ଶିକ୍ଷକର କାମ ଯେ କେବଳ ପିଲାଙ୍କୁ ଭଲ ପାଠ ପଢେଇବା ତାହା ନୁହେଁ, ବରଂ ସମାଜରେ ଏକ ନାଗରିକର କର୍ତ୍ତବ୍ୟ କ’ଣ ହୋଇଥାଏ ତାହା ମଧ୍ୟ ଜଣେଇବା। ଠିକ ଏହିଭଳି କାମ କରୁଛନ୍ତି ଉତ୍ତରାଖଣ୍ଡର ଅଲ୍ମୋଡାରେ କଣ୍ଟରମ୍ୟାନ ଭାବେ ବେଶ ଜଣାଶୁଣା ଜମୁନା ପ୍ରସାଦ ତିୱାରୀ। ତେବେ ଆସନ୍ତୁ ଜାଣିନେବା ଏହି ଭିନ୍ନ ଶିକ୍ଷକ ଓ ତାଙ୍କ ମହାନତା ବିଷୟରେ। ଜମୁନା ପ୍ରସାଦ ତିୱାରୀ ହେଉଛନ୍ତି ଦ୍ୱାରାହାଟର ରାଜକୀୟ ଇଣ୍ଟର କଲେଜ ବଟୁଲିୟାର ଜୀବ ବିଜ୍ଞାନ ଶିକ୍ଷକ। ସେ ଶିକ୍ଷାଦାନ କରନ୍ତି ସତ, କିନ୍ତୁ କଣ୍ଟେନରକୁ ଡଷ୍ଟବିନ୍ କରି ସ୍ଥାନୀୟ ଅଞ୍ଚଳରେ ବିନା ମୂଲ୍ୟରେ ମଧ୍ୟ ବାଣ୍ଟନ୍ତି।
ଶିକ୍ଷାଦାନ ପରେ ତାଙ୍କୁ ଯେଉଁ ବାକି ସମୟ ମିଳେ ସେ ବାହାରି ପଡ଼ନ୍ତି ବିଭିନ୍ନ ଆଡୁ ଟିଣ ଡବା ସଂଗ୍ରହ କରିବା ନେଇ। ଏହାକୁ ଏକାଠି କଲା ପରେ କେଉଁଠି ଚେପା ଥିଲେ ବାଡ଼େଇକି ସିଧା କରନ୍ତି, ଫଟା ଥିଲେ ମରାମତି କରନ୍ତି। ସେଗୁଡ଼ିକୁ ଭଲ ଭାବେ ସଫା କରନ୍ତି ଓ ସେଥିରେ ରଙ୍ଗ ମାରନ୍ତି। ବିଶେଷ କରି ସବୁଜ ରଙ୍ଗକୁ ସେ ବ୍ୟବହାର କରନ୍ତି। ଯିଏ ଦେଖିବ ସିଏ ଭାବିବ ଯେ ସତେ ଯେପରି ଏହା ତାଙ୍କର ବେଉସା। କିନ୍ତୁ ଏସବୁ କେବଳ ସେବା ମନୋବୃତ୍ତି ନେଇ କରନ୍ତି। ଟିଣର ଚାରିପାଖେ ରଙ୍ଗ ମାରିବା ପରେ ସେ ଧଳା ରଙ୍ଗରେ ସୁନ୍ଦର ଭାବେ ସ୍ୱଚ୍ଛତାର ବାତାବରଣ ଲେଖନ୍ତି। ଏହି ଡଷ୍ଟବିନରେ ଦେଖାଯାଏ ଯେ ଗାନ୍ଧୀଙ୍କ ଚଷମାର ଚିତ୍ର ହେବା ସହ ସ୍ୱଚ୍ଛ ଭାରତ ଲେଖାଯାଇଛି। ଏହା ସହିତ ଲେଖାଯାଇଛି ମଧ୍ୟ କଣ୍ଟର ଅଭିଯାନ, ଡଷ୍ଟବିନ୍ ସୋ, ଜେ ପି ତିୱାରୀ(କଣ୍ଟରମ୍ୟାନ୍)। କେତେକରେ ଅଧିକାରୀ ଜେନେରାଲ୍ ଷ୍ଟୋର୍ ଘଟଗଡ, ଭାବନା ମଟପାଲ୍ ଧରମଗାଁଓ ମଧ୍ୟ ଲେଖାଯାଇଛି।