ତୁର୍କୀର ଏହି ଧର୍ମ ଗୁରୁଙ୍କର ୧,୦୦୦ ଜଣ ଗର୍ଲଫ୍ରେଣ୍ଡ ଥିଲେ; ତାଙ୍କୁ ୧,୦୭୫ ବର୍ଷ ଜେଲ୍ ଦଣ୍ଡ ମିଳିଲା
ଅନେକ ଯୁବତୀଙ୍କୁ ଏହି ଧାର୍ମିକ ନେତା ବଳାତ୍କାର କରିଥିଲେ ଓ ସେମାନଙ୍କୁ ଗର୍ଭନିରୋଧକ ଔଷଧ ଖାଇବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତାଙ୍କ ଘରୁ ୬୯,୦୦୦ ଜନ୍ମ ନିୟନ୍ତ୍ରଣ ବଟିକା ମିଳିଥିଲା ।

ତୁର୍କୀରେ (Turkey) ମୁସଲମାନ ଧାର୍ମିକ ନେତା ଅଦନାନ୍ ଓକତରଙ୍କୁ (Adnan Oktar) ଯୌନ ଅପରାଧ (sex crimes) ପାଇଁ ୧,୦୭୫ ବର୍ଷର କାରାବାସରେ ଦଣ୍ଡିତ କରାଯାଇଛି । ଦଶଟି ଭିନ୍ନ ଭିନ୍ନ ଅପରାଧ ପାଇଁ ଅଦନାନଙ୍କୁ ଇସ୍ତାନବୁଲର ଏକ କୋର୍ଟ ଦଣ୍ଡିତ କରିଛି ।

୨୦୧୮ ମସିହାରେ ସାରା ତୁର୍କୀରେ ହୋଇଥିବା ଚଢ଼ାଉରେ ଅଦନାନ ଓକତରଙ୍କର ୧୦,୦୦୦ ଅନୁଗାମୀଙ୍କୁ ଗିରଫ କରାଯାଇଥିଲା । ସେ ମୌଳିକବାଦୀ ତତ୍ତ୍ୱ ବିଷୟରେ ଲୋକଙ୍କୁ ଶିକ୍ଷା ଦେଉଥିଲେ, ହେଲେ ଅନ୍ୟ ପଟେ ସେ ଯୁବତୀମାନଙ୍କୁ ବିଲେଇ (kitten) ବୋଲି କହୁଥିଲେ ।

ଅଦନାନ୍ ଓକତାର୍ ଏକ ଟିଭି ଶୋ’ରେ ସେହି ଯୁବତୀମାନଙ୍କ ସହ ନୃତ୍ୟ କରୁଥିଲେ ଯେଉଁମାନେ ପ୍ଲାଷ୍ଟିକ୍ ସର୍ଜରୀ କରାଇଥିଲେ । ଅଦନାନଙ୍କ ବିରୋଧରେ ଯୌନ ଅପରାଧ, ନାବାଳିକାଙ୍କ ଯୌନ ଶୋଷଣ, ଠକେଇ ଓ ରାଜନୈତିକ ଏବଂ ସାମରିକ ଗୁପ୍ତଚର ଅଭିଯୋଗ ରହିଥିଲା । ପ୍ରାୟ ୨୩୬ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୭୮ ଜଣଙ୍କୁ ଗିରଫ କରାଯାଇଥିଲା ।

ମୁସଲମାନ ଧାର୍ମିକ ନେତା ଅଦନାନ ଓକତାର (Adnan Oktar) ଗତ ବର୍ଷ ଡିସେମ୍ବର ମାସରେ ଏକ କୋର୍ଟରେ ଶୁଣାଣି ସମୟରେ ବିଚାରପତିଙ୍କୁ କହିଥିଲେ ଯେ ତାଙ୍କର ପ୍ରାୟ ୧,୦୦୦ ଜଣ ଗର୍ଲଫ୍ରେଣ୍ଡ ଅଛନ୍ତି।

‘‘ମୋ’ ହୃଦୟରେ ମହିଳାମାନଙ୍କ ପ୍ରତି ପ୍ରେମ ଭରି ହୋଇ ରହିଛି । ପ୍ରେମ ହେଉଛି ମଣିଷର ବିଶେଷତା । ଏହା ହେଉଛି ଜଣେ ମୁସଲମାନର ଗୁଣ,’’ ସେ କୋର୍ଟରେ କହିଥିଲେ ।

କୋର୍ଟରେ ଶୁଣାଣି ସମୟରେ ଜଣେ ମହିଳା କହିଥିଲେ ଯେ ଅଦନାନ୍ ଓକତର୍ ତାଙ୍କୁ ଓ ଅନ୍ୟ ଯୁବତୀମାନଙ୍କୁ ଅନେକ ଥର ଯୌନ ଶୋଷଣ କରିଥିଲେ ।

ଅନେକ ଯୁବତୀଙ୍କୁ ଅଦନାନ ଓକତର୍ ବଳାତ୍କାର କରିଥିଲେ ଓ ସେମାନଙ୍କୁ ଗର୍ଭନିରୋଧକ ଔଷଧ ଖାଇବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଅଦନାନ ଓକତରଙ୍କ ଘରୁ ୬୯ ହଜାର ଜନ୍ମ ନିୟନ୍ତ୍ରଣ ବଟିକା ମିଳିଥିଲା । ସେ ପ୍ରଥମେ ୧୯୯୦ ଦଶକରେ ବିଶ୍ୱ ସାମନାକୁ ଆସିଥିଲେ ।