ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ
ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ତଥା ଅଭିନେତ୍ରୀ ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପା ଏକ କେସ୍ ରୁଜୁ କରି କହିଛନ୍ତି ଯେ ରିୟାଙ୍କ ପରିବାର ବର୍ଷକ ଭିତରେ ସୁଶାନ୍ତଙ୍କ ଠାରୁ ସାଢ଼େ ୧୪ କୋଟି ଟଙ୍କା ନେଇଥିଲେ ଓ ରିୟା ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ ।

ବିହାର ରାଜଧାନୀ ପାଟନାରେ ରହୁଥିବା ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ (Rhea Chakraborty) ବିରୋଧରେ ପାଟନାର ରାଜୀବ ନଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି । କେସ୍ ନମ୍ବର ୨୪୧/୨୦ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଏହି FIRରେ ରିୟା ସୁଶାନ୍ତଙ୍କୁ (Sushant Singh Rajput) ନିଜ ପ୍ରେମରେ ଫସାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିବା ଓ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି ।

ପାଟନାରୁ ଚାରି ଜଣ ପୋଲିସ କର୍ମୀଙ୍କ ଏକ ଟିମ୍ ମୁମ୍ବାଇରେ ପହଞ୍ଚି ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଛି । ଆଇପିସିର ଧାରା ୩୪୦, ୩୪୧, ୩୪୨, ୩୮୦, ୪୦୬, ୪୨୦ ଓ ୩୦୬ ଅନୁଯାୟୀ ଦାଖଲ ହୋଇଥିବା ଏହି FIRରେ ଆର୍.ଆଇ. ଚକ୍ରବର୍ତ୍ତୀ, ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସନ୍ଧ୍ୟା ଚକ୍ରବର୍ତ୍ତୀ, ଶୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା ଓ ଶ୍ରୁତି ମୋଦିଙ୍କ ନାମ ଦିଆଯାଇଛି । ଏହି ମାମଲାର କେନ୍ଦ୍ରରେ କହିଛି ଆର୍ଥିକ ଧୋକା ।

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା (Sushant Singh Rajput suicide) ମାମଲାରେ ମୁମ୍ବାଇ ପୋଲିସ ନିକଟରେ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୧୧ ଘଣ୍ଟା ଧରି ପଚରାଉଚରା କରିଥିଲା । କିଛି ଦିନ ପୂର୍ବରୁ ରିୟା ଚକ୍ରବର୍ତ୍ତୀ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏହି ମାମଲାର ସିବିଆଇ ତଦନ୍ତ କରାଇବାକୁ ଅନୁରୋଧ କରିଥିଲେ ।

ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତ ମୁମ୍ବାଇର ବାନ୍ଦ୍ରାରେ ଥିବା ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ପୋଲିସ ତାଙ୍କ ଠାରୁ କୌଣସି ଆତ୍ମହତ୍ୟା ନୋଟ ପାଇ ନ ଥିଲା । ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନ ଥିଲା । ଫାଶୀ ହେତୁ ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା କୁହାଯାଇଥିଲା । ଏହା ପରେ ତାଙ୍କର ପ୍ରାଥମିକ ଭିସେରା ରିପୋର୍ଟ ଆସିଥିଲା । ଏଥିରେ କୁହାଯାଇଥିଲା ଯେ ତାଙ୍କ ଶରୀରରେ କୌଣସି ରାସାୟନିକ କିମ୍ବା ବିଷାକ୍ତ ପଦାର୍ଥ ନ ଥଲା ।

ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ଭିସେରା ରିପୋର୍ଟ ଆସିଛି । ଏହି ରିପୋର୍ଟ ଆଧାରରେ ପୋଲିସ ତାଙ୍କ ମୃତ୍ୟୁ ପଛକେ କୌଣସି ଗଡ଼ବଡ଼ ନାହିଁ ବୋଲି କହିଛି । ଏହି ରିପୋର୍ଟରେ ବି ସୁଶାନ୍ତଙ୍କ ଶରୀରରେ କୌଣସି ବିଷାକ୍ତ ପଦାର୍ଥ ବା ରାସାୟନିକ ପଦାର୍ଥ ମିଳି ନ ଥିବା ପୋଲିସ କହିଛି ।

ଏବେ ପୋଲିସ ସୁଶାନ୍ତଙ୍କ ପେଟ ଓ ନଖର ଫୋରେନସିକ୍ ରିପୋର୍ଟକୁ ଅପେକ୍ଷା କରିଛି । ସେହି ରିପୋର୍ଟ ଜଲଦି ଆସିବ ବୋଲି ଆଶା କରାଯାଉଛି ।