ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଭାବପ୍ରବଣ ପୋଷ୍ଟ୍ କଲେ: ‘‘ଆମେ ତତେ ସବୁ ଦିନ ପାଇଁ ଭଲ ପାଇବୁ’’
ନିଜ ହାତରେ ନିଜ ଜୀବନ ନେଇଥିବା ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ନିଜ ଗେହ୍ଲା ସାନ ଭାଇକୁ ବିଦାୟ ଦେବା ପାଇଁ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି । ତାକୁ ପଢ଼ି ଅନେକ ପ୍ରଶଂସକଙ୍କ ଆଖିରେ ଲୁହ ଆସିଛି ।

ଫିଲ୍ମ ଇଣ୍ଡଷ୍ଟ୍ରିର ଉଜ୍ଜ୍ୱଳ ତାରକା ସୁଶାନ୍ତ ସିଂ ରାଜପୁତ ନିଜ ଜୀବନ ଉପରେ ଅତ୍ୟଧିକ ବିରକ୍ତ ହୋଇଯାଇଥିଲେ । ଶେଷରେ ସେ ଏହି ବିଚିତ୍ର ଦୁନିଆକୁ ବିଦାୟ ଜଣାଇଥିଲେ (Sushant Singh Rajput suicide) । ପଛରେ ଛାଡ଼ିଗଲେ ଶହ ଶହ ପ୍ରଶ୍ନ । ସେ ନିଜ ପରିବାରର ଏକ ମାତ୍ର ପୁଅ ଥିଲେ । ଚାରି ଭଉଣୀଙ୍କର ଗୋଟିଏ ମାତ୍ର ଭାଇ ଥିଲେ । ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପସନ୍ଦର ହିରୋ ସେମାନଙ୍କୁ ଦୁଃଖରେ ଛାଡ଼ିଗଲେ । ତାଙ୍କ ଭଉଣୀ (Sushant Singh Rajput sister) ଶ୍ୱେତା ସିଂ କିର୍ତ୍ତୀ ନିଜ ଫେସବୁକରେ ସୁଶାନ୍ତଙ୍କ ପ୍ରାର୍ଥନା ସଭାର ଏକ ଫଟୋ ସେୟାର କରିଛନ୍ତି ଓ ନିଜ ଭାଇଙ୍କ ପାଇଁ ଏକ ଭାବପ୍ରବଣ ବିଦାୟ ବାର୍ତ୍ତା ମଧ୍ୟ ଲେଖିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପରେ ପୂରା ପରିବାର ଦୁଃଖରେ ଅଛନ୍ତି । ତାଙ୍କ ବଡ଼ ଭଉଣୀ ଶ୍ୱେତା ସୋସିଆଲ ମିଡିଆରେ ଭାଇଙ୍କ ପାଇଁ ଲେଖିଥିବା ଅନ୍ତିମ ବାର୍ତ୍ତାରେ ତାଙ୍କ ମାନସିକ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ଭଉଣୀଙ୍କ ଏହି ବାର୍ତ୍ତା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ଫେସବୁକରେ ଲେଖିଛନ୍ତି, ‘‘ମୋ’ ସାନ ଭାଇକୁ ଭଲପାଇବା ଓ ସକରାତ୍ମକତାରେ ପରିପୂର୍ଣ୍ଣ ଏକ ଶେଷ ବିଦାୟ ଜଣାଉଛି । ଆଶା କରେ ସେ ଯେଉଁଠି ଥିବ ସର୍ବଦା ଖୁସିରେ ରହିବ । ଆମେ ତତେ ସବୁ ଦିନ ପାଇଁ ଭଲ ପାଇବୁ ।’’

ଏହି ନୋଟ୍ ଲେଖିବା ପୂର୍ବରୁ ବି ଶ୍ୱେତା ତାଙ୍କ ଭାଇଙ୍କ ପାଇଁ ଆଉ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ । ହେଲେ ସେ ନିଜ ଆକାଉଣ୍ଟରୁ ଏହି ପୋଷ୍ଟକୁ ଡିଲିଟ କରିଦେଇଥିଲେ । ଶ୍ୱେତା ସିଂ କିର୍ତ୍ତୀଙ୍କ ପୋଷ୍ଟ ଉପରେ ଅନେକ ବନ୍ଧୁ ଓ ସାଧାରଣ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସମସ୍ତେ ସୁଶାନ୍ତଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ । ବିହାରର ରାଜଧାନୀ ପାଟନାର ମୂଳ ବାସିନ୍ଦା ସୁଶାନ୍ତ ମାତ୍ର ୩୪ ବର୍ଷ ବୟସରେ ସେ ଫାଶୀ ଲଗାଇ ନିଜ ଜୀବନ ଲୀଳା ଶେଷ କରିଥିଲେ । ପୋଲିସ ଏ ପର୍ଯ୍ୟନ୍ତ ଏହି ମାମଲାରେ ତାଙ୍କ ପୂର୍ବ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୨୭ ଜଣ ଲୋକଙ୍କ ସହ ପଚରାଉଚରା କରିଛି । ଏବେ ସୁଶାନ୍ତଙ୍କ ପ୍ରଶଂସକ ଓ କିଛି ବଲିଉଡ ତାରକା ଏହି ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି ।