
ଏକ ଷଣ୍ଢ ଏକ ଘରର ତୃତୀୟ ମହଲାକୁ ଚଢ଼ିଗଲା ଓ ଲୋକଙ୍କୁ ନାକେଦମ୍ କଲା । ତିନି ଘଣ୍ଟାର କଠିନ ପରିଶ୍ରମ ପରେ ତାକୁ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ପ୍ରଶାସନର ସାହାଯ୍ୟ ମିଳି ନ ଥିଲେ ଷଣ୍ଢକୁ ସୁରକ୍ଷିତ ତଳକୁ ଆଣିବା ଅସମ୍ଭବ ହୋଇଥା’ନ୍ତା ।

ଏହି ଅଭାବନୀୟ ଘଟଣା ଘଟିଛି ହରିୟାଣାର ଜିନ୍ଦ ଜିଲ୍ଲାରେ । ସେଠାକାର ପୁରୁଣା ଶସ୍ୟ ବଜାରର ଷଣ୍ଢଟି ହଠାତ୍ ଗୋଟେ ଘରର ଛାତ ଉପରକୁ ଚଢ଼ିଯାଇଥିଲା । ଆତଙ୍କିତ ଲୋକେ ତୁରନ୍ତ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ଏହାର ସୂଚନା ଦେଇଥିଲେ।

ଘଟଣା ସ୍ଥଳରେ ପହଞ୍ଚିଥିବା ପଶୁପାଳନ ବିଭାଗର ଡାକ୍ତର କହିଛନ୍ତି ଯେ ଘରର ତୃତୀୟ ମହଲାର ଛାତ ଉପରେ ଷଣ୍ଢ ଚଢ଼ିଯାଇଥିବାର ଖବର ମିଳିବା ପରେ ସେ ଟିକାକରଣ ପାଇଁ ପ୍ରସ୍ତୁତି କାମ ଛାଡ଼ି ସେଠାରେ ପହଞ୍ଚିଥିଲେ । ସେ କହିଥିଲେ ଯେ ପ୍ରଥମେ ଷଣ୍ଢକୁ ନିଶା ଦ୍ରବ୍ୟ ଦେଇ ନିସ୍ତେଜ କରାଯାଇଥିଲା ଓ ତା’ପରେ ସାଧାରଣ ଜନତାଙ୍କ ସାହାଯ୍ୟରେ ତାକୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିଲା ।

ଘରଟି ବହୁତ ପୁରୁଣା ଥିବାରୁ ସେହି ଘରର ଛାତରୁ ଷଣ୍ଢକୁ ସୁରକ୍ଷିତ ଭାବେ ରକ୍ଷା କରିବା ଅତି ବିପଦଜନକ ଥିଲା । ଅନେକ ଲୋକ ସେହି ଛାତ ଉପରେ ଚଢ଼ିବା ଆରମ୍ଭ କରିଥିଲେ । ସେମାନଙ୍କୁ ରୋକାଯାଇଥିଲା ଓ ଷଣ୍ଢର ଚାରି ପାଖରେ ପଟା ବାନ୍ଧି ତାକୁ ତଳକୁ ଅଣାଯାଇଥିଲା ।