ବିଶ୍ୱସ୍ତ କୁକୁରର ଶେଷ ଯାତ୍ରା ଆୟୋଜିତ ହେଲା; ଏବେ ତା’ ପାଇଁ ନିର୍ମାଣ ହେବ ଏକ ସ୍ମାରକ
କୁହାଯାଏ ଯେ କେବଳ ମଣିଷ ନୁହଁନ୍ତି, ପଶୁ ପକ୍ଷୀମାନେ ମଧ୍ୟ ପ୍ରେମ ପାଇଁ ଭୋକିଲା । ନିଜ ପ୍ରିୟ କୁକୁରର ମୃତ୍ୟୁ ପରେ ହିମକର ମିଶ୍ର ତାକୁ ଯେମିତି ଶେଷ ବିଦାୟ ଦେଲେ, ତାହା ପ୍ରକୃତରେ ଅସଲ ମାନବିକତାର ଏକ ଉଦାହରଣ ।

ବ୍ରାଉନି କୌଣସି ମଣିଷ ନୁହେଁ, ବରଂ ଏକ ପୋଷା କୁକୁରଥିଲା । ସେ ସାତ ବର୍ଷ ଧରି ନିଜ ମାଲିକ ହିମକର ମିଶ୍ରଙ୍କ ଫାର୍ମହାଉସରେ ରହି ତାକୁ ଜଗୁଥିଲା । ଶନିବାର ବ୍ରାଉନିର ହଠାତ୍ ମୃତ୍ୟୁ ଘଟିଥିଲା ।

କୁକୁରର ମାଲିକ ହିମକର ମିଶ୍ର ଓ ଫାର୍ମର ଅନ୍ୟ ଲୋକେ ତା’ ମୃତ୍ୟୁର ସୂଚନା ପାଇବା ମାତ୍ରେ ଉଦାସ ହୋଇଗଲେ । ହିମକର ମିଶ୍ର କହିଛନ୍ତି ଯେ ବ୍ରାଉନିର ଅନ୍ତିମ ବିଦାୟ ମଣିଷ ପରି ହେବ ବୋଲି ସେ ନିଷ୍ପତ୍ତି ନେଲେ । ଏହା ପରେ ବିହାରର ପୂର୍ଣ୍ଣିଆରେ ଥିବା ସେହି ଫାର୍ମର ଲୋକେ ପ୍ରଥମେ କୁକୁରର ଶବ ଉପରେ ପୁଷ୍ପମାଲ୍ୟ ଅର୍ପଣ କଲେ ଓ ତା’ପରେ ତା’ର ଶେଷ ଯାତ୍ରା ପାଇଁ ଏକ ଶୋଭାଯାତ୍ରା ଆୟୋଜନ କଲେ ।

ହିମକର ମିଶ୍ର ନିଜେ ନିଜ କାନ୍ଧରେ କୁକୁର ବ୍ରାଉନିର କୋକେଇ ବହନ କରି ନେଲେ ଓ ଫାର୍ମର ବଗିଚାରେ ତାକୁ ସବୁ ବିଧିବିଧାନ ସହିତ ପୋତିଲେ । ମିଶ୍ର କହିଛନ୍ତି ଯେ ତାଙ୍କର ମୋଟ ପାଞ୍ଚଟି କୁକୁର ଅଛନ୍ତି, କିନ୍ତୁ ବ୍ରାଉନି ବିଶେଷ ଥିଲା । ‘‘ଆଜି ବି ମୁଁ ତାକୁ ମନେ ପକାଉଛି । ମୋ’ ଆଖିରେ ଲୁହ ଆସିଯାଉଛି,’’ ସେ କହିଛନ୍ତି । ୧୨ ଦିନ ପରେ ବ୍ରାଉନିକୁ ପୋତାଯାଇଥିବା ସ୍ଥାନରେ ତା’ ପାଇଁ ଏକ ସ୍ମାରକ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।

ବ୍ରାଉନିର ମୃତ୍ୟୁ ଯୋଗୁଁ ରାମନଗର ଗାଁର ଲୋକେ ବି ଅତି ଦୁଃଖିତ ହୋଇଛନ୍ତି । ହିମକର ମିଶ୍ର କହିଛନ୍ତି ଯେ ତାଙ୍କ ପାଞ୍ଚଟି କୁକୁର ସହିତ ତାଙ୍କ ଜୀବନ ବିତୁଥିଲା । ସେ ଏହି କୁକୁରମାନଙ୍କୁ ନିଜ ପୁଅ ପରି ମନେ କରନ୍ତି । ଏହି କୁକୁରମାନଙ୍କୁ ସେ ନିଜ ହାତରେ ଖାଇବାକୁ ଦିଅନ୍ତି ଓ ସେମାନଙ୍କୁ ଭଲ ପାଆନ୍ତି ।

ତାଙ୍କ କେୟାର ଟେକର ଯୋଗେନ୍ଦ୍ର କହିଛନ୍ତି ଯେ ତାଙ୍କ ମାଲିକ ହିମକର ମିଶ୍ର ଏହି କୁକୁରମାନକୁ ନିଜ ସନ୍ତାନ ବୋଲି ଭାବନ୍ତି । ବ୍ରାଉନିର ବିୟୋଗରେ ସେ ନିଜେ ଭାରି ଦୁଃଖିତ । ଲାଗୁଛି ଯେ ସେ କେହି ନିଜ ଲୋକକୁ ହରାଇଛନ୍ତି । ମିଶ୍ରଙ୍କ ଘରେ ବ୍ରାଉନୀ ବ୍ୟତୀତ ଦୁଇଟି ଜର୍ମାନ ଶେଫର୍ଡ଼ ଓ ଚାରିଟି ଲାବ୍ରାଡର ପ୍ରଜାତିର କୁକୁର ଅଛନ୍ତି । ହିମକର ମିଶ୍ର ସେମାନଙ୍କୁ ବହୁତ ଭଲ ପାଆନ୍ତି ।