ଜୁଲାଇ ୨୦୨୦ରେ ଦୂତୀ ନିଜ ଭଉଣୀଙ୍କ ସମଲିଙ୍ଗୀ ସମ୍ପର୍କର ବି ଖୁଲାସା କରିଥିଲେ । ବଡ଼ ଭଉଣୀ ସରସ୍ୱତୀ ଚାନ୍ଦଙ୍କର ଜଣେ ଝିଅ ସହ ସମ୍ପର୍କ ରହିଛି ବୋଲି ସେ କହିଥିଲେ । ‘‘ଆମ ଘରେ ସେ ଝିଅ ରହିବାର ମୁଁ ଦେଖିଛି । ଗାଁ ପଡ଼ୋଶୀଙ୍କ ଠାରୁ ମଧ୍ୟ ଭଉଣୀଙ୍କ ସମ୍ପର୍କ ବିଷୟରେ ଶୁଣିଛି । ସୋସିଆଲ ମିଡିଆରେ ଉଭୟଙ୍କ ଫୋଟୋ ବି ରହିଛି। ଯଦି ନିଜେ ସମଲିଙ୍ଗୀ ସମ୍ପର୍କରେ ରହୁଛନ୍ତି ତେବେ ମତେ କଣ ପାଇଁ କହୁଛନ୍ତି?’’ ଦୂତୀ ପ୍ରଶ୍ନ କରିଥିଲେ ।
ଦାରିଦ୍ର ଓ ଅନେକ ଅସୁବିଧା ସତ୍ତ୍ୱେ ୨୦୧୩ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ୍ ମେଡାଲ୍ ଜିତି ଦୂତୀ ଇତିହାସ ରଚନା କରିଥିଲେ । ସେହି ବର୍ଷ ବିଶ୍ୱ ଯୁବ ଚାମ୍ପିଅନସିପର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରି ସେ କୌଣସି ଅନ୍ତରାଷ୍ଟ୍ରୀୟ ଆଥଲେଟିକ୍ ଚ୍ୟାମ୍ପିଅନଶିପର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ହୋଇଥିଲେ । ସେହି ବର୍ଷ ଉଭୟ ୧୦୦ ମିଟର୍ ଓ ୨୦୦ ମିଡର୍ ଦୌଡ଼ରେ ସେ ଜାତୀୟ ଚ୍ୟାମ୍ପିଅନ୍ ହୋଇଥିଲେ ।
ଦୂତୀ ୨୦୧୮ରେ ଏସିଆନ ଗେମ୍ସ ପଦକ ଜିତିବା ପରେ ରାଜ୍ୟ ସରକାରଙ୍କ ଠାରୁ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ମିଳିଥିଲା। ‘‘ସେଥିରୁ ୧ କୋଟି ଟଙ୍କା ଭଉଣୀମାନଙ୍କ ବାହାଘର ପାଇଁ ଫିକ୍ସ କରିଦେଇଛି। ୮୦ ଲକ୍ଷ ଟଙ୍କା ଘର ତିଆରି ପାଇଁ ଖର୍ଚ୍ଚ ହୋଇଛି । ୫୦ ଲକ୍ଷ ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ଲାଗିଥିଲା । ସେଥିରେ ବର୍ତ୍ତମାନ ୧୫ ଲକ୍ଷ ଟଙ୍କା ଅଛି। ବିଏମଡବ୍ଲୁ କାର କିଣିଥିଲି। ଏବେ ଆଉ ମୋ’ ପାଖରେ ପଇସା ନାହିଁ। ବର୍ତ୍ତମାନର କରୋନା ମହାମାରୀ ସମୟରେ ସରକାରଙ୍କୁ ସହଯୋଗ ମାଗିବା ଠିକ୍ ହେବନି। ତେଣୁ ନିଜ ବଳରେ ନିଜ ଅଭ୍ୟାସ କରିବି,’’ କହିଥିଲେ ଦୂତୀ ଚାନ୍ଦ।