ଜୋ ଓ ଜିଲ୍ଙ୍କ Love Story: ଜୋ ୫ ଥର ପ୍ରପୋଜ୍ କଲା ପରେ ବିବାହ ପାଇଁ ରାଜି ହୋଇଥିଲେ ଜିଲ୍
ଜିନ୍ସ ଓ ଟି-ସାର୍ଟ ପିନ୍ଧୁଥିବା ଲୋକଙ୍କୁ ଡେଟ୍ କରୁଥିବା ଜିଲ୍ ତାଙ୍କ ଦ୍ୱାରରେ ସ୍ପୋର୍ଟ୍ କୋଟ୍ ଓ ଲୋଫର୍ ଜୋତା ପିନ୍ଧି ପହଞ୍ଚିଥିବା ଜୋ ବାଇଡେନଙ୍କୁ ଦେଖି ଚମକିପଡ଼ିଥିଲେ । ସେ ନିଜ ମା’ଙ୍କୁ ରାତି ଗୋଟାଏ ବେଳେ ନିଦରୁ ଉଠାଇ କହିଥିଲେ, ‘‘ମା’, ମୁଁ ଶେଷରେ ଜଣେ ଭଦ୍ରଲୋକଙ୍କୁ ପାଇଛି ।’’

ଜୋ ବାଇଡେନ୍ (Joe Biden) ଆମେରିକାର ରାଷ୍ଟ୍ରପତି ହେବା ପାଇଁ କରିଥିବା ସବୁ ଉଦ୍ୟମରେ ତାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ରହିଥିଲେ ତାଙ୍କ ଜୀବନସଙ୍ଗିନୀ ଜିଲ୍ ବାଇଡେନ୍ (Jill Biden) । ଏହି ଦୁଇ ଜଣଙ୍କ ପ୍ରେମ କାହାଣୀ ଏବେ ସାରା ଦୁନିଆ ଆଗ୍ରହର ସହ ଜାଣୁଛି ଓ ଖୁସି ହେଉଛି ।

ଜୋ ବାଇଡେନଙ୍କୁ ଏବେ ୭୮ ବର୍ଷ ବୟସ ଓ ଆମେରିକାର ପ୍ରଥମ ମହିଳା (America First Lady) ଜିୱ୍ ବାଇଡେନଙ୍କୁ ୬୯ ବର୍ଷ । ଜୋ ଓ ଜିଲଙ୍କ ମଧ୍ୟରେ ବହୁତ ଘନିଷ୍ଠ ସମ୍ପର୍କ ଥିଲା । ଜିଲଙ୍କୁ ଜାଣିବା ପରେ ତାଙ୍କୁ ବିବାହ କରିବା ପାଇଁ ଜୋ ପାଞ୍ଚ ଥର ତାଙ୍କୁ ପ୍ରସ୍ତାବ ଦେଇଥିଲେ । ତା’ ପରେ ଯାଇ ଜିଲ୍ ରାଜି ହୋଇଥିଲେ । ଜୋ ଓ ଜିଲ୍ ୧୯୭୭ରେ ବିବାହ କରିଥିଲେ । (ଜୋ’ଙ୍କ ଶପଥ ଗ୍ରହଣ ଉତ୍ସବ ବେଳର ଏହି ଫଟୋ)

ଅସଲରେ ୧୯୭୨ ମସିହାରେ ସିନେଟର ଭାବରେ ପ୍ରଥମ ଥର ନିର୍ବାଚିତ ହେବାର ମାତ୍ର ଦେଢ଼ ମାସ ପରେ ଜୋ ବାଡେନ ଏକ ହୃଦୟବିଦାରକ ଫୋନ୍ କଲ ପାଇଥିଲେ | ଏକ ଟ୍ରାକ୍ଟର-ଟ୍ରେଲର ଧକ୍କାରେ ତାଙ୍କ ପତ୍ନୀ ଓ କଲେଜ ସାଥୀ ନୀଲିଆଙ୍କ ମୃତ୍ୟୁ ଘଟିଥିଲା ।

