ଭାରତୀୟ ରେଳବାଇର RO-RO ସେବା ଅତ୍ୟନ୍ତ ଲାଭଦାୟକ; ଏହି ମାର୍ଗରେ ଶୀଘ୍ର ଆରମ୍ଭ ହେବ
Indian Railways RO-RO Service | ଭାରତୀୟ ରେଳବାଇର ରୋ-ରୋ ସର୍ଭିସ୍ ଅଧୀନରେ ଖୋଲା ଟ୍ରେନ ଉପରେ ମାଲ୍ ଭର୍ତ୍ତି ଟ୍ରକ୍ ଲୋଡ୍ କରାଯାଏ । ତା’ ପରେ ଏହି ଟ୍ରେନ୍ ଟ୍ରକଗୁଡ଼ିକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନେଇ ପହଞ୍ଚାଇଥାଏ । ଏଥିରୁ ଅନେକ ଲାଭ ମିଳୁଛି ।

କେରଳରେ ଭାରତୀୟ ରେଳବାଇ (Indian Railways) କୋଙ୍କଣରୁ (Konkan) ରୋଲ୍ ଅନ୍-ରୋଲ ଅଫ୍ (Roll on Roll off, ରୋ-ରୋ) ଟ୍ରେନ୍ ସେବାର ଏକ ସଫଳ ପରୀକ୍ଷଣ ଶେଷ କରିଛି । ଏହି ମାର୍ଗରେ ଦୁଇଟି ସୁଡ଼ଙ୍ଗ ପଡ଼ୁଥିବା ସତ୍ତ୍ୱେ ଏହି ପରୀକ୍ଷଣ ସଫଳତାର ସହିତ ସମାପ୍ତ ହୋଇଛି । ଏହି ମାର୍ଗରେ ଶୀଘ୍ର ରୋ-ରୋ ସେବା ଆରମ୍ଭ ହୋଇପାରିବ ବୋଲି ବିଶ୍ୱାସ କରାଯାଉଛି ।

ଦୁଇଟି ଟ୍ରକ୍ ଲୋଡ଼ ହୋଇଥିବା ଏହି ଟ୍ରେନ୍ ସକାଳ ୭ଟାରେ କର୍ଣ୍ଣାଟକର ସୁରଥକାଲ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ଅପରାହ୍ଣ ୨ଟା ୫୦ରେ କୋଇକୋଡ ସ୍ଥିତ ୱେଷ୍ଟ ହିଲରେ ପହଞ୍ଚିଥିଲା। ଦକ୍ଷିଣ ରେଳବାଇର ନିର୍ଦ୍ଦେଶ ଅନୁଯାୟୀ ଏହି ଟ୍ରେନକୁ ଶୋରାନୁର ଓ ଥିରୁଅନନ୍ତପୁରମ୍ ଡିଭିଜନରେ ଟେଷ୍ଟ୍ ରନ୍ କରାଯିବ ।

ରୋ-ରୋ ମଡେଲ୍ (Ro-Ro model) ଏ ପର୍ଯ୍ୟନ୍ତ ବହୁତ ଉପଯୋଗୀ ପ୍ରମାଣିତ ହୋଇଛି କାରଣ ଏହା ଇନ୍ଧନ ଓ ସମୟ ବଞ୍ଚାଏ । ଏଥି ସହ ଟ୍ରକ୍ କମ୍ପାନୀର ଖର୍ଚ୍ଚକୁ ବି ଯଥେଷ୍ଟ କମ୍ କରିଦିଏ ।

କୋଙ୍କଣ ରେଲୱେ ୧୯୯୯ ମସିହାରେ ରୋ-ରୋ ଟ୍ରେନ୍ ସେବା ଆରମ୍ଭ କରିଥିଲା । ଏ ପର୍ଯ୍ୟନ୍ତ କୋଙ୍କଣ ରେଲୱେ ଚାରି ଲକ୍ଷରୁ ଅଧିକ ମାଲ୍ ଭର୍ତ୍ତି ଟ୍ରକ୍ ନେଇସାରିଛି । ମୁମ୍ବାଇ ଠାରୁ ପ୍ରାୟ ୧୪୫ କିଲୋମିଟର ଦୂରରେ ଥିବା କୋଲାଡ଼ରୁ ଗୋଆର ଭର୍ନା ଷ୍ଟେସନ (୪୧୭ କିଲୋମିଟର) ଓ କୋଲାଡ଼ରୁ ସୁରଥକାଲ ଷ୍ଟେସନ (୭୨୧ କିଲୋମିଟର) ମଧ୍ୟରେ ରୋ-ରୋ ସେବା ଉପଲବ୍ଧ ଅଛି । ସଡ଼କ ମାର୍ଗରେ ଏହି ଦୂରତା ଅତିକ୍ରମ କରିବାକୁ ଟ୍ରକ୍ ଯଥା କ୍ରମେ ୨୪ ଓ ୪୦ ଘଣ୍ଟା ନେଇଥାଏ । ସେହି ଦୂରତା ଏବେ ଯଥା କ୍ରମେ ୧୨ ଓ ୨୨ ଘଣ୍ଟାରେ ପୂରା କରି ହେଉଛି ।