ଛତିଶଗଡ଼ରେ ନକ୍ସାଲମାନଙ୍କ କବଳରେ ପଣବନ୍ଦୀ ହୋଇ ପାଞ୍ଚ ଦିନ କାଟିବା ପରେ ମୁକୁଳିଥିବା ସି.ଆର୍.ପି.ଏଫ୍. କୋବ୍ରା ଯବାନ ରାକେଶ୍ୱର ସିଂ ମନହାସଙ୍କ ପରିବାର ଖୁସିରେ ଆତ୍ମହରା ହୋଇପଡ଼ିଛି । ରାକେଶ୍ୱର ସିଂ ମନହାସଙ୍କ ମୁକ୍ତିର ଖବର ପାଇ ତାଙ୍କ ପତ୍ନୀ ମୀନୁ ଅତି ଭାବପ୍ରବଣ ହୋଇଯାଇଥିଲେ । ସେ କହିଥିଲେ, ‘‘ଆଜି ମୋ’ ଜୀବନର ସବୁଠାରୁ ଖୁସିର ଦିନ । ତାଙ୍କ ଫେରିବା ପାଇଁ ମୁଁ ପ୍ରତି କ୍ଷଣ ପ୍ରାର୍ଥନା କରୁଥିଲି । ସେ ଫେରିଆସିଥିବାରୁ ମୁଁ ସରକାରଙ୍କୁ ଧନ୍ୟବାଦ ଦେଉଛି ।’’ ଜମ୍ମୁ-କଶ୍ମୀରର ବାସିନ୍ଦା ମୀନୁ କହିଥିଲେ ଯେ ରାକେଶ୍ୱର ସିଂ ମନହାସଙ୍କ ଫେରିଆସିବାର ଆଶା ସେ କେବେ ଛାଡି ନ ଥିଲେ । ସେ ନିଶ୍ଚିତ ଥିଲେ ଯେ ତାଙ୍କ ସ୍ୱାମୀ ନିଶ୍ଚିତ ଭାବେ ତାଙ୍କ ପାଖକୁ ଫେରିଆସିବେ । ରିଲିଜ୍ ଖବର ଶୁଣିବା ପରେ ରାକେଶ୍ୱର ସିଂଙ୍କ ମା’ କହିଛନ୍ତି ଯେ ତାଙ୍କ ପାଇଁ ଏହି ପାଞ୍ଚ ଦିନ ବହୁତ କଷ୍ଟସାଧ୍ୟ ଥିଲା । ସେ କହିଛନ୍ତି ଯେ ରାକେଶ୍ୱରଙ୍କ ମୁକ୍ତି ଖବର ପାଇ ସେ ବହୁତ ଖୁସି ଅଛନ୍ତି । ନକ୍ସଲମାନଙ୍କ କବଳରୁ ରାକେଶ୍ୱର ସିଂଙ୍କ ଫେରିଆସିବା ପରେ ସାରା ପରିବାରରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି । ପରିବାରର ସଦସ୍ୟମାନେ ନାଚ ଗୀତରେ ମସଗୁଲ୍ ହୋଇଛନ୍ତି । ଏପ୍ରିଲ୍ ୩ ତାରିଖରେ ଛତିଶଗଡ଼ର ବିଜାପୁରରେ ନକ୍ସଲୀମାନଙ୍କ ସହ ସି.ଆର.ପି.ଏଫ୍. ଯବାନମାନଙ୍କ ଗୁଳି ବିନିମୟର ପର ଦିନ ରାକେଶ୍ୱର ସିଂଙ୍କୁ ମାଓବାଦୀମାନେ କାବୁ କରିନେଇଥିଲେ । ତାଙ୍କୁ ପାଞ୍ଚ ଦିନ ପରେ ଏପ୍ରିଲ୍ ୮ ତାରିଖରେ ସେମାନେ ଏକ ପ୍ରଜା ମେଳି କରି ମୁକ୍ତ କରିଥିଲେ । ରାକେଶ୍ୱର ସିଂ କହିଥିଲେ ଯେ ନକ୍ସଲୀମାନେ ତାଙ୍କ ଆଖିରେ ପଟି ବାନ୍ଧି ଓ ତାଙ୍କ ଦୁଇ ହାତ ବାନ୍ଧି ବିଭିନ୍ନ ଗାଁରେ ନେଇ ରଖିଥିଲେ । ସେ କହିଛନ୍ତି ଯେ ନକ୍ସଲୀମାନେ ତାଙ୍କୁ ଠିକ୍ ସମୟରେ ଖାଇବା ପିଇବାକୁ ଦେଉଥିଲେ ଓ ତାଙ୍କ ଉପରେ କୌଣସି ଚାପ ପକାଉ ନ ଥିଲେ, ହେଲେ ସବୁ ବେଳେ ସେମାନେ ତାଙ୍କୁ ହତ୍ୟା କରିବାର ସମ୍ଭାବନା ରହୁଥିଲା । ମୁକ୍ତ ହେବା ପରେ ରାକେଶ୍ୱରଙଅକୁ ଏକ ହେଲିକପ୍ଟରରେ ଛତିଶଗଡ଼ ରାଜଧାନୀ ରାୟପୁରକୁ ନିଆଯାଇଥିଲା । ସେଠାରେ ଏକ ହସପିଟାଲରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ରାକେଶ୍ୱର ସିଂଙ୍କ ମୁକୁଳିବା ଖବର ପାଇ ତାଙ୍କ ପଡ଼ୋଶୀ ଓ ସମ୍ପର୍କୀୟମାନେ ମଧ୍ୟ ଖୁବ୍ ଖୁସି ହୋଇଛନ୍ତି । ଆଖ ପାଖର ମହିଳାମାନେ ରାକେଶ୍ୱରଙ୍କ ମୁକୁଳିବା ମୁହୂର୍ତ୍ତକୁ ଏକ ପର୍ବ ପରି ଉତ୍ସାହରେ ପାଳନ କରିଛନ୍ତି ।