ଗତ ଆର୍ଥିକ ବର୍ଷରେ ଠକେଇର ସବୁ ଠାରୁ ବଡ଼ ଶିକାର ହେଉଛି ପବ୍ଲିକ ସେକ୍ଟରର ସବୁ ଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)। ଏହି ଅବଧିରେ ଏସବିଆଇ ଦ୍ୱାରା ୪୪,୬୧୨.୯୩ କୋଟି ଟଙ୍କାର ଠକେଇ ସହ ଜଡ଼ିତ ୬,୯୬୪ଟି ମାମଲା ସାମନାକୁ ଆସିଥିଲା । ଏହି ରାଶି ଗତ ଆର୍ଥିକ ବର୍ଷରେ ୧୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ହୋଇଥିବା ଠକେଇ ପରିମାଣର ପ୍ରାୟ ୩୦ ପ୍ରତିଶତ । ସେଥି ପାଇଁ ନିଜ ଗ୍ରାହକମାନଙ୍କୁ ଉନ୍ନତ ସେବା ଦେବା ପାଇଁ SBI କ୍ରମାଗତ ଭାବରେ ପଦକ୍ଷେପ ନେଉଛି ।
ଆଜିକାଲି ଏସବିଆଇ ନିଜ ଗ୍ରାହକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅଧିକ ପରାମର୍ଶ ଦେଉଛି । ଗ୍ରାହକଙ୍କୁ କୁହାଯାଉଛି ଯେ ସେମାନେ କୌଣସି ଅଜ୍ଞାତ ବ୍ୟକ୍ତିଙ୍କୁ ଫୋନରେ ବା ଇମେଲରେ ନିଜ ଆକାଉଣ୍ଟ ଓ OTP ସମ୍ବନ୍ଧୀୟ କୌଣସି ସୂଚନା ଦିଅନ୍ତୁ ନାହିଁ । ବ୍ୟାଙ୍କମାନେ ଗ୍ରାହକମାନଙ୍କୁ ଯେତିକି ସଚେତନ ଓ ନିରାପଦ ହେବାକୁ କହୁଛନ୍ତି ସେମାନେ ନିଜେ ବି ଟେକ୍ନୋଲୋଜି ମାଧ୍ୟମରେ ଅଧିକ ସୁରକ୍ଷିତ ହେଉଛନ୍ତି । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କୁ OTP ଆଧାରିତ ଏଟିଏମ୍ ନଗଦ ଟଙ୍କା ଉଠାଇବା ସୁବିଧା (SBI OTP-based ATM cash withdrawal) ଦେଉଛି ।
ଏସବିଆଇର ଓଟିପି ଭିତ୍ତିକ ନଗଦ ପ୍ରତ୍ୟାହାର ସୁବିଧା ଅନୁଯାୟୀ ସନ୍ଧ୍ୟା ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା କିମ୍ବା ତହିଁରୁ ଅଧିକ ଟଙ୍କା ନଗଦ ଉଠାଇବାକୁ କେହି ଗ୍ରାହକ ଯଦି ଏଟିଏମକୁ ଯାଆନ୍ତି ତାଙ୍କ ଠାରୁ ଏବେ OTP ମଗାଯିବ । ଏହି OTP ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ଫୋନ୍ ନମ୍ବରରେ ଆସିବ । ଗ୍ରାହକମାନେ ଏହି OTPକୁ ଏଟିଏମରେ ଦେବା ପରେ ହିଁ ୧୦,୦୦୦ ଟଙ୍କା ବା ତା’ଠାରୁ ଅଧିକ ଟଙ୍କା ଉଠାଇ ପାରିବେ ।