ଏହି ଯୁବକଙ୍କ ନାମ ଡଃ ଶ୍ରୀକାନ୍ତ ଜିଚକର୍ ଥିଲା । ତାଙ୍କୁ ଭାରତର ସବୁଠାରୁ ଶିକ୍ଷିତ ବ୍ୟକ୍ତି କୁହାଯାଏ । ସେ ଏମ୍.ବି.ବି.ଏସ୍. ଡାକ୍ତର ଭାବରେ ନିଜର କରିଅର୍ ଆରମ୍ଭ କରିଥିଲେ । ତା’ ପରେ ନାଗପୁରରୁ ଏମ୍.ଡି. କରିଥିଲେ। ତାଙ୍କୁ ସେତେବେଳେ ଦେଶର ସବୁଠାରୁ ଭଲ ପଢୁଥିବା ବ୍ୟକ୍ତି କୁହାଯାଉଥିଲା । ତାଙ୍କର ୨୦ଟିରୁ ଅଧିକ ଡିଗ୍ରୀ ଥିଲା । ପ୍ରଥମେ ସେ ଆଇ.ପି.ଏସ୍. ହୋଇଥିଲେ । ତା’ପରେ IASରେ ଚୟନିତ ହୋଇଥିଲେ । ହେଲେ ଉଭୟ ଥର ସେ ଏହି ବଡ଼ ଚାକିରିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଜିଚକର ୧୪ ସେପ୍ଟେମ୍ବର ୧୯୫୪ରେ ଜନ୍ମଗ୍ରହଣ କରିଥିଲେ । ଲିମକା ବୁକ୍ ଅପ୍ ରେକର୍ଡ଼ସ ତାଙ୍କୁ ଦେଶର ସବୁଠାରୁ ଯୋଗ୍ୟ ବ୍ୟକ୍ତି ବୋଲି କହିଥିଲା।
୧୯୭୮ରେ ଶ୍ରୀକାନ୍ତ ଜିଚକର୍ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ । ସେ ଭାରତୀୟ ପୋଲିସ ସେବା ଅର୍ଥାତ୍ ଆଇ.ପି.ଏସ୍.ରେ ମନୋନୀତ ହୋଇଥିଲେ। ହେଲେ ସେ ଏହାକୁ ଛାଡି଼ଦେଲେ। ସେ ପୁଣି ଥରେ UPSC ପରୀକ୍ଷାରେ ବସିଥିଲେ। ଏଥର ସେ IAS ଭାବରେ ମନୋନୀତ ହୋଇଥିଲେ । ଚାରି ମାସ ପରେ ସେ ଏହି ଚାକିରିରୁ ବି ଇସ୍ତଫା ଦେଇଥିଲେ। ଏହାର କାରଣ ହେଲା ନିର୍ବାଚନରେ ଲଢ଼ିବା । ୧୯୮୦ରେ ସେ ମହାରାଷ୍ଟ୍ର ବିଧାନ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ମାତ୍ର ୨୬ ବର୍ଷ ବୟସରେ ସେ ଦେଶର ସର୍ବ କନିଷ୍ଠ ବିଧାୟକ ହୋଇଥିଲେ ।
ଶ୍ରୀକାନ୍ତ ଜିଚକର୍ ଅନ୍ୟ ଅନେକ ଡିଗ୍ରୀ ହାସଲ କରିଥିଲେ । ସେ LLM ଅର୍ଥାତ୍ ଆନ୍ତର୍ଜାତୀୟ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ତା’ପରେ DBM ଓ MBA (ବ୍ୟବସାୟ ପ୍ରଶାସନରେ ମାଷ୍ଟର୍ସ) କରିଥିଲେ । ତାଙ୍କ ପାଠ ପଢ଼ା ଏଇଠି ଶେଷ ହୋଇ ନ ଥିଲା । ଶ୍ରୀକାନ୍ତ ସାମ୍ବାଦିକତା ମଧ୍ୟ ଅଧ୍ୟୟନ କରିଥିଲେ ଓ ଏଥିରେ ସ୍ନାତକୋତ୍ତର ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତା’ପରେ ସେ ସଂସ୍କୃତରେ DLIT (ଡକ୍ଟର ଅଫ୍ ସାହିତ୍ୟ) ଡିଗ୍ରୀ ହାସଲ କରିଥିଲେ, ଯାହାକି ଯେକୌଣସି ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀ ।
