ବେଙ୍ଗାଲୁରୁରେ (Bengaluru) ଜନ୍ମ ଗ୍ରହଣ କରିଥିବା (Ramya) ଓରଫ ଦିବ୍ୟା ସ୍ପନ୍ଦନା (Divya Spandana) ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ ଓ ରାଜନୈତିକ ନେତ୍ରୀ । ସେ କନ୍ନଡ଼ ଫିଲ୍ମରେ ଅଧିକ ଅଭିନୟ କରିଛନ୍ତି । ସେ କିଛି ତାମିଲ୍ ଓ ତେଲୁଗୁ ଫିଲ୍ମରେ ବି କାମ କରିଛନ୍ତି । ରମ୍ୟା ୨୦୦୩ରେ ପୁନୀତ ରାଜକୁମାରଙ୍କ ସହ କନ୍ନଡ଼ ଫିଲ୍ମ ‘ଅଭି’ରେ (Kannada Film Abhi) ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ଦୁଇ ଥର କନ୍ନଡ଼ ଫିଲ୍ମ ଫେୟାର୍ ପୁରସ୍କାର ବି ଜିତିଛନ୍ତି । ରମ୍ୟା ୨୦୧୩ରେ ଏକ ଉପ-ନିର୍ବାଚନରେ ଜିତି କର୍ଣ୍ଣାଟକର (Karnataka) ମାଣ୍ଡ୍ୟା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ସାଂସଦ ହୋଇଥିଲେ । ସେ ୨୦୧୪ ସାଧାରଣ ନିର୍ବାଚନରେ ମାଣ୍ଡ୍ୟାରେ ପୁଣି ଛିଡ଼ା ହୋଇଥିଲେ, କିନ୍ତୁ ୫,୫୦୦ ଭୋଟରେ ହାରିଯାଇଥିଲେ । ରମ୍ୟା କଂଗ୍ରେସ ଦଳର ଡିଜିଟାଲ୍ ମିଡି଼ଆ ଟିମର ନେତୃତ୍ୱ ନେଉଥିଲେ । ସୋସିଆଲ୍ ମିଡି଼ଆରେ ନିଜ ରାଜନୈତିକ ଦଳ କଂଗ୍ରେସର ଭାବମୂର୍ତ୍ତି ବଦଳାଇଥିବା ଯୋଗୁଁ ତାଙ୍କୁ ଯଥେଷ୍ଟ ଶ୍ରେୟ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ରାଜନୀତି ଛାଡି଼ବାକୁ ସେ ନିଷ୍ପତ୍ତି ନେଇଥିବାରୁ ଅନେକ ଆଶ୍ଚର୍ଯ୍ୟ ହୋଇଛନ୍ତି । ରମ୍ୟା ଜାତୀୟ ସ୍ତରରେ କଂଗ୍ରେସ ଦଳର ସୋସିଆଲ୍ ମିଡି଼ଆ ଇନ୍-ଚାର୍ଜ ଥିଲେ । ବିଜେପି ନେତା ବିଶେଷ କରି ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି ସେ ପ୍ରାୟତଃ ଚର୍ଚ୍ଚାରେ ରହୁଥିଲେ । ସେ ଏହାକୁ ନେଇ ଅନେକ ଥର ବିବାଦରେ ବି ଥିଲେ । ଯଦିଓ ରମ୍ୟା ୨୦୧୯ ଲୋକସଭା ନିର୍ବାଚନ ପରେ କଂଗ୍ରେସଠାରୁ ଟିକେ ଦୂରଇ ଯାଇଥିବା ପରି ମନେ ହେଉଥିଲା, ହେଲେ ସେ ରାଜନୀତିରୁ ସମ୍ପୂର୍ଣ୍ଣ ଦୂରେଇଯିବେ ବୋଲି କେହି ଭାବି ନ ଥିଲେ । ରମ୍ୟାଙ୍କୁ ସୋସିଆଲ୍ ମିଡି଼ଆରେ ତାଙ୍କ ବିବାହ ଉପରେ ମଧ୍ୟ ପ୍ରଶ୍ନ କରାଯାଇଥିଲା । ଉତ୍ତରରେ ସେ କହିଥିଲେ, ‘‘ମୁଁ ସବୁବେଳେ ବିବାହ, ବିବାହ ବୋଲି କହୁଥାଏ, ହେଲେ ବିବାହ ତ ଦୂରର କଥା, ମୁଁ କାହା ସହିତ ଡେଟ୍ ବି କରିନାହିଁ ।’’ ତେଲୁଗୁ ନିର୍ଦ୍ଦେଶକ କୋଡି ରାମକୃଷ୍ଣଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ନାଗରହୁଭୁ’ ରମ୍ୟାଙ୍କ ଶେଷ ଫିଲ୍ମ ଥିଲା । ତା’ ପରେ ସେ ରାଜନୀତିରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଥିଲେ । ହେଲେ ଏବେ ସେ ରାଜନୀତିକୁ ବି ଗୁଡ୍ ବାୟ କହିଛନ୍ତି ।