ଭାରତୀୟ ବାୟୁ ସେନାର ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାୟୁ ସେନାର ମିଗ୍ ୨୧ ଫାଇଟର୍ ଜେଟ୍ ବୁଧବାର (ଅଗଷ୍ଟ ୨୫) ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାୟୁ ସେନାର କହିବା ଅନୁସାରେ ଏହି ଦୁର୍ଘଟଣା ସନ୍ଧ୍ୟା ସାଢ଼େ ୫ଟା ସମୟରେ ରାଜସ୍ଥାନର ବାଡ଼ମେରରେ ହୋଇଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ବାଡ଼ମେରର ମରୁ ଅଞ୍ଚଳରେ ଥିବା ମାତାସର ଗାଁରେ ଏକ ଚାଳ ଛପର ଘର ଉପରେ ଖସି ପଡ଼ିଥିଲା । ଏହା ଫଳରେ ବିମାନ ସହ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ହେଲେ ଏହି ଦୁର୍ଘଟଣାରେ ପାଇଲଟଙ୍କର କୌଣସି କ୍ଷତି ହୋଇ ନ ଥିଲା । ବିମାନ କ୍ରାସ୍ ହେବା ପୂର୍ବରୁ ପାଇଲଟ୍ ସୁରକ୍ଷିତ ଭାବେ ଇଜେକ୍ଟ କରିନେଇଥିଲେ । ଏହି ଦୁର୍ଘଟଣାର ତଦନ୍ତ ପାଇଁ ବାୟୁ ସେନା ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି । ଏ ସମ୍ପର୍କରେ ସୂଚନା ପାଇବା ପରେ ବାଡ଼ମେର ଜିଲ୍ଲାପାଳ ଓ ଏସ୍.ପି., ପୋଲିସ ଓ ପ୍ରଶାସନିକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବାୟୁସେନା ଅଧିକାରୀମାନେ ମଧ୍ୟ ପହଞ୍ଚି ବିମାନର ବ୍ଲାକ୍ ବକ୍ସକୁ ଉଦ୍ଧାର କରିଥିଲେ । ଦେଶରେ ଏ ଯାଏଁ ୪୮୩ଟିରୁ ଅଧିକ ମିଗ୍ -୨୧ ଫାଇଟର୍ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇସାରିଛି । ଏହି ସବୁ ଦୁର୍ଘଟଣାରେ ୧୭୦ରୁ ଅଧିକ ପାଇଲଟଙ୍କର ଜୀବନ ଯାଇଛି ।