ମନୋରଞ୍ଜନ ଜଗତ ସହ ଜଡି଼ତ ଲୋକମାନଙ୍କ ପାଇଁ ନିଜକୁ ଫିଟ୍ ରଖିବା ଓ ନିଜ ରୂପ ପ୍ରତି ଧ୍ୟାନ ଦେବା ସବୁ ବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେମାନେ ନିଜ ମୁହଁ ଓ ବାହ୍ୟ ସୌନ୍ଦର୍ଯ୍ୟ ବଜାୟ ରଖିବାକୁ ସବୁ ବେଳେ ଚେଷ୍ଟା କରନ୍ତି କାରଣ ସେମାନେ ଲକ୍ଷ ଲକ୍ଷ ଲୋକଙ୍କ ସାମ୍ନାରେ ନିଜକୁ ଉପସ୍ଥାପନ କରନ୍ତି । ନିକଟରେ ତାମିଲ୍ ଅଭିନେତ୍ରୀ ରାଇଜା ୱିଲସନ (Raiza Wilson) ଜଣେ ଡାକ୍ତରଙ୍କ ଦ୍ୱାରା ନିଜ ମୁହଁ ଚିକିତ୍ସା (facial treatment) କରାଇଥିଲେ । ଯଦିଓ ମନୋରଞ୍ଜନ ଜଗତ ସହ ଜଡି଼ତ ଲୋକମାନଙ୍କ ପାଇଁ ଏହା ସାଧାରଣ କଥା, କିନ୍ତୁ ରାଇଜା ୱିଲସନଙ୍କୁ ଏହି ମୁହଁ ଚିକିତ୍ସା (Raiza Wilson Facial Treatment) ଖୁବ୍ ମହଙ୍ଗା ପଡ଼ିଥିଲା । ସେଇଥି ପାଇଁ ବର୍ତ୍ତମାନ ସେ ଚର୍ଚ୍ଚାରେ ଅଛନ୍ତି ।
ତାମିଲ ଅଭିନେତ୍ରୀ ରାଇଜା ୱିଲସନ (Tamil Actress Raiza Wilson) ଡାକ୍ତରଙ୍କ ଦ୍ୱାରା ମୁଖ ଚିକିତ୍ସା (Facial Treatment) କରାଇବା ପରେ ଦେଖିଲେ ଯେ ସେହି ଚିକିତ୍ସା ତାଙ୍କ ମୁହଁରେ ଖରାପ ପ୍ରଭାବ ପକାଇଛି । ତାଙ୍କ ମୁହଁ ଫୁଲିଯାଇଥିଲା । ସେ ନିଜ ଖରାପ ଦିଶୁଥିବା ମୁହଁର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର୍ କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।
ରାଇଜା ୱିଲସନ ନିଜ ଫଟୋ ଶେୟାର୍ କରି ଲେଖିଛନ୍ତି, ‘‘ମୁଁ ଡାକ୍ତରାଣୀ ଭୈରବୀ ସେନ୍ଥିଲଙ୍କ ନିକଟକୁ ଏକ ସାଧାରଣ ମୁଖ ଚିକିତ୍ସା ପାଇଁ ଯାଇଥିଲି । ସେ ଗୋଟିଏ ଅଲଗା ପ୍ରକ୍ରିୟାରେ ଏହା କରିବା ପାଇଁ ମୋ’ ଉପରେ ଜୋର୍ ଦେଇଥିଲେ । ମୋ’ର ସେହି ପଦ୍ଧତିର ଆବଶ୍ୟକତା ନ ଥିଲା, କିନ୍ତୁ ସେ ଏହା କରିବାକୁ ମୋତେ ବାଧ୍ୟ କରିଥିଲେ । ଏବେ ଏହା ହେଉଛି ସେହି ଚିକିତ୍ସାର ଫଳ । ସେ ଏବେ ମୋତେ ଦେଖା କରୁନାହାଁନ୍ତି ଓ ମୋ’ ସହ କଥା ବି ହେଉନାହାନ୍ତି । ତାଙ୍କ କର୍ମଚାରୀମାନେ କହୁଛନ୍ତି ଯେ ସେ ସହର ବାହାରେ ଅଛନ୍ତି ।’’ ରାଇଜା କିଛି ସ୍କ୍ରିନସଟ୍ ମଧ୍ୟ ଶେୟାର୍ କରିଛନ୍ତି ଯେଉଁଥିରେ ଲୋକେ ସେହି ଡାକ୍ତରଙ୍କ ବିଷୟରେ ଖରାପ କଥା କହୁଥିବା ଦେଖାଯାଇଛି । ଲୋକେ କହୁଛନ୍ତି ଯେ ଏହା ପୂର୍ବରୁ ବି ଏମିତି ଘଟଣା ଘଟିଛି ଓ ଡାକ୍ତରାଣୀଙ୍କ ଚାପ ଯୋଗୁଁ ଲୋକଙ୍କ ମୁହଁ ଖରାପ ହୋଇଯାଇଛି ।