Big Boss 14 ଘରେ ପ୍ରବେଶ କରିବେ ରାଖୀ ସାୱନ୍ତଙ୍କ ସ୍ୱାମୀ; ସଲମାନ ଖାଁଙ୍କୁ ପ୍ରଶଂସା କଲେ
ରାଖୀ ସାୱନ୍ତଙ୍କ (Rakhi Sawant) ବ୍ୟବସାୟୀ ପତି ରିତେଶଙ୍କୁ ପଚରାଯାଇଥିଲା ଯେ ଯଦି Big Boss 14 ଘରର ଜଣେ ସଦସ୍ୟଙ୍କୁ ହଟାଇବାକୁ ପଡ଼େ ତ ସେ କାହାକୁ ବାହାର କରିବେ, ଉତ୍ତରରେ ସେ କହିଥିଲେ ଯେ ନିକି ତାମ୍ବୋଲିଙ୍କୁ ବାହାର କରିବାକୁ ଚାହିଁବେ ।

ଟିଭିର ସବୁ ଠାରୁ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍ ୧୪’ରେ (Bigg Boss 14) ନିଜ ପତ୍ନୀ ରାଖୀ ସାୱନ୍ତଙ୍କୁ (Rakhi Sawant) ସମର୍ଥନ କରିବାକୁ ରିତେଶ (Raki Sawant husband Ritesh) ଖୁବ୍ ଶୀଘ୍ର ଘରେ ପ୍ରବେଶ କରିବେ । News18 ସହିତ ତାଙ୍କର ଏକ ସ୍ୱତନ୍ତ୍ର ବାର୍ତ୍ତାଳାପ ହୋଇଛି ଓ ସେ କହିଛନ୍ତି ଯେ ଶୋ’ର ଆୟୋଜକଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଛି । ସେ ପ୍ରତିଯୋଗୀ ଭାବରେ ଶୀଘ୍ର ଶୋ’ରେ ପ୍ରବେଶ କରିବାକୁ ଯାଉଛନ୍ତି ।

ରିତେଶ କହିଛନ୍ତି ଯେ ଏହି ଶୋ’ର ଆୟୋଜକ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଥର ତାଙ୍କୁ ଶୋ’କୁ ଆସିବା ପାଇଁ ଖବର ପଠାଇଛନ୍ତି, କିନ୍ତୁ ବ୍ୟବସାୟ କାରଣରୁ ରିତେଶ ଏହି ଶୋ’କୁ ଆସିବାରେ ଅସମର୍ଥ ହୋଇଥିଲେ । ବ୍ୟବସାୟ ହେତୁ ସେ ସମୟ ପାଇ ନ ଥିଲେ । ରିତେଶ ପୂର୍ବରୁ ଜାନୁୟାରୀ ୪ ବା ୫ ପାଇଁ କଥା ହୋଇଥିଲେ, ହେଲେ ସମୟ ଅଭାବରୁ ସେ ଶୋ’ର ଆୟୋଜକଙ୍କୁ ଜାନୁଆରୀ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ତାଙ୍କୁ ଡାକିବାକୁ ଅନୁରୋଧ କରିଛନ୍ତି ।

<br />ଏହି ଶୋ’ର ହୋଷ୍ଟ ସଲମାନ ଖାନଙ୍କୁ (Salman Khan) ମଧ୍ୟ ରିତେଶ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ସଲମାନ ଜଣେ ପ୍ରକୃତ ପରାମର୍ଶଦାତା, ଯିଏ ଗତ ସପ୍ତାହରେ ରାଖୀଙ୍କୁ ସମର୍ଥନ କରିଥିଲେ । ସେ କହିଛନ୍ତି, ‘‘ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ହଲିଉଡ ଓ ବଲିଉଡ ତାରକାଙ୍କୁ ଭେଟିଛି, କିନ୍ତୁ ସଲମାନ ଖାନଙ୍କ ପରି କୌଣସି ବୁଦ୍ଧିମାନ ବ୍ୟକ୍ତି ନାହାଁନ୍ତି । ସେ ତାଙ୍କ ଶୋ’ର ନ୍ୟୁଆନ୍ସକୁ ବହୁତ ଭଲ ଭାବରେ ଜାଣିଛନ୍ତି । ସଲମାନ ଖାନ ମୋତେ ବହୁତ ପ୍ରଭାବିତ କରିଛନ୍ତି ।’’

ରିତେଶ ଆହୁରି କହିଛନ୍ତି ଯେ ସେ ଏହି ଶୋ’ ଭିତରେ ପୁରା ଯୋଜନା ସହିତ ପ୍ରବେଶ କରିବାକୁ ଯାଉଛନ୍ତି । ସେ ଶୋ’ରେ କେବଳ ନିଜ ପତ୍ନୀ ରାଖୀଙ୍କୁ ସମର୍ଥନ କରିବେ ନାହିଁ । ଯିଏ ତାଙ୍କ ସାହାଯ୍ୟ ଆବଶ୍ୟକ କରିବ ସେ ସମସ୍ତଙ୍କୁ ସାହାଯ୍ୟ କରିବେ । ଅର୍ଥାତ୍ ଏଥିରୁ ସ୍ପଷ୍ଟ ହେଉଛି ଯେ ବିଗ୍ ବସର ଘର ଭିତରେ ପ୍ରବେଶ କରିବା ପରେ ସେ ଏକ ଅଲଗା ଗୋଷ୍ଠୀ ଗଠନ କରିପାରନ୍ତି ।

ଯେତେବେଳେ ରିତେଶଙ୍କୁ ପଚରାଯାଇଥିଲା ଯେ ଯଦି ସେ ଘରର ଜଣେ ସଦସ୍ୟଙ୍କୁ ହଟାଇବାକୁ ପଡ଼େ ତ ସେ କାହାକୁ ବାହାର କରିବେ, ଉତ୍ତରରେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ନିକି ତାମ୍ବୋଲି ଅଧିକ ବିଶୃଙ୍ଖଳିତ ଥିବାରୁ ତାଙ୍କୁ ବାହାର କରିବାକୁ ଚାହିଁବେ । ‘‘ନିକି ଜାଣନ୍ତି ନାହିଁ କିପରି ଓ କାହା ସହିତ କେମିତି କଥାବାର୍ତ୍ତା କରାଯାଏ,’’ ସେ କହିଛନ୍ତି । ଯେହେତୁ ରିତେଶ ଜଣେ ଭଲ ବ୍ୟବସାୟୀ ଓ ତାଙ୍କର ପରିଚାଳନା ବିଷୟରେ ଭଲ ଜ୍ଞାନ ଅଛି, ତେଣୁ ଯେବେ ବି ସେ ବିଗ୍ ବସର ଘରେ ପ୍ରବେଶ କରିବେ ସେ ସବୁ କଥାକୁ ବହୁତ ଭଲ ଭାବରେ ପରିଚାଳନା କରିବାରେ ସମର୍ଥ ହେବେ ବୋଲି ଆଶା କରାଯାଉଛି । (ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @ rakhisawant2511)