣ ଅଙ୍ଗ ସାମ୍ନାକୁ ଆସିଲା ଯେତେବେଳେ ସେ ଯୌନ ସମ୍ପର୍କ ସ୍ଥାପନ କରିବା ପରେ କିମ୍ବା ପରିସ୍ରା କରିବା ପରେ ଏକ “ବିଚିତ୍ର ଅନୁଭବ” ହେଉଛି ବୋଲି ଅଭିଯୋଗ କରିଥିଲେ ଓ ଡାକ୍ତରଙ୍କୁ ଦେଖାଇଥିଲେ । ତା’ ପରେ ମିକିଙ୍କୁ ଏକ ବିରଳ ଅବସ୍ଥାର ଅଧିକାରୀ ବୋଲି ଚିହ୍ନଟ କରାଯାଇଥିଲା । ସେହି ଅବସ୍ଥାର ଡାକ୍ତରୀ ନାମ ପରସିଷ୍ଟେଣ୍ଟ୍ ମଲେରିଆନ୍ ଡକ୍ଟ ସିଣ୍ଡ୍ରୋମ (Persistent Mullerian duct syndrome - PMDS), ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ବାହ୍ୟ ଯୌନାଙ୍ଗ ପୁରୁଷର ହୋଇଥାଏ କିନ୍ତୁ ତାଙ୍କର ଆଭ୍ୟନ୍ତରୀଣ ମହିଳା ପ୍ରଜନନ ଅଙ୍ଗ ଥାଏ ।

ଟ୍ୟୁମର ଏବଂ କର୍କଟ ରୋଗରୁ ରକ୍ଷା ପାଇବା ପାଇଁ ଡାକ୍ତରମାନେ ମିକିଙ୍କୁ ହିଷ୍ଟେରେକ୍ଟମି (ଗର୍ଭାଶୟର ସର୍ଜିକାଲ୍ ଅପସାରଣ) କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ନିଜ ପୁରୁଷ ପ୍ରଜନନ ଅଙ୍ଗଗୁଡ଼ିକ ଅକାମୀ ହୋଇଯାଇଥିବା ହୃଦୟଙ୍ଗମ କରି ମିକି ଏକ ସନ୍ତାନ ପ୍ରସବ କରିବାକୁ ସ୍ଥିର କରିଥିଲେ । ‘‘ମୁଁ ସର୍ବଦା ଜାଣିଥିଲି ଯେ ମୁଁ ଜଣେ ମା’ ହେବାକୁ ଚାହୁଁଛି। ମୁଁ ଛୋଟ ବେଳୁ ଶିଶୁ କଣ୍ଢେଇ ସହିତ ଖେଳୁଥିଲି ଓ ଭବିଷ୍ୟତରେ ନିଜର ପିଲାହେବେ ବୋଲି ସବୁ ବେଳେ ଭାବୁଥିଲି । ତେଣୁ ମୁଁ ସ୍ଥିର କଲି ଯେ ଏବେ ନହେଲେ ଆଉ କେବେ ନୁହେଁ । ମୋତେ ଗର୍ଭବତୀ ହେବାକୁ ପଡ଼ିବ,’’ ସେ କହିଛନ୍ତି । ମିକିଙ୍କର ଯୋନି (vaginal opening) ନ ଥିବାରୁ ଜଣେ ଦାତାଙ୍କ ଶୁକ୍ରାଣୁ (donor sperm) ସିଧାସଳଖ ତାଙ୍କ ଅଣ୍ଡାରେ (eggs) ଇଞ୍ଜେକ୍ସନ ଦ୍ୱାରା ଦିଆଯାଇଥିଲା । ସେ ବର୍ତ୍ତମାନ ଚାରି ମାସର ଗର୍ଭବତୀ ।