କଶ୍ମୀର ଉପତ୍ୟକାର ଆଠଟି ରାଜନୈତିକ ଦଳର ୧୪ ଜଣ ନେତାଙ୍କ ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଗୁରୁବାର ଦିନ (ଜୁନ୍ ୨୪) ଆଲୋଚନା କରିଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା ଆଲୋଚନା । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସ୍ଥାନୀୟ ରାଜନେତାଙ୍କ ସହ ପ୍ରଧାନ ମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ବୈଠକ । ଏଥିରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ଓମାର୍ ଅବଦୁଲ୍ଲା ଓ ମେହବୁବା ମୁଫତି ପ୍ରମୁଖ ସାମିଲ ହୋଇଥିଲେ ।
୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ (Jammu and kashmir) ଧାରା ୩୭୦ ଓ ୩୫-ଏ ଉଚ୍ଛେଦ କରି ସେହି ରାଜ୍ୟର ବିଶେଷ ମାନ୍ୟତା ପ୍ରତ୍ୟାହାର କରିନିଆଯାଇଥିଲା । ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ ଭାଗ କରାଯାଇଥିଲା। ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାରୁ ବିଧାନ ସଭା ଓ ଲୋକ ସଭା ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପାଇଁ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ଜମ୍ମୁ ଓ କଶ୍ମୀରକୁ ରାଜ୍ୟର ମାନ୍ୟତା ଦେବାକୁ ଦାବି କରିତିଲେ ପ୍ରଧାନ ମନ୍ତ୍ରୀଙ୍କ ଆଲୋଚନାରେ ସାମିଲ ହୋଇଥିବା ନେତାମାନେ । ହେଲେ ବର୍ତ୍ତମାନ ସେ ସମୟ ଆସି ନାହିଁ ଓ ସଠିକ୍ ସମୟରେ ସେ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ସରକାର ସେମାନଙ୍କୁ କହିଥିବା ଜଣାପଡ଼ିଛି । ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ମଧ୍ୟ ଉପସ୍ଥିତ ଥିଲେ । (ସବୁ ଫଟୋ: ଏ.ଏନ୍.ଆଇ.)