
ବ୍ରିସବେନ ଟେଷ୍ଟର ପ୍ରଥମ ଦିନରେ ଦ୍ରୁତ ବୋଲର ନବଦୀପ ସୈନି (Navdeep Saini) ଆହତ ହୋଇଥିଲେ । ବୋଲିଂ ସମୟରେ ନବଦୀପଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା । ନବଦୀପ ସୈନିଙ୍କୁ ଗ୍ରୋଇନରେ ଯନ୍ତ୍ରଣା ହୋଇଥିଲା । ଆଘାତ ପରେ ତାଙ୍କୁ ପଡ଼ିଆରୁ ବାହାରକୁ ନିଆଯାଇଥିଲା ଓ ଚିକିତ୍ସା ପରେ ସେ ପୁଣି ଫେରି ଆସିଥିଲେ, କିନ୍ତୁ ସେ ପୁଣି ଯନ୍ତ୍ରଣା ଅନୁଭବ କରିଥିଲେ । ତା’ ପରେ ସୈନିଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତାଙ୍କର ସ୍କାନିଂ କରାଯାଇଛି ।

ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ କିପର୍ ତଥା ବ୍ୟାଟ୍ସମ୍ୟାନ୍ ଆଦାମ ଗିଲକ୍ରିଷ୍ଟ କହିଛନ୍ତି ଯେ ଏତେ ସଂଖ୍ୟକ ଭାରତୀୟ ଖେଳାଳିଙ୍କ ଆଘାତର କାରଣ ଭାରତୀୟ ଟିମ୍ ଜାଣିବା ଉଚିତ୍ । ସେ କହିଛନ୍ତି ଯେ ଭାରତୀୟ ଖେଳାଳିମାନଙ୍କ ସାହସିକ ଖେଳ ଉପରେ ପ୍ରଶ୍ନ କରାଯାଇପାରିବ ନାହିଁ, କିନ୍ତୁ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳକୁ କଷ୍ଟ ଦେଇଥିବା ଖେଳାଳିମାନଙ୍କୁ ଆଘାତ ଲାଗିବାର କାରଣ ଜାଣିବା ଆବଶ୍ୟକ ।

ଏହି ସିରିଜରେ ଭାରତର ୧୦ ଜଣ ଖେଳାଳି ଆହତ ହେଲେଣି । ଆଜି ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପାଇଁ ୧୧ ଜଣ ଫିଟ୍ ଖେଳାଳି ଖୋଜି ପାଇବା ଭାରତ ପାଇଁ କଷ୍ଟସାଧ୍ୟ ଥିଲା । ଗିଲକ୍ରିଷ୍ଟ ଫକ୍ସ ସ୍ପୋର୍ଟ୍ସକୁ କହିଛନ୍ତି, ‘‘ଏହି ଭ୍ରମଣ ସମୟରେ ସେମାନେ (ଭାରତୀୟ ଖେଳାଳିମାନେ) ଯେମିତି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥିଲେ ତାହା ଉଲ୍ଲେଖନୀୟ । କାହିଁକି ଏତେ ଜଣ ଖେଳାଳି ଆହତ ହେଲେ ସେମାନେ ତାହା ଜାଣିବା ଉଚିତ୍ ।’’

ଶୁକ୍ରବାର ଦିନ ଭାରତୀୟ ଦଳ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଥିଲା ଯେତେବେଳେ ଦ୍ରୁତ ବୋଲର ନବଦୀପ ସୈନିଙ୍କୁ ଆଘାତ ପାଇଥିଲେ ଓ ତାଙ୍କୁ ପଡ଼ିଆ ଛାଡିବାକୁ ପଡ଼ିଥିଲା । ଅନେକ ଖେଳାଳିଙ୍କ ଆଘାତ ସତ୍ତ୍ୱେ ଭାରତ ଏ ପର୍ଯ୍ୟନ୍ତ ସିରିଜକୁ ୧-୧ରେ ସମାନ ରଖିଛି । ଗିଲକ୍ରିଷ୍ଟ କହିଛନ୍ତି, ‘‘କିନ୍ତୁ କେହି ସେମାନଙ୍କର ଆଗ୍ରହ ଓ କେବେ ହାର୍ ନ ମାନିବାର ଅଦମ୍ୟ ଇଚ୍ଛାଶକ୍ତି ଉପରେ ପ୍ରଶ୍ନ କରିପାରିବେ ନାହିଁ ।’’