ଏହି ଦୁର୍ଘଟଣାରେ ନୀଲିଆଙ୍କ ସହ ତାଙ୍କର ଏକ ବର୍ଷର ଝିଅ ନାଓମୋ ବି ଜୀବନ ହରାଇଥିଲେ । ତେବେ ଉଭୟ ପୁଅ – ଚାରି ବର୍ଷର ବିଉ ଓ ତିନି ବର୍ଷର ହଣ୍ଟର୍ – ବଞ୍ଚିଯାଇଥିଲା । ନିଜ ପତ୍ନୀଙ୍କ ମୃତ୍ୟୁ ପରେ ଜୋ ବାଇଡେନ ମାତ୍ର ୩୦ ବର୍ଷ ବୟସରେ ନିଜ ଦୁଇ ପିଲାଙ୍କର ଏକକ ପିତା (single father) ହୋଇଥିଲେ । ପିଲାମାନଙ୍କର ଯତ୍ନ ନେବା ପାଇଁ ତାଙ୍କୁ ପ୍ରତି ରାତିରେ ୱାଶିଂଟନରୁ ୱିଲମିଙ୍ଗଟନ୍ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ପଡୁଥିଲା । ଜିଲଙ୍କୁ ଭେଟିବାର ପ୍ରଥମ ତିନି ବର୍ଷ ଏମିତି ଜାରି ରହିଥିଲା । (ଫଟୋରେ ଜୋ, ନୀଲିଆ ଓ ତାଙ୍କ ସେତେବେଳର ଦୁଇ ପିଲା, ନଭେମ୍ବର ୧୯୭୨; ଫଟୋ- ଦ ଇଣ୍ଡିପେଣ୍ଡେଣ୍ଟ୍)

୨୦୦୭ରେ ନିଜ ଜୀବନୀରେ ଜୋ ବାଇଡେନ୍ ଜିଲଙ୍କ ବିଷୟରେ ଲେଖିଥିଲେ, ‘‘ସେ ମୋ’ ଜୀବନକୁ ପୁଣି ଠିକ୍ ପଥ ଉପରକୁ ଆଣିଥିଲେ । ସେ ମୋତେ ନିଜ ପରିବାର ବିଷୟରେ ଚିନ୍ତା କରିବା ଶିଖାଇଥିଲେ ।’’

‘ଭୋଗ୍’ ମ୍ୟାଗାଜିନକୁ ଦେଇଥିବା ଏକ ସାକ୍ଷାତକାରରେ ଜିଲ୍ ତାଙ୍କର ପ୍ରଥମ ଡେଟକୁ ସ୍ମରଣ କରି କହିଥିଲେ, ‘‘ମୁଁ ସେତେବେଳେ ଜିନ୍ସ ଓ ଟି-ସାର୍ଟ ପିନ୍ଧୁଥିବା ଲୋକଙ୍କୁ ଡେଟ୍ କରୁଥିଲି । ଜୋ ମୋ’ ଦ୍ୱାରକୁ ଆସିବା ସମୟରେ ଏକ ସ୍ପୋର୍ଟ୍ କୋଟ୍ ଓ ଲୋଫର୍ ଜୋତା ପିନ୍ଧିଥିଲେ । ତାଙ୍କୁ ଦେଖି ମୁଁ ଭାବିଲି ଶହ ଶହ ବର୍ଷ ମଧ୍ୟରେ ବି ଆମର ବିବାହ ହେବ ନାହିଁ । ଜୋ ମୋ’ ଠାରୁ ନଅ ବର୍ଷ ବଡ ଥିଲେ । କିନ୍ତୁ ଆମେ ଦୁହେଁ ବନ୍ଧୁ ହୋଇଯାଇଥିଲୁ । ମୁଁ ପାହାଚ ଉପରକୁ ଚଢ଼ି ମୋ’ ମା’ଙ୍କୁ ରାତି ଗୋଟାଏ ବେଳେ ଡାକି ଉଠାଇଲି ଓ କହିଲି, ‘‘ମା’, ମୁଁ ଶେଷରେ ଜଣେ ଭଦ୍ରଲୋକଙ୍କୁ ପାଇଛି ।’’ (ଫଟୋରେ ଜୋ ଓ ଜିଲ୍ ଫେବୃଆରୀ ୧୯୮୮ରେ)

