ତାମିଲ୍ ଅଭିନେତ୍ରୀ ଚିତ୍ରା ଆତ୍ମହତ୍ୟା କଲେ; ଚେନ୍ନାଇରେ ହୋଟେଲ ରୁମରେ ମିଳିଲା ମୃତ ଦେହ
୨୯ ବର୍ଷୀୟା ଲୋକପ୍ରିୟ ଅଭିନେତ୍ରୀ ଚିତ୍ରା ସୁଟିଂ ସାରି ହୋଟେଲ ରୁମକୁ ରାତି ଗୋଟାଏ ବେଳେ ଫେରିଥିଲେ । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କେତେକ ସୁନ୍ଦର ଫଟୋ ସେୟାର୍ କରିଥିଲେ ।

ଲୋକପ୍ରିୟ ତାମିଲ ଟିଭି ତାରକା ଓ ଭିଜେ (VJ) ଚିତ୍ରା (Tamil actress Chitra) ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ ଦେହ ଚେନ୍ନାଇର ଏକ ହୋଟେଲରେ ଥିବା ଏକ କୋଠରୀରେ ମିଳିଛି । ସେ ମାତ୍ର ୨୯ ବର୍ଷ ବୟସର ଥିଲେ ।

ବୁଧବାର (ଡିସେମ୍ବର ୯) ଭୋର୍ ପ୍ରାୟ ଅଢ଼େଇଟା ବା ୨ଟା ୪୫ରେ ହୋଟେଲ ମ୍ୟାନେଜର ପୋଲିସ ହେଲ୍ପଲାଇନ ନମ୍ବର ୧୦୦କୁ କଲ୍ କରି ଚିତ୍ରାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ (Chitra suicide) ।

ସେହି ସୂଚନା ପାଇ ପୋଲିସ ତୁରନ୍ତ ହୋଟେଲରେ ପହଞ୍ଚିଥିଲା । ହୋଟେଲ୍ ରୁମରୁ ମୃତ ଦେହ ଉଦ୍ଧାର କରିବା ପରେ କିଲପୌକ୍ ସରକାରୀ ଡାକ୍ତରଖାନାକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଥିଲା ।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଚିତ୍ରା ସୁଟିଂ ସାରି ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ହୋଟେଲରେ ତାଙ୍କ କୋଠରୀରେ ଆସି ପହଞ୍ଚିଥିଲେ ।

ନିଜ ସୌନ୍ଦର୍ଯ୍ୟ ଓ ଅଭିନୟ ପ୍ରତିଭା ପାଇଁ ସୁଖ୍ୟାତ ଚିତ୍ରା କିଛି ମାସ ପୂର୍ବରୁ ବ୍ୟବସାୟୀ ହେମନ୍ତଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ଚିତ୍ରା ତାଙ୍କ ସହ ଶେଷ କଥା ହୋଇଥିବା ଜଣାପଡ଼ିଛି ।

ଚିତ୍ରାଙ୍କ ଦୁଃଖଦ ମୃତ୍ୟୁ (Chitra suicide) ଯୋଗୁଁ ତାମିଲ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପ୍ରଶଂସକ ଓ ସେଲିବ୍ରିଟିମାନେ ଟ୍ୱିଟରରେ ଶୋକ ବାର୍ତ୍ତା ପଠାଉଛନ୍ତି (Tamil actress death)।

ଜଣେ ଭିଜେ (VJ) ଭାବେ ପ୍ରସିଦ୍ଧି ଲାଭ କରିଥିବା ଚିତ୍ରା ତାମିଲ ଇଣ୍ଡଷ୍ଟ୍ରିର ବିଭିନ୍ନ ଟିଭି ଚ୍ୟାନେଲରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।

ଚିତ୍ରା ସୋସିଆଲ ମିଡ଼ିଆରେ ବି ସକ୍ରିୟ ଥିଲେ । ସେ ନିଜର ସୁନ୍ଦର ଫଟୋ ଓ ପୋଷ୍ଟ ସହିତ ପ୍ରଶଂସକମାନଙ୍କର ଲଗାତର ମନୋରଞ୍ଜନ କରୁଥିଲେ ।