ଟୋକିଓ ଅଲିମ୍ପିକ୍ସରେ (Tokyo Olympics) ଜାଭେଲିନ୍ ଫିଙ୍ଗି ନୀରଜ ଚୋପ୍ରା (Neeraj Chopra) ଅଲିମ୍ପିକ୍ସରେ ଭାରତର ପ୍ରଥମ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ପଦକ ବିଜେତା ହୋଇଛନ୍ତି । ଏହା ସହ ସେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ହୋଇଛନ୍ତି । ନୀରଜଙ୍କ ପୂର୍ବରୁ ଶୁଟିଂରେ ଅଭିନବ ବିନ୍ଦ୍ରା (Avinav Bindra) ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଏକ ଇଣ୍ଟରନେଟ ସେନସେସନରେ ପରିଣତ ହୋଇଛନ୍ତି ଓ ଲକ୍ଷ ଲକ୍ଷ ଯୁବତୀଙ୍କ ହୃଦ୍-ସ୍ପନ୍ଦନ ମଧ୍ୟ ପାଲଟିଛନ୍ତି । ପ୍ରତ୍ୟେକ ଭାରତୀୟ ନୀରଜଙ୍କ ବିଷୟରେ ସବୁ କିଛି ଜାଣିବାକୁ ଆଗ୍ରହୀ । ସମସ୍ତେ ତାଙ୍କ କରିୟର୍, ଖାଦ୍ୟପେୟ, ପରିବାର ଓ ପ୍ରେମ ଜୀବନ ବିଷୟରେ ଜାଣିବାକୁ ଚାହାଁନ୍ତି ।
ହରିୟାଣାର ପାନିପତର ଖାନ୍ଦରା ଗାଁର କୃଷକ ସତୀଶ କୁମାରଙ୍କ (Neeraj Chopra father) ପୁଅ ନୀରଜ ଚୋପ୍ରା ଅଲିମ୍ପିକ୍ ଜାଭେଲିନ୍ ଥ୍ରୋ ଫାଇନାଲରେ ୮୭.୫୮ ମିଟର୍ ଦୂରତାକୁ ଜାଭେଲିନ୍ (javelin) ଫିଙ୍ଗିଥିଲେ। ପଦକ ଜିତି ସେ ଟ୍ରାକ ଆଣ୍ଡ୍ ଫିଲ୍ଡ ଖେଳରେ ଭାରତର ୧୦୦ ବର୍ଷରୁ ଅଧିକର ଅପେକ୍ଷାକୁ ଶେଷ କରିଥିଲେ । ଏହି ସଫଳତା ସହ ସୋସିଆଲ୍ ମିଡି଼ଆରେ ନୀରଜଙ୍କ ଅନୁଗାମୀ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ସାକ୍ଷାତକାରରେ ତାଙ୍କୁ ଝିଅମାନଙ୍କ ଧ୍ୟାନ ଆକର୍ଷଣ କରିବା ବିଷୟରେ ପ୍ରଶ୍ନ ପଚରାଯାଉଛି । ହେଲେ ଏହି ପ୍ରଶ୍ନ ଉପରେ ନୀରଜ ପ୍ରାୟତଃ ଲାଜେଇ ଯାଉଥିବା ଦେଖାଯାଇଛନ୍ତି ।
ଯେତେବେଳେ ନୀରଜ ଚୋପ୍ରାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ବିଷୟରେ ପଚରାଯାଇଥିଲା, ପ୍ରଥମେ ସେ ଲାଜେଇ ଯାଇଥିଲେ । ତା’ ପରେ ସେ କହିଥିଲେ ଯେ ତାଙ୍କର କୌଣସି ଗର୍ଲଫ୍ରେଣ୍ଡ୍ ନାହିଁ ଓ ବର୍ତ୍ତମାନ ତାଙ୍କର ବିବାହ କରିବାର ଉଦ୍ଦେଶ୍ୟ ବି ନାହିଁ । ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ବର୍ତ୍ତମାନ ଖେଳ ଓ ଆଗାମୀ ପ୍ରତିଯୋଗିତାଗୁଡ଼ିକ ଉପରେ କେନ୍ଦ୍ରିତ ବୋଲି ସେ କହିଥିଲେ ।
ନିଜ ପ୍ରିୟ ଖାଦ୍ୟ ବିଷୟରେ ନୀରଜ ଚୋପ୍ରା କହିଥିଲେ ଯେ ସେ ଗୋଲଗପ୍ପା ଖାଇବାକୁ ଭଲ ପାଆନ୍ତି । ଏହା ବ୍ୟତୀତ ମା’ଙ୍କ ହାତରେ ପ୍ରସ୍ତୁତ ଖାଦ୍ୟ ଓ ଚୁର୍ମା ବି ସେ ଖୁବ୍ ଭଲପାଆନ୍ତି । ନୀରଜ ଚୋପ୍ରା ଟୋକିଓରେ କାହିଁକି ସୁଶି ଖାଇବାକୁ ଚାହିଁ ନ ଥିଲେ ବୋଲି ବି ପ୍ରକାଶ କରିଥିଲେ । ସେ କହିଥିଲେ, ‘‘ମୁଁ କୌଣସି ନୂଆ ଜିନିଷ ସହିତ ସୁଯୋଗ ନେବାକୁ ଚାହୁଁ ନାହିଁ ।’’
କିନ୍ତୁ ଟୋକିଓରୁ ଫେରିବା ପରେ ନୀରଜ ନିଜ ମା’ଙ୍କ ଦ୍ୱାରା ରନ୍ଧା ଖାଦ୍ୟ ଖୋଜିଥିଲେ । ଫେରିବା ପୂର୍ବରୁ ସେ କହିଥିଲେ, ‘‘ମୁଁ ଘରକୁ ଯାଇ ମୋ ମା’ ତିଆରି କରିଥିବା ଖାଦ୍ୟ ଖାଇବାକୁ ଚାହେଁ, ସେ ଯାହା ବି ହେଉ ।’’ ନୀରଜ ସ୍ୱର୍ଣ୍ଣ ପଦକ ଜିତିବା ପରେ ତାଙ୍କ ମା’ କହିଥିଲେ ଯେ ସେ ତାଙ୍କ ପୁଅକୁ ଚୁର୍ମା ଖୁଆଇ ସ୍ୱାଗତ କରିବେ । (ସବୁ ଫଟୋ: ନୀରଜ ଚୋପ୍ରା / ଇନଷ୍ଟାଗ୍ରାମ)