ତା’ ପରେ ଜୋ ଓ ଜିଲ୍ ନିଜ ସମ୍ପର୍କକୁ ଗୁରୁତ୍ୱର ସହ ନେଇଥିଲେ । ଜିଲ୍ ଜୋ’ଙ୍କ ପିଲାମାନଙ୍କର ଯତ୍ନ ନେବା ଆରମ୍ଭ କରିଦେଇଥିଲେ । ଜିଲ୍ କହିଥିଲେ, ‘‘ଜୋ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲେ । ମୁଁ ରାତ୍ରି ଭୋଜନ କରି ପିଲା ଦୁଇ ଜଣଙ୍କୁ ଖାଇବାକୁ ଦେଇ ଶୁଆଇଦେଉଥିଲି । ଜୋ ବେଳେବେଳେ ପିଲାମାନଙ୍କୁ ସ୍କୁଲରୁ ଆଣିବାରେ ସାହାଯ୍ୟ କରୁଥିଲେ । ଆମେ ଦୁହେଁ ସନ୍ଧ୍ୟାରେ ଟିଭି ଦେଖୁଥିଲୁ ।’’ କିନ୍ତୁ ପିଲା ଦୁଇ ଜଣଙ୍କୁ ଓ ଜୋଙ୍କୁ ଭଲ ପାଇବା ସତ୍ତ୍ୱେ ଜିଲ୍ ତାଙ୍କ ବିବାହ ପ୍ରସ୍ତାବକୁ ପାଞ୍ଚ ଥର ପ୍ରତ୍ୟାଖ୍ୟାନ କରିଥିଲେ ।

ଜୋ ବାଇଡେନଙ୍କୁ ଭେଟିବା ପୂର୍ବରୁ ଜିଲ୍ ଥରେ ବିବାହ କରିଥିଲେ । ସେ ତାଙ୍କର ପ୍ରଥମ ସ୍ୱାମୀ ବିଲ୍ ଷ୍ଟିଭେନ୍ସନଙ୍କ ସହ ଡେଲାୱେର୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ । ହେଲେ ସେମାନେ ବିବାହର ମାତ୍ର ଚାରି ବର୍ଷ ପରେ ୧୯୭୪ ମସିହାରେ ଅଲଗା ହୋଇଯାଇଥିଲେ । (ଫଟୋରେ ଜିଲଙ୍କ ପ୍ରଥମ ସ୍ୱାମୀ ବିଲ୍ ଷ୍ଟିଭେନ୍ସନ)

ନିଜ ପ୍ରଥମ ସ୍ୱାମୀ ବିଲ୍ ଷ୍ଟିଭେନ୍ସନଙ୍କ ଠାରୁ ଅଲଗା ହେବା ପରେ ଜିଲ୍ ଆଉ ଥରେ ବିବାହ ବିଷୟରେ ସାବଧାନ ହୋଇଯାଇଥିଲେ । ଜିଲ୍ ନିଜ କରିଅରକୁ ଭଲ ପାଉଥିଲେ ଓ ରାଜନୈତିକ ଜୀବନସାଥୀଙ୍କୁ ପାଇ ତାହା ହରାଇବେ ବୋଲି ଭୟ କରୁଥିଲେ ।

ହେଲେ ଜୋଙ୍କ ଦୁଇ ପିଲାଙ୍କୁ ଲାଳନପାଳନ କରିବାରେ ଜିଲ୍ ଖୁବ୍ ଆଗ୍ରହ ଓ ନିଷ୍ଠା ଦେଖାଉଥିଲେ । ‘ଭୋଗ୍’ ପତ୍ରିକାକୁ ଏକ ସାକ୍ଷାତକାରରେ ଜିଲ୍ କହିଥିଲେ, ‘‘ଜୋ’ଙ୍କ ପ୍ରତ୍ୟେକ ବିବାହ ପ୍ରସ୍ତାବ ଉପରେ ମୁଁ କହୁଥିଲି ‘ଏବେ ନୁହେଁ’ । କିନ୍ତୁ ପରେ ମୁଁ ଭାବିଲି ଯେ ଯେହେତୁ ମୁଁ ତାଙ୍କର ଦୁଇ ପୁଅଙ୍କୁ ଖୁବ୍ ଭଲପାଉଥିଲି ତେଣୁ ତାଙ୍କ ସହ ମୋ’ ବିବାହ ନିଶ୍ଚିତ ସଫଳ ହେବ ।’’

ଶେଷରେ ଜିଲ୍ ଓ ଜୋ ବାଇଡେନ ୧୯୭୭ରେ ବିବାହ କରିଥିଲେ । ଉଭୟ ହନିମୁନ୍ରେ ଯିବା ବେଳେ ଦୁଇ ପୁଅଙ୍କୁ ବି ସାଙ୍ଗରେ ନେଇଥିଲେ । ୧୯୮୧ ମସିହାରେ ସେମାନଙ୍କର ଆଶଲେ ନାମକ ଏକ ଝିଅ ଜନ୍ମ ହୋଇଥିଲା । ସେହି ବର୍ଷ ଜିଲ୍ ମାଷ୍ଟର ଅଫ୍ ଏଜୁକେସନ୍ ଡିଗ୍ରୀ ହାସଲ କରିଥିଲେ । ଝିଅକୁ ଜନ୍ମ ଦେବାର ଅନେକ ବର୍ଷ ପରେ ସେ ଇଂରାଜୀ ବିଷୟ ପଢ଼େଇବାକୁ ସ୍ଥିର କରିଥିଲେ । ସେ ଇଂରାଜୀରେ ଏମ୍.ଏ. ପଢ଼ିବା ଜାରି ରଖିଥିଲେ ଓ ୧୯୮୭ରେ ସେ ଏମ୍.ଏ. ଡିଗ୍ରୀ ହାସଲ କରିଥିଲେ ।

