ଏହି ସମଗ୍ର ମାମଲାର ତଦନ୍ତର ଅଷ୍ଟମ ଦିନରେ ସିବିଆଇ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ (Rhea Chakraborty) ପ୍ରଥମ ଥର ପଚରାଉଚରା ପାଇଁ ଡାକିଥିଲା। କ୍ରମାଗତ ଚତୁର୍ଥ ଦିନ ସିବିଆଇର ପ୍ରଶ୍ନର ଉତ୍ତର ଦେବାକୁ ଆଜି ରିୟା ଚକ୍ରବର୍ତ୍ତୀ DRDO ଗେଷ୍ଟ ହାଉସରେ ପହଞ୍ଚିଥିଲେ । ରିୟାଙ୍କ ସହ ୨୬ ଘଣ୍ଟାରୁ ଅଧିକ ସମୟ ଧରି ସିବିଆଇ ପଚରାଉଚରା କରିବା ପରେ ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ସିବିଆଇ ଟିମ୍ ତାଙ୍କୁ କେବେ ଗିରଫ କରିବ ।
ସିବିଆଇ ପାଇଁ ସବୁ ଠାରୁ ବଡ ଚ୍ୟାଲେଞ୍ଜ ହେଉଛି ଏହି ମାମଲାରେ ଜଡ଼ିତ ସାକ୍ଷୀମାନଙ୍କ ବିବୃତ୍ତି । ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିବା ଦିନ ଠାରୁ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି ଓ ତାଙ୍କ କୁକ୍ ନୀରଜଙ୍କ ସହ ପଚରାଉଚରା କରୁଛି । ତେବେ ଏ ପର୍ଯ୍ୟନ୍ତ କୌଣସି ସାକ୍ଷୀ ନିଜ ବିବୃତ୍ତିରେ ସ୍ଥିର ହୋଇ ରହିନାହାଁନ୍ତି । ୧୩ ଜୁନ୍ ଓ ୧୪ ଜୁନରେ ସୁଶାନ୍ତଙ୍କ ଫ୍ଲାଟରେ କ’ଣ ଘଟିଥିଲା ସେ ବିଷୟରେ ସମସ୍ତଙ୍କ ବିବୃତ୍ତିରେ ପାର୍ଥକ୍ୟ ଅଛି ।
ସିବିଆଇ ଏହି ସାକ୍ଷୀମାନଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତିକୁ ବୁଝିବାରେ ଅସମର୍ଥ ହେଉଛି ଓ ଜାଣି ପାରୁନାହିଁ କାହାର ବିବୃତ୍ତିକୁ ସଠିକ୍ ବୋଲି ବିଚାର କରାଯିବ ଓ କାହାର ବିବୃତ୍ତି ମିଥ୍ୟା । ଏଭଳି ପରିସ୍ଥିତିରେ ଏକ ପଲିଗ୍ରାଫ୍ ଟେଷ୍ଟ୍ କରାଯାଏ, ଯାହା ସିବିଆଇ କରିବ ବୋଲି କହିଛି । ଖବର ମିଳୁଛି ଯେ ସିବିଆଇ ରିୟାଙ୍କ ପଲିଗ୍ରାଫ୍ ପରୀକ୍ଷା ଶୀଘ୍ର କରିପାରେ ।
ଯଦି ରିୟା ପ୍ରକୃତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥାଆନ୍ତି ତେବେ ସିବିଆଇ ପାଖରେ ସବୁ ଠାରୁ ବଡ ଅସ୍ତ୍ର ହୋଇଥାନ୍ତି ସୁଶାନ୍ତଙ୍କ ଆଟୋପ୍ସି, ଭିସେରା ଓ ଫରେନସିକ୍ ଯାଞ୍ଚ ରିପୋର୍ଟ । ହେଲେ ଯେହେତୁ ଘଟଣା ଘଟିବାର ଦୁଇ ମାସ ପରେ ସିବିଆଇକୁ ଏହି ମାମଲା ଦିଆଯାଇଛି ଓ ପୂର୍ବ ତଦନ୍ତ ଉପରେ ଅନେକ ପ୍ରଶ୍ନ ଉଠିଛି, ଏଭଳି ପରିସ୍ଥିତିରେ ସିବିଆଇକୁ ଏହି ରିପୋର୍ଟଗୁଡ଼ିକରୁ କିଛି ତଥ୍ୟ ମିଳିବ ନାହିଁ ।