IND vs AUS 2nd Test: ଟେଷ୍ଟରେ କେଏଲ୍ ରାହୁଲ (KL Rahul)ଙ୍କ ବିଫଳତା ଜାରି ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ଦ୍ବିତୀୟ ଥର ପାଇଁ ନିରାଶ କରିଛନ୍ତି । ଏଭଳି ସ୍ଥିତିରେ ବାକି ୨ଟି ଟେଷ୍ଟରେ ଓପନର୍ ଭାବେ କେବଳ ଶୁଭମନ ଗିଲ୍ (Shubman Gill)ଙ୍କୁ ସୁଯୋଗ ମିଳିପାରେ । ବାକି ୨ଟି ଟେଷ୍ଟ ପାଇଁ BCCI ଚୟନ କମିଟି ଶୀଘ୍ର ଟିମ୍ ଘୋଷଣା କରିବ । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୬୩ ରନ୍ କରିଥିବା ବେଳେ ଭାରତୀୟ ଓପନର୍ ରାହୁଲ ୧୭ ରନ୍ କରି ସ୍ପିନର ଲାୟନଙ୍କ ଶିକାର ହୋଇଛନ୍ତି । ପ୍ରଥମ ଟେଷ୍ଟରେ ଗୋଟିଏ ଇନିଂସରେ ୨୦ ରନ୍ କରିଥିଲେ ରାହୁଲ । ରାହୁଲ ଏବେ ଭାରତୀୟ ଟେଷ୍ଟ ଟିମ୍ର ଉପ ଅଧିନାୟକ ଅଛନ୍ତି । ରାହୁଲ ଶେଷ ୯ଟି ଇନିଂସରେ ୩୦ ରନ୍ ଛୁଇଁ ପାରିନାହାନ୍ତି । ଏଭଳି ସ୍ଥିତିରେ ତାଙ୍କୁ ଟିମ୍ରୁ ବାହାର ହେବାକୁ ପଡ଼ିପାରେ । ଶୀଘ୍ର ହିଁ ବୋର୍ଡ ବାକି ୨ଟି ଟେଷ୍ଟ ପାଇଁ ଟିମ୍ ଘୋଷଣା କରିବ । ୩୦ ବର୍ଷୀୟ କେଏଲ୍ ରାହୁଲ, ଶେଷ ୯ଟି ଇନିଂସରେ ଯଥାକ୍ରମେ ୮, ୧୨, ୧୦, ୨୨, ୨୩, ୧୦, ୨, ୨୦ ଓ ୧୭ ରନ୍ କରିଛନ୍ତି । ଏଥିରୁ ୨୩ ରନ୍ ସର୍ବାଧିକ ରହିଛି । ଚଳିତ ସିରିଜ୍ରେ ରାହୁଲ ୨ଟି ଟେଷ୍ଟରେ ଏଯାଏ ଖେଳିଥିବା ୨ଟି ଇନିଂସରେ ସ୍ପିନର ଶିକାର ହୋଇଛନ୍ତି । ପ୍ରଥମ ପାଳିରେ ମର୍ଫି ଓ ଦ୍ବିତୀୟ ପାଳିରେ ଲାୟନ ଆଉଟ କରିଥିଲେ । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଏବେ ୧-୦ରେ ଆଗୁଆ ରହିଛି ।