ଜୋ ବାଇଡେନ୍ ଦୁଇ ଦଶକ ସିନେଟର୍ ରହିବା ପରେ ୧୯୮୮ରେ ପ୍ରଥମ ଥର ରାଷ୍ଟ୍ରପତି ପଦର ଦୌଡ଼ ପାଇଁ ନିଜକୁ ଡେମୋକ୍ରାଟିକ୍ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ଜିଲ୍ ତାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ପ୍ରଚାର କରିଥିଲେ, କିନ୍ତୁ ସେହି ପ୍ରୟାସ ସଫଳ ହୋଇପାରିଲା ନାହିଁ ଓ ଜୋଙ୍କୁ ନିଜ ଦାବି ପ୍ରତ୍ୟାହାର କରିବାକୁ ପଡିଥିଲା । ବାଇଡେନ ଦମ୍ପତି ନିଜ କରିୟର ସମ୍ବନ୍ଧରେ ନିଜସ୍ୱ ପଥରେ ଚାଲିଥିଲେ । ଜିଲ୍ ପିଲାମାନଙ୍କର ଯତ୍ନ ନେବା ସହ ଜିଲ୍ ଶିକ୍ଷାଦାନ ଜାରି ରଖିଥିଲେ ।

୨୦୦୮ରେ ବାରାକ ଓବାମାଙ୍କ (Barack Obama) ଟିକେଟରେ ଜୋ ଆମେରିକାର ଉପରାଷ୍ଟ୍ରପତି ଭାବରେ ନିର୍ବାଚନ ଜିତିଥିଲେ । ଜୋ ନିଜ ପତ୍ନୀ ଜିଲଙ୍କ କରିଅରକୁ ସମର୍ଥନ କରିବା ଜାରି ରଖିଥିଲେ । ୨୦୧୫ରେ ଉଭୟଙ୍କ ଜୀବନରେ ଏକ ଅଘଟଣ ଘଟିଥିଲା । ମସ୍ତିଷ୍କ କର୍କଟ ରୋଗରେ ପୁଅ ବିଉ ୪୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ । (ଫଟୋରେ ମିସେଲ୍ ଓବାମାଙ୍କ ସହ ଜିଲ୍)

ବିଉଙ୍କ ମୃତ୍ୟୁ ବିଷୟରେ ଜିଲ୍ ଏକ ସାକ୍ଷାତକାରରେ କହିଥିଲେ, ‘‘ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି । ମୋ’ ଜୀବନ ଗୋଟିଏ ମୁହୂର୍ତ୍ତରେ ବଦଳି ଯାଇଥିଲା । ତା’ ଅସୁସ୍ଥତା ସମୟରେ ମୁଁ ବିଶ୍ୱାସ କରିଥିଲି ଯେ ତା’ ଜୀବନ ଆଉ ଅନେକ ଦିନ ବାକି ଅଛି । ମୁଁ କେବେ ଆଶା ଛାଡି ନ ଥିଲି । (ଫଟୋରେ ୧୯୮୭ରେ ଜୋ ଓ ଜିଲ୍)

ସେହି ଅଘଟଣ ପରେ ଜୋ ଓ ଜିଲ୍ ଦୁହେଁ ଏକାଠି ପରିବାର ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ ଓ ସମଗ୍ର ବାଇଡେନ ପରିବାର ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଚାଲିଥିଲା । ବିଉଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ହଣ୍ଟର୍ ଏକ ସାକ୍ଷାତକାରରେ ତାଙ୍କ ପିତାଙ୍କ ମୌଳିକ ନିୟମ ବିଷୟରେ କହିଥିଲେ, ‘‘ତାଙ୍କ ପାଇଁ ପରିବାର ଆଗେ, ତା’ ପରେ ଅନ୍ୟ କିଛି । ଏହା ସବୁ ବେଳେ ତାଙ୍କ କାର୍ଯ୍ୟକଳାପରେ ପ୍ରତିଫଳିତ ହୁଏ ।’’