ଜଣେ ୨୫-ବର୍ଷୀୟା ଭାରତୀୟ ଯୁବତୀଙ୍କୁ ମେକ୍ସିକୋରେ ହତ୍ୟା କରାଯାଇଛି । ପେଶାରେ ଇଞ୍ଜିନିୟର୍ ଥିବା ଅଞ୍ଜଳି ରୟୋତ (Anjali Rayot) ନାମ୍ନୀ ଏହି ଯୁବତୀ ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାର ମୂଳ ବାସିନ୍ଦା ଥିଲେ ବୋଲି ଜଣାପଡି଼ଛି । ସୂଚନା ଅନୁସାରେ ମେକ୍ସିକୋର ଟୁଲୁମ୍ ରିସର୍ଟରେ ହୋଇଥିବା ଏକ ଗୁଳିକାଣ୍ଡରେ ଅଞ୍ଜଲି ରାୟୋତଙ୍କ ଦେହରେ ଗୁଳି ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଥିଲା (Anjali Rayot murder) । ଅଞ୍ଜଳି ହିମାଚଳ ପ୍ରଦେଶର (Himachal Pradesh) ସୋଲନରେ ହାଉସିଂ ବୋର୍ଡ କଲୋନୀର ବାସିନ୍ଦା ଥିଲେ । ତାଙ୍କ ପିତାଙ୍କ ନାମ କେ.ଡି. ରୟୋତ । ଅଞ୍ଜଳି ବିବାହିତା ଥିଲେ ଓ ଆମେରିକାରେ ରହୁଥିଲେ । ଶୁଟ୍ଆଉଟ୍ (ଗୁଳିକାଣ୍ଡ) ଦିନ ଅଞ୍ଜଳିଙ୍କ ଜନ୍ମ ଦିନ ଥିଲା ଓ ସେ ଜନ୍ମ ଦିନ ପାଳନ କରିବାକୁ ଆମେରିକାରୁ ମେକ୍ସିକୋ ଯାଇଥିଲେ । ସୂଚନା ଅନୁସାରେ କାରିବିଆନ୍ ଉପକୂଳରେ ଥିବା ଟୁଲୁମ୍ ରିସର୍ଟରେ ଅଞ୍ଜଳି ରାତ୍ରୀ ଭୋଜନ କରୁଥିବା ସମୟରେ ଦୁଇଟି ଗ୍ୟାଙ୍ଗ୍ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା ଓ ତାଙ୍କ ଦେହରେ ଗୁଳି ଲାଗିଥିଲା । ସେ ସେଇଠି ପ୍ରାଣ ହରାଇଥିଲେ । ଏହି ଦୁଃଖଦ ଘଟଣାର ଦୁଇ ଦିନ ପୂର୍ବରୁ ଅଞ୍ଜଳି ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସମୁଦ୍ର କୂଳରେ ବୁଲୁଥିବାର ଏକ ଭିଡିଓ ବି ପୋଷ୍ଟ କରିଥିଲେ । ଅଞ୍ଜଳି ଆମେରିକାରେ ଖୁସିରେ ରହୁଥିଲେ । ସେ ଜଣେ ଇଞ୍ଜିଜିନିୟର ହେବା ବ୍ୟତୀତ ଏକ ଟ୍ରାଭେଲ୍ ବ୍ଲଗର୍ ଭାବରେ ବି ବହୁତ ପ୍ରସିଦ୍ଧ ଥିଲେ । ସେ ଦେଶ ତଥା ବିଦେଶରେ ପର୍ଯ୍ୟଟନ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟ ବିଷୟରେ ନିଜ ବ୍ଲଗରେ ଲେଖୁଥିଲେ । କିନ୍ତୁ ସେ ଜାଣି ନ ଥିଲେ ଯେ ଏ ଥର ସେ ଯେଉଁଠାକୁ ପରିଦର୍ଶନ କରିବାକୁ ଆସିଛନ୍ତି ତାହା ତାଙ୍କର ଶେଷ ଯାତ୍ରା ହେବ । ସେହି ଗୁଳି ବିନିମୟରେ ଅଞ୍ଜଳିଙ୍କ ସମେତ ଦୁଇ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ଅକ୍ଟୋବର୍ ୨୩ ରାତିରେ ଏହି ଗୁଳି ବିନିମୟ ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେଥିରେ ଅଞ୍ଜଳି ପ୍ରାଣ ହରାଇଥିଲେ । କୁହାଯାଉଛି ଯେ ଗୁଳି ବିନିମୟ ପରେ ଅଞ୍ଜଳିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ଆହତ ମହିଳାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ।