କେରଳର (Kerala) ଏକ ସେସନ୍ସ କୋର୍ଟ ଜଣେ ନିଜ ସ୍ତ୍ରୀଙ୍କୁ ଏକ ନାଗ ସାପ (କୋବ୍ରା) ଦ୍ୱାରା କାମୁଡ଼ାଇ ହତ୍ୟା କରିଥିବା ବ୍ୟକ୍ତିକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋଲମରେ (Kolam) ସୁରଜ ନାମକ ବ୍ୟକ୍ତି ନିଜ ୨୫ ବର୍ଷୀୟା ପତ୍ନୀ ଉଥ୍ରାଙ୍କୁ ଯୌତୁକ ପାଇଁ ସାପ କାମୁଡ଼଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । କୋର୍ଟରେ ସୁରଜଙ୍କ ଓକିଲମାନଙ୍କ ପକ୍ଷରୁ ସବୁ ପ୍ରୟାସ ସତ୍ତ୍ୱେ ସେ ଦୋଷୀ ସାବ୍ୟସ୍ତ ହୋଇଗଲେ ।
ସୁରଜଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ଉଥ୍ରାଙ୍କ ମୃତ୍ୟୁ ପ୍ରାକୃତିକ ଭାବେ ଏକ ସାପ କାମୁଡ଼ିବା ମାମଲା । ହେଲେ ସରକାରୀ ଓକିଲ କହିଥିଲେ ଯେ ସୁରଜ୍ ସାପ କାମୁଡ଼ାଇ ନିଜ ପତ୍ନୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଦୁଇ ଥର ସାପ କିଣିଛନ୍ତି । ପ୍ରଥମେ ୧୦,୦୦୦ ଟଙ୍କାରେ ଓ ଦ୍ୱିତୀୟ ଥର ୭,୦୦୦ ଟଙ୍କାରେ ସେ ଦୁଇ ଥର ସାପ କିଣିଥିବା ପ୍ରମାଣ ଦେଖାଇଥିଲେ ଓକିଲ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ସୁରଜଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ଉଥ୍ରାଙ୍କ ସ୍ୱାମୀ ସୁରଜ ଏସ୍. କୁମାର ନିଜ ପତ୍ନୀଙ୍କ କୋଠରୀରେ କୋବ୍ରା ସାପକୁ ଛାଡି଼ଦେଇଥିଲେ । ଏହି ଷଡଯନ୍ତ୍ର ରଚିବା ପୂର୍ବରୁ ସେ ନିଜ ପତ୍ନୀଙ୍କୁ ନିଜ ବଟିକା ଦେଇଥିବା ଅଭିଯୋଗ ହୋଇଥିଲା । ତଦନ୍ତରେ ଏହା ବି ସାମ୍ନାକୁ ଆସିଥିଲା ଯେ ଗତ ବର୍ଷ ମାର୍ଚ୍ଚ ୨ରେ ବି ସୁରଜ ନିଜ ପତ୍ନୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କୋବ୍ରାକୁ ଘରେ ଛାଡି଼ଥିଲେ ।
ଉଥ୍ରାଙ୍କ ମା’ କହିଥିଲେ ଯେ ତାଙ୍କ ଝିଅ ନିଜ ସ୍ୱାମୀ ସୁରଜଙ୍କ ସହ ରାତ୍ରୀ ଭୋଜନ ପରେ ଶୋଇଥିଲେ । ସୁରଜ ସାଧାରଣତଃ ସକାଳେ ବିଳମ୍ବରେ ଉଠେ, କିନ୍ତୁ ସେ ଦିନ ସେ ଶୀଘ୍ର ଉଠି ବାହାରକୁ ଚାଲିଯାଇଥିଲା । ଉଥ୍ରା ରାତିରେ ଠିକ୍ ସମୟରେ ଶୋଇଥିଲେ ବି ସକାଳେ ଉଠି ନ ଥିଲା । ତାଙ୍କ ମା’ କୋଠରୀକୁ ଯାଇ ଉଥ୍ରାଙ୍କୁ ଚେତାଶୂନ୍ୟ ଥିବାର ଦେଖିଲେ। ପରେ କୋଠରୀରେ ଏକ କୋବ୍ରା ସାପ ଦେଖିବାକୁ ମିଳିଥିଲା ।ତାକୁ ସାଙ୍ଗେ ସାଙ୍ଗେ ମାରିଦିଆଯାଇଥିଲା ।
ବିବାହ ବେଳେ ସୁରଜଙ୍କୁ ଯୌତୁକରେ ନଗଦ ୧୦ ଲକ୍ଷ ଟଙ୍କା, ବିଭିନ୍ନ ସାମଗ୍ରୀ, ଏକ ନୂଆ କାର୍ ଆଦି ଦିଆଯାଇଥିଲା । ଦୁଇ ବର୍ଷର ଅସଫଳ ବିବାହ ପରେ ସେ ଅଧିକ ଯୌତୁକ ମାଗୁଥିଲେ । ଉଥ୍ରାଙ୍କୁ ଯୌତୁକ କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ ଆଧାରରେ ସୁରଜଙ୍କୁ ମେ ୨୪ରେ ଗିରଫ କରାଯାଇଥିଲା । ଜୁଲାଇ ୧୨ରେ ସେ ସର୍ବସାଧାରଣରେ ସ୍ୱୀକାର କରିଥିଲେ ଯେ ସେ କୋଲାମର ଜଣେ ସାପଧରାଳୀଠାରୁ ଦୁଇ ଥର ଦୁଇଟି ସାପ କିଣିଥିଲେ।
ତଦନ୍ତକାରୀ ଦଳ ଉଥ୍ରାଙ୍କ ଶବ ବ୍ୟବଚ୍ଛେଦ ପରେ ଏକ ସତ ସାପ ଆଣି କଣ୍ଢେଇ ନାରୀକୁ ବିଛଣାରେ ଶୁଆଇ ବିଭିନ୍ନ ବୈଜ୍ଞାନିକ ପରୀକ୍ଷା କରି ପ୍ରମାଣ ଯୋଗାଡ଼ କରିଥିଲେ ଓ କୋର୍ଟରେ ଦାଖଲ କରିଥିଲେ। ବିଷାକ୍ତ ସାପକୁ ସୁରଜଙ୍କୁ ବିକିଥିବା ସାପ ଧରାଳୀ ଏହି ମାମଲାରେ ଜଣେ ଅଭିଯୁକ୍ତ ଥିଲେ, ହେଲେ ସେ ଡିସେମ୍ବର ୨ରୁ ଆରମ୍ଭ ହୋଇଥିବା ଶୁଣାଣି ପ୍ରକ୍ରିୟାରେ ସରକାରୀ ସାକ୍ଷୀ ହୋଇଯାଇଥିଲେ।