୬୫ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ପୂର୍ବ ସଲିସିଟର ଜେନେରାଲ ହରୀଶ ସାଲଭେ; ଦେଖନ୍ତୁ PHOTOS
Harish Salve Marriage Photos: ଭାରତର ପୂର୍ବତନ ସଲିସିଟର ଜେନେରାଲ (Solicitor General) ତଥା ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ହରୀଶ ସାଲଭେ (Harish Salve) ଦ୍ୱିତୀୟ ଥର ବିବାହ କରିଛନ୍ତି । ୬୫ ବର୍ଷୀୟ ହରୀଶ ସାଲଭେ ଲଣ୍ଡନରେ ନିଜ ବ୍ରିଟିଶ ବାନ୍ଧବୀ କାରୋଲିନ ବ୍ରୋସାର୍ଡଙ୍କୁ ବିବାହ କରିଛନ୍ତି ।

ଲଣ୍ଡନରେ ଆୟୋଜିତ ବିବାହର ଏହି ଛୋଟ ସମାରୋହରେ କେବଳ ୧୫ ଜଣ ବିଶେଷ ବ୍ୟକ୍ତି ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରେ ଉଭୟ ପରିବାରର ଲୋକ ଓ କିଛି ବିଶେଷ ବନ୍ଧୁ ଥିଲେ । ଏହି ବର୍ଷର ଆରମ୍ଭରେ ହରୀଶ ସାଲଭେ ୩୮ ବର୍ଷ ଧରି ତାଙ୍କ ଜୀବନ ସାଥୀ ଥିବା ମୀନାକ୍ଷୀ ସାଲଭେଙ୍କୁ ଛାଡ଼ପତ୍ର ଦେଇଥିଲେ । ହରୀଶ ଓ ମୀନାକ୍ଷୀଙ୍କ ଦୁଇଟି ଝିଅ (ସାକ୍ଷୀ ଓ ସାନିଆ) ଅଛନ୍ତି ।

ହରୀଶ ସାଲଭେଙ୍କ ପରି କାରୋଲିନ୍ ବ୍ରୋସର୍ଡଙ୍କର (Caroline Brossard) ବି ଏହା ଦ୍ୱିତୀୟ ବିବାହ । ୫୬ ବର୍ଷୀୟା କାରୋଲିନ ଜଣେ ବ୍ରିଟିଶ କଳାକାର । ତାଙ୍କର ପୂର୍ବ ବିବାହରୁ ଏକ ଝିଅ ବି ଅଛି ।

ଖବର ଅନୁଯାୟୀ କାରୋଲିନ୍ ଏକ କଳା ପ୍ରଦର୍ଶନୀରେ ହରୀଶ ସାଲଭେଙ୍କୁ ପ୍ରଥମ ଥର ଭେଟିଥିଲେ । ଧୀରେ ଧୀରେ ଦୁହିଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା ଓ ଶେଷରେ ଦୁହେଁ ପରସ୍ପରକୁ ଜୀବନ ସାଥୀ ଭାବରେ ଗ୍ରହଣ କଲେ ।

<br />ବରିଷ୍ଠ ଓକିଲ ହରୀଶ ସାଲଭେ ଦେଶର ଅନ୍ୟତମ ଦାମୀ ଓକିଲ । ସେ ପାକିସ୍ତାନର ଜେଲରେ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କ ମାମଲାରେ ଅନ୍ତର୍ଜାତୀୟ କୋର୍ଟରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୋର୍ଟରେ ଥରୁଟିଏ ଶୁଣାଣି ପାଇଁ ସେ ପ୍ରାୟ ୫ ଲକ୍ଷ ଟଙ୍କା ପାଉଣା ନିଅନ୍ତି ।

୨୨ ଜୁନ୍ ୧୯୫୫ରେ ମହାରାଷ୍ଟ୍ରରେ ଜନ୍ମ ହୋଇଥିବା ସାଲଭେ ମୂଳତଃ ନାଗପୁରର ବାସିନ୍ଦା । ତାଙ୍କ ଜେଜେବାପା ପି.କେ. ସାଲଭେ ମଧ୍ୟ ଜଣେ ବଡ଼ ଅପରାଧ ଓକିଲ ଥିଲେ । ତାଙ୍କ ପିତା ଏନ୍.କେ.ପି. ସାଲଭେ ଭାରତରେ କ୍ରିକେଟ୍ ବୋର୍ଡର ସଭାପତି ଥିଲେ । ନିଜ କରିଅର୍ ଆରମ୍ଭରେ ହରୀଶ ସାଲଭେ ନିଜ ଟ୍ୟାକ୍ସ ଓକିଲ ଆଈଙ୍କ ପାଇଁ ଜୁନିଅର୍ କର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ ଓ ଆଇନଗତ କଳାକୌଶଳ ଶିଖିଥିଲେ ।

୧୯୭୬ ମସିହାରେ ସେ ଭେଟେରାନ ଆଡଭୋକେଟ ସୋଲି ସୋରାବଜୀଙ୍କ ତତ୍ତ୍ୱାବଧାନରେ ଆଇନ୍ ଅଭ୍ୟାସ ଆରମ୍ଭ କରିଥିଲେ । ପରେ ସେ ଦିଲ୍ଲୀରେ ପହଞ୍ଚି ସୁପ୍ରିମ କୋର୍ଟରେ ଅଭ୍ୟାସ ଆରମ୍ଭ କରିଥିଲେ । ୧୯୯୨ରେ ସେ ସୁପ୍ରିମ କୋର୍ଟରୁ ସିନିୟର ଆଡଭୋକେଟ୍ ଆଖ୍ୟା ପାଇଥିଲେ। ୧୯୯୯ ମସିହାରେ ତାଙ୍କୁ ଜଣେ ସଲିସିଟର ଜେନେରାଲ୍ କରାଯାଇଥିଲା । ୨୦୦୨ ମସିହାରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ଏହି ପଦ ଦିଆଯାଇଥିଲେ ବି ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । (ସବୁ ଫଟୋ: ସୌଜନ୍ୟ ଟ୍ୱିଟର୍)