ଏହି ‘ସୁନ୍ଦରୀ ଝିଅ’ଙ୍କ ଫଟୋ ଦେଖି ପୁଅମାନେ ସ୍ୱପ୍ନ ଦେଖୁଥିଲେ; ଏବେ ସେ କହିଲେ: ମୁଁ ଜଣେ ପୁରୁଷ
ଇଣ୍ଟରନେଟରେ ଖୁବ୍ ଲୋକପ୍ରିୟ ‘ଜାପାନିଜ୍ କ୍ୟୁଟ୍ ସ୍କୁଲ୍ ଗାର୍ଲ’ ନିଜ ସହ ଜଡ଼ିତ ଆଶ୍ଚର୍ଯ୍ୟଜନକ ସତ୍ୟ ପ୍ରକାଶ କରିଛନ୍ତି । ଏହି ସତ୍ୟ ଜାଣିବା ପରେ ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଲାଗିଛି ।

ବିଶ୍ୱବ୍ୟାପୀ ଏମିତି ଅନେକ ଫଟୋ ଭାଇରାଲ୍ ହୁଏ (viral photos) ଯାହା ସହିତ ଜଡ଼ିତ ଆଶ୍ଚର୍ଯ୍ୟଜନକ ସତ୍ୟ ପରେ ପ୍ରକାଶ ପାଇଥାଏ । ଜାପାନର ଜଣେ ସ୍କୁଲ ଝିଅର (Japanese School Girl) ଏମିତି କିଛି ଫଟୋ ଭାଇରାଲ ହୋଇଥିଲା, ଯାହାର ସତ୍ୟତା ସାମ୍ନାକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବାସ୍ତବରେ ସୋସିଆଲ ମିଡ଼ିଆରେ (social media) ଭାଇରାଲ୍ ହେଉଥିବା ଫଟୋଗୁଡ଼ିକରେ ନଜର ଆସୁଥିବା ଏହି ସୁନ୍ଦରୀ ଜାପାନୀ ସ୍କୁଲ୍ ଝିଅ ପ୍ରକୃତରେ ଜଣେ ପୁରୁଷ ବୋଲି ଜଣାପଡ଼ିଛି । ତାଙ୍କ ନାମ ତାକୁମା ତାନି । (ଫଟୋ: Rei_Dunoisଙ୍କ ଟ୍ୱିଟର ପ୍ରୋଫାଇଲରୁ ନିଆଯାଇଥିବା ଫଟୋରେ ଡାହାଣରେ ଅଛନ୍ତି ତାକୁମା ତାନି, ଯିଏ ରୂପ ବଦଳାଇ ରେଇ ଡୁନୋଏସ୍ ବନନ୍ତି ।)

ତାକୁମା ତାନି ବୃତ୍ତିରେ ଜଣେ ଗାୟକ । ଟ୍ୱିଟର ସମେତ ବିଭିନ୍ନ ସୋସିଆଲ ମିଡ଼ିଆ ସାଇଟରେ ସେ ରେଇ ଡୁନୋଏସ୍ (Rei_Dunois) ନାମକ ଏକ ଝିଅର ପ୍ରୋଫାଇଲ୍ ବନେଇଛନ୍ତି । ସେ ଝିଅ ଭାବରେ ନିଜର ରୂପ ସଜାନ୍ତି ଓ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତି । କିନ୍ତୁ ସେ ଝିଅ ନୁହନ୍ତି ବରଂ ପୁରୁଷ ବୋଲି ନିଜେ ସୋସିଆଲ ମିଡ଼ିଆରେ ପ୍ରକାଶ କରିବା ପରେ ତାଙ୍କର ଅନେକ ଫ୍ୟାନଙ୍କ ମନ ଭାଙ୍ଗିଯାଇଥିଲା । ୧୯୭୭ ମସିହାରେ ଜନ୍ମ ହୋଇଥିବା ତାକୁମା ତାନି କହିଛନ୍ତି ଯେ ସେ ସ୍କୁଲ ସମୟରୁ ସଙ୍ଗୀତ ପ୍ରତି ସେ ଆଗ୍ରହୀ ଥିଲେ । ଥରେ ସେ ଝିଅ ପରି ପୋଷାକ ପିନ୍ଧିଥିଲେ । କିନ୍ତୁ ସେ ୨୮ ବର୍ଷ ବୟସରେ ଏକ ରକ୍ ଗୃପରେ ଯୋଗ ଦେଇ ସଙ୍ଗୀତକୁ ନିଜ ବୃତ୍ତି କରିଥିଲେ ।

୧୭ ବର୍ଷ ବୟସରେ ଝିଅ ରୂପରେ ଜଣାଶୁଣା ହେବା ଆରମ୍ଭ କରିଥିବା ତାକୁମା ତାନି କହିଛନ୍ତି ଯେ ସେ ବର୍ତ୍ତମାନ ୪୩ ବର୍ଷ ବୟସ୍କ ଜଣେ ବିବାହିତ ପୁରୁଷ ଓ ଏକ ସନ୍ତାନର ବାପା । ‘‘ଯେତେବେଳେ ମୋ’ ବୟସ ୩୪ ବର୍ଷ ହୋଇଥିଲା, ମୁଁ ସ୍ଥିର କଲି ଯେ ପୂର୍ବ ପରି ମୁଁ ଏକ ସ୍କୁଲ ଝିଅ ଭାବରେ ଫଟୋ ଉଠାଇ ସୋସିଆଲ ସାଇଟରେ ଅପଲୋଡ୍ କରିଚାଲିବି । ଏହା ପରେ ମୁଁ ତାହା କରି ଚାଲିଲି । ଧୀରେ ଧୀରେ ମୋ’ର ଏହି କାମକୁ ଲୋକେ ପସନ୍ଦ କରିବାକୁ ଲାଗିଲେ । ଲୋକେ ମୋତେ ବି ଖୁବ୍ ପସନ୍ଦ କରିବାକୁ ଲାଗିଲେ,’’ କହିଛନ୍ତି ତାକୁମା ତାନି । ପ୍ରାୟ ୯୦ ହଜାର ଲୋକ ଟ୍ୱିଟରରେ ତାଙ୍କୁ ଫଲୋ କରନ୍ତି ।