ବିଡ୍ ଜିଲ୍ଲାର ଅଧିକାଂଶ ଲୋକମାନେ ଚାଷକୁ ମୁଖ୍ୟ ଜୀବୀକା ଭାବରେ ଗ୍ରହଣ କରିଥାନ୍ତି । ଅନେକ ସମୟରେ ଏହି ସ୍ଥାନରେ ମରୁଡିର ସମ୍ମୁଖୀନ ହୋଇଥାନ୍ତି ଚାଷୀମାନେ । କିଛି କୃଷକ ଆଧୁନିକ ପ୍ରଣାଳୀରେ ଚାଷ କରି ଅଧିକ ଲାଭ ପାଇଥାନ୍ତି । ବିଡ୍ ତାଲୁକା ଅଞ୍ଚଳର ଜଣେ ଚାଷୀ ମୂଳା ଚାଷ କରି ଭଲ ଲାଭ ପାଇଛନ୍ତି । କ୍ଷେତରେ ସେ ଚାଷ କରିଥିବା ମୂଳାର ଓଜନ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଗୋଟିଏ ମୂଳାର ଓଜନ ପାଖାପାଖି ୫କିଲୋରୁ ଅଧିକ । ଖବର ପ୍ରଚାରିତ ହେବାପରେ ନିକଟ ଅଞ୍ଚଳରୁ ଅନେକ ବ୍ୟକ୍ତି ଏପରି ମୂଳା ଦେଖିବାକୁ କ୍ଷେତ ନିକଟକୁ ଆସିଥିଲେ । ଏଥିସହ ମୂଳା ଚାଷ ସମ୍ପର୍କରେ ପଚାରି ବୁଝିଥିଲେ । କୋଲେୱାଡିର ଜିଆଣ୍ଡେଭ୍ ନାମକ ଚାଷୀ ଜଣକ କ୍ଷେତରେ କଦଳୀ, ପନି ପରିବା ସମେତ ଚିନାବାଦାମ ମଧ୍ୟ ଚାଷ କରିଥାନ୍ତି । ତେବେ ସେ ଆଗରୁ ବାଦାମ ଫସଲରେ ମୂଳା ମଞ୍ଜି ବୁଣିଦେଉଥିଲେ । କିନ୍ତୁ ଚଳିତ ଥର ସେ ମୂଳା ଫସଲକୁ ଅଲଗା ଏକ ଜମିରେ କରିବା ପାଇଁ ଚିନ୍ତା କରିଥିଲେ । ପ୍ରାୟ ଅଧ ଗୁଣ୍ଠ ଜମିରେ ମୂଳା ଚାଷ କରିଥିଲେ ଚାଷୀ ଜଣକ । କିନ୍ତୁ ମୂଳାର ଆକାର ସଭିଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସାଧାରଣ ମୂଳାଠାରୁ ଆକାରରେ ବଡ଼ ଥିବା ମୂଳା ବିଷୟରେ ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ୫କିଲୋରୁ ଅଧିକ ଓଜନ ଥିବା ମୂଳା ସଂଖ୍ୟା ଥିଲା ୧୫ଟି । ଚାଷୀଙ୍କ ସଫଳତା ଦେଖିବା ପରେ କୃଷି ବିଶେଷଜ୍ଞମାନେ ଉକ୍ତ କ୍ଷେତକୁ ପରିଦର୍ଶନରେ ଯାଇଥିଲେ । ତେବେ ମୂଳାର ଆକାର ବଡ଼ ହେବାର କାରଣ କହିଥିଲେ କୃଷି ବିଶେଷଜ୍ଞ । ଚାଷୀଙ୍କୁ ପଚାରି ସେ ବୁଝିଥିଲେ ଯେ, ମୂଳା ଲଗାଇବା ପରେ ଚାଷୀ ଜଣକ ଜୈବିକ ସାର ପ୍ରୟୋଗ କରିଥିଲେ । ଗୋବର ଖତ ଏବଂ ସୁପରଫସଫେଟ୍ ସାର ମଧ୍ୟ ବ୍ୟବହାର କରିଥିଲେ । ଏଥିସହ ଚାଷ ଜମିରେ ନିୟମିତ ପାଣି ମଧ୍ୟ ଦେଉଥିଲେ ।