କାବୁଲ: ୨୩ ବର୍ଷ ପରେ ତାଲିବାନର ଶାସନ ଆଫଗାନିସ୍ତାନକୁ ପୁଣି ଫେରିଛି। ଏହାର ଖରାପ ପ୍ରଭାବ ସେଠାରେ ଥିବା ମହିଳା ଓ ବାଳିକାମାନଙ୍କ ଉପରେ ଦେଖାଯାଉଛି। ମହିଳା ଓ ବାଳିକାମାନେ ପୁନର୍ବାର ଶାରିଆ ନିୟମ ଅନୁଯାୟୀ କଠୋର ନିୟମ ପାଳନ କରିବାକୁ ବାଧ୍ୟ ହେଉଛନ୍ତି। ଦେଶ ଛାଡ଼ିବାକୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ସମୟରେ ଆଫଗାନିସ୍ତାନର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶିକା ଶାହାରା କରିମି ତାଙ୍କ ଦୁଃଖ ବଖାଣିଛନ୍ତି ।
କରିମି ପୂର୍ବରୁ ତାଲିବାନର ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସାରା ବିଶ୍ୱରେ ଚଳଚ୍ଚିତ୍ର ସମ୍ପ୍ରଦାୟକୁ ଏକ ଚିଠି ଲେଖିଥିଲେ। ତାଙ୍କ ଚିଠି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ସେ କହିଥିଲେ ଯେ ଅଗଷ୍ଟ ୧୫ରେ ସେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ସେମାନେ ଟଙ୍କା ପାଇଲେ ନାହିଁ। ହଠାତ୍ ଗୁଳିର ଶବ୍ଦ ସେ ଶୁଣିବାକୁ ପାଇଥିଲେ ।