ଶ୍ରୀକାନ୍ତ ଜିଚକର୍ ସମାଜ ବିଜ୍ଞାନ, ଅର୍ଥନୀତି, ଇତିହାସ, ଇଂରାଜୀ ସାହିତ୍ୟ, ଦର୍ଶନ, ରାଜନୀତି ବିଜ୍ଞାନ, ପ୍ରାଚୀନ ଭାରତୀୟ ଇତିହାସ, ପ୍ରତ୍ନତତ୍ତ୍ୱ ଓ ମନୋବିଜ୍ଞାନରେ ମଧ୍ୟ ଏମ୍.ଏ. କରିଥିଲେ । ସେ ଯୋଗ୍ୟତା ଅନୁଯାୟୀ ଏହି ସବୁ ଡିଗ୍ରୀ ମେରିଟ୍ ଅନୁସାରେ ହାସଲ କରିଥିଲେ । ଅଧ୍ୟୟନ ସମୟରେ ସେ ଅନେକ ଥର ସ୍ୱର୍ଣ୍ଣ ପଦକ ପାଇଥିଲେ । ୧୯୭୩ରୁ ୧୯୯୦ ପର୍ଯ୍ୟନ୍ତ ସେ ୪୨ଟି ବିଶ୍ୱବିଦ୍ୟାଳୟ ପରୀକ୍ଷା ଦେଇଥିଲେ।
ଶ୍ରୀକାନ୍ତ ଏଇଠି ଅଟକି ନ ଥିଲେ । ସେ ମହାରାଷ୍ଟ୍ରର ସବୁଠାରୁ ଶକ୍ତିଶାଳୀ ମନ୍ତ୍ରୀ ହୋଇଥିଲେ । ସେହି ସମୟରେ ତାଙ୍କ ପାଖରେ ୧୪ଟି ବିଭାଗ ଥିଲା । ସେ ୧୯୮୨ରୁ ୧୯୮୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ବର୍ଷ ଅର୍ଥାତ୍ ୧୯୮୬ରେ ସେ ମହାରାଷ୍ଟ୍ର ବିଧାନ ପରିଷଦର ସଦସ୍ୟ ହୋଇଥିଲେ ଓ ୧୯୯୨ ପର୍ଯ୍ୟନ୍ତ ରହିଥିଲେ । ସେ ୧୯୯୨ରୁ ୧୯୯୮ ପର୍ଯ୍ୟନ୍ତ ରାଜ୍ୟ ସଭାର ସଦସ୍ୟ ମଧ୍ୟ ଥିଲେ ।
୧୯୯୯ରେ ଡକ୍ଟର ଶ୍ରୀକାନ୍ତ ଜିଚକର ରାଜ୍ୟ ସଭା ନିର୍ବାଚନରେ ହାରିଗଲେ । ତା’ ପରେ ସେ ଯାତ୍ରା କରିବା ଉପରେ ଧ୍ୟାନ ଦେଇଥିଲେ ଓ ଦେଶର ଅନେକ ସ୍ଥାନକୁ ଯାଇ ସେଠାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଧର୍ମ ବିଷୟରେ ଭାଷଣ ଦେଇଥିଲେ । ସେ ୟୁନେସ୍କୋରେ ଭାରତର ପ୍ରତିନିଧିତ୍ୱ ବି କରିଥିଲେ। ଶ୍ରୀକାନ୍ତଙ୍କର ଦେଶର ସବୁଠାରୁ ବଡ ବ୍ୟକ୍ତିଗତ ଲାଇବ୍ରେରୀ ଥିଲା । ସେଥିରେ ୫୨,୦୦୦ରୁ ଅଧିକ ପୁସ୍ତକ ଥିଲା । ଡକ୍ଟର ଜିଚକରଙ୍କ ନାଁ ଭାରତର ସବୁଠୁ ଶିକ୍ଷିତ ବ୍ୟକ୍ତି ଭାବରେ ଲିମକା ବୁକ୍ ଅଫ୍ ରେକର୍ଡରେ ସାମିଲ୍ କରାଯାଇଥିଲା ।