ନବମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ନାୟକଙ୍କ ଦ୍ବାରା ପ୍ରସ୍ତୁତ ଡ୍ରୋନ୍ 'ମାଭିକ୍' ଏକ ମିରାକ୍ଲ୍ ବୋଲି ଦର୍ଶାଇ ଆମେରିକାର ନାସା ସ୍ପେସ୍ ସେଟେଲମେଣ୍ଟ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ତାଙ୍କୁ ଡାକରା ଆସିଛି । ଏଇ ଡ୍ରୋନ୍ ପ୍ରାୟ 25 କିମି ଦୁରତା ପର୍ଯ୍ୟନ୍ତ ଯାଇ ପାରିବ ଏବଂ ଦୀର୍ଘ ସମୟ ଆକାଶରେ ଉଡ଼ି ପାରିବ । ପ୍ରାୟ 15 କେଜି ଓଜନ ଜିନିଷ ବୋହି ପାରିବ । ଶୁଭ୍ରାଂଶୁଙ୍କ ଏହି କୃତୀତ୍ବ ପାଇଁ ତାଙ୍କ ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ସମସ୍ତେ ଗର୍ବିତ ଓ ଆନନ୍ଦିତ । ଚାରିଆଡ଼ୁ ଛୁଟିଛି ଅଭିନନ୍ଦନର ସୁଅ । ଶୁଭ୍ରାଂଶୁ ଅନୁଗୁଳରେ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ୍ରେ ନବମ ଶ୍ରେଣୀରେ ପଢ଼ନ୍ତି । ସ୍କୁଲ ସ୍ତରରେ ହେଉଥିବା ବିଜ୍ଞାନ ପ୍ରତିଯୋଗିତାରେ ନୂଆ ନୂଆ ପ୍ରକଳ୍ପ ତିଆରି କରି ସବୁବେଳେ ପ୍ରଶଂସିତ ତଥା ପୁରସ୍କୃତ ହୋଇଚନ୍ତି ଶୁଭ୍ରାଂଶୁ । ଏଥର ଏକ ଡ୍ରୋନ୍ ତିଆରି କରି ସେ ନାସାର ଔେବସାଇଟ୍କୁ ପଠାଇ ଥିଲେ । ସେଠାରେ ତାଙ୍କ ମଡ଼େଲ୍ ବେଶ୍ ଆଦୃତ ହୋଇଥିଲା । ବାପା ଲକ୍ଷ୍ମଣ ନାୟକ ଓ ମା ସୁଲୋଚନା ନାୟକଙ୍କ ସହ ତାଙ୍କ ଏକମାତ୍ର ସନ୍ତାନ ଶୁଭ୍ରାଂଶୁ । ସେମାନେ ଅନୁଗୁଳ ସହର ଉପକଣ୍ଠ ହୁଲୁରୁସିଂହାର ଏକ ବସ୍ତିରେ ବସବାସ କରନ୍ତି । ଶୁଭ୍ରାଂଶୁଙ୍କ ବାପା ଲକ୍ଷ୍ମଣ ପୁରୁଣା ସିମେଣ୍ଟ୍ ବସ୍ତାରେ ବ୍ୟାଗ୍ ତିଆରି କରି ବିକ୍ରି କରି ପରିବାର ଚ଼ଳାନ୍ତି । ସେହି କାମରେ ସ୍ତ୍ରୀ ସୁଲୋଚନା ସହାୟତା କରନ୍ତି । ଏକ ଗରିବ ପରିବାର ତଥା ଅଖ୍ୟାତ ବସ୍ତିରେ ଜନ୍ମ ହୋଇ ସାରା ଦେଶରେ ନାଁଆ କରିବାକୁ ଯାଉଛନ୍ତି ଶୁଭ୍ରାଂଶୁ । ପିଲାଟି ଦିନରୁ ତାଙ୍କର ରହିଛି ବିଜ୍ଞାନ ପ୍ରତି ଅହେତୁକ ଆଗ୍ରହ । ଘରେ କିଛି ନା କିଛି ନୂଆ ନୂଆ ଜିନିଷ କରିବା ତାଙ୍କର ଅଭ୍ୟାସ । ସବୁ ଦିନ ଘରୁ ସାଇକେଲ ଚଢ଼ି ଶୁଭ୍ରାଂଶୁ ସ୍କୁଲ୍ ଯାଆନ୍ତି । ତାଙ୍କ ପାଇଁ କେବଳ ତାଙ୍କ ପରିବାର କାହିଁକି ସାରା ବସ୍ତି ବାସିନ୍ଦା ଗର୍ବିତ । ବସ୍ତିରେ ଖୁସିର ଲହରୀ ଖେଳି ଯାଇଛି । ଶୁଭ୍ରାଂଶୁଙ୍କ ନାସା ଅଭିମୁଖେ ଯାତ୍ରା କରିବା ପାଇଁ ସରକାରୀ ସ୍ତରରେ ତାଙ୍କୁ ସମସ୍ତ ସୂଚନା ଦିଆ ଯାଇଛି । ସେଠାରେ ଭାରତର ଜଣେ ପ୍ରତିଭାବାନ ଯୁବ ବୈଜ୍ଞାନିକ ଭାବେ ସେ ନିଜର ଦକ୍ଷତା ପ୍ରଦର୍ଶନ କରିବେ । କୁନି ବୈଜ୍ଞାନିକ ଶୁଭ୍ରାଂଶୁ ନାୟକ