କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବଜାରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ଏହାକୁ ଦେଖୁଥିବା ଲୋକଙ୍କୁ ଲାଗୁଥିଲା ଯେମିତି ଏଇଟା ୯୦ ଦଶକର ବିହାରରେ ଘଟୁଥିବା ଏକ ଜବରଦସ୍ତ ଅପହରଣ ଦୃଶ୍ୟ । ଡାକବଙ୍ଗଳା ଛକ ନିକଟରେ ଏକ କାର ଡ଼ିକିରୁ ହାତଗୋଡ଼ ବନ୍ଧା ହୋଇଥିବା ଜଣେ ଯୁବକ ଖସିପଡ଼ିଥିଲେ । ଉପସ୍ଥିତ ଲୋକମାନେ ଏହା ଦେଖି ପାଖକୁ ଆସିଥିଲେ ଓ କାର୍ ଭିତରେ ଥିବା ଯୁବକମାନଙ୍କୁ ପଚାରିଥିଲେ । କାର୍ ଭିତରେ ଥିବା ଚାରି ଜଣ ଯୁବକ ଡୋର୍ ଖୋଲି ବାହାରିଥିଲେ ଓ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କୁ ସେଠି ଥିବା ଲୋକେ ଓ ପୋଲିସ କର୍ମୀମାନେ ଗୋଡ଼ଇଥିଲେ । ଗୋଡ଼େଇ ଗୋଡ଼େଇ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ଲୋକେ । ଏହି ଘଟଣା ସେପ୍ଟେମ୍ବର ୨୩ ତାରିଖ ବୁଧବାର ଘଟିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ରାତି ତିନିଟା ସମୟରେ ଦୁଇ ଜଣ ଯୁବକ ଆଳି ଯିବାକୁ କହି କାର ଭଡ଼ାରେ ଆଣିଥିଲେ । ସେମାନେ ସାଲେପୁର ଛକ ନିକଟରେ ବନ୍ଧୁକ ଦେଖାଇ ଏହି ଯୁବକଙ୍କୁ ଅଟକାଇଥିଲେ ଓ ତାଙ୍କ ହାତଗୋଡ଼ ବାନ୍ଧି କାର୍ ଡ଼ିକିରେ ଭର୍ତ୍ତି କରିଦେଇଥିଲେ । ପଟ୍ଟାମୁଣ୍ଡାଇ ବଜ଼ାରରେ କାରର ଡିକି ଆପେ ଆପେ ଖୋଲି ଯିବାରୁ ଯୁବକ ଜଣକ ପାଟି କରିବା ସହ ଡିକିରୁ ତଳକୁ ପଡ଼ିଯାଇଥିଲେ । କାରରେ ଥିବା ଯୁବକମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପୋଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ତିନି ଜଣ ଅଭିଯୁକ୍ତ ଧରାପଡ଼ିଯାଇଥିଲେ । ସେମାନଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି ଓ ଗିରଫ କରିଛି । ଫେରାର ଅଭିଯୁକ୍ତକୁ ଖୋଜା ଚାଲିଛି । ଧରାପଡ଼ିଥିବା ତିନି ଜଣ ଅଭିଯୁକ୍ତଙ୍କ ସହ ପୋଲିସ ପଚରାଉଚରା କରିଛି । ଘଟଣାରେ ବ୍ୟବହୃତ ଏହି କାରରେ ନମ୍ବର ପ୍ଲେଟ୍ ନ ଥିଲା । ଅପରାଧୀମାନଙ୍କୁ ଗୋଡ଼େଇ ଗୋଡ଼େଇ ଧରିବାରେ ବହୁ ସଂଖ୍ୟକ ସାଧାରଣ ଲୋକେ ଯେମିତି ପୋଲିସର ସହାୟତା କରିଥିଲେ ତାକୁ ସବୁଠି ପ୍ରଶଂସା କରାଯାଉଛି ।