ଯାଜପୁରରେ ଏକ ପ୍ରେମ କାହାଣୀର ନିଆରା ଘଟଣା ସାମନାକୁ ଆସିଛି । ନିଜ ପ୍ରେମିକାଙ୍କ ପାଇଁ ଯୋଗୀ ବେଶ ଧରି ଜଣେ ଯୁକ୍ତ-୨ ଛାତ୍ର ତାଙ୍କ ଘରକୁ ଆସି ହଟହଟା ହୋଇଛନ୍ତି । ଯୁବକଙ୍କ ମୁହଁରେ ଥିଲା ଲମ୍ବା ଦାଢ଼ୀ ଓ ମଥାରେ ଥିଲା ଜଟ । ତାଙ୍କ ଦେହରେ ଥିଲା ଗେରୁଆ ବସ୍ତ୍ର । କାନ୍ଧରେ ଥିବା ଏକ ଝୁଲିରେ ଥିଲା ଚାଉଳ ଓ ପଇସା । ହେଲେ ସେ କୌଣସି ବାବା ନ ଥିଲେ । ସେ ଥିଲେ ବାବା ବେଶୀ ପ୍ରେମିକ । ଯାଜପୁର ରୋଡ୍ ଫେରୋକ୍ରୋମ୍ ଗେଟ୍ କଲୋନୀ ନିକଟରେ ଏହି ୟଙ୍ଗ୍ ବାବାଙ୍କ ରଙ୍ଗ ଢଙ୍ଗ ଦେଖି ଲୋକେ ସନ୍ଦେହ କରିଥିଲେ ଓ ତାଙ୍କୁ କାବୁ କରିଥିଲେ । କେତେକ ଲୋକ ତାଙ୍କୁ ପିଲା ଚୋର ବୋଲି ସନ୍ଦେହ କରିଥିଲେ । ଏହି ମିଛ ବାବାଙ୍କ ଦାଢି଼ ଓ ଜଟକୁ ଲୋକେ ପରୀକ୍ଷା କରିବା ପାଇଁ ଟଣା ଓଟରା କରିବାରୁ ତାହା ସହଜରେ ଉପୁଡି଼ ଆସିଥିଲା । ତା’ ପରେ ଲୋକେ ଗେରୁଆ ବସ୍ତ୍ରଧାରୀ ସେହି ଯୁବକଙ୍କୁ ଟଣାଓଟରା କରିବା ସହ ପୋଲିସ ହାତରେ ଦେଇଥିଲେ । ସ୍ଥାନୀୟ ଲୋକେ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଏହି ଯୁବକ ଜଣକ ସେ ଅଞ୍ଚଳକୁ ଅନ୍ୟ ବେଶରେ ଆସିଛନ୍ତି । ଏହି ଯୁବ ବାବା ଧରା ପଡ଼ିବା ପରେ ସେ ପିଲା ଚୋର ହୋଇଥିବା ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି । କେତେକ ଲୋକ କହିଛନ୍ତି ଯେ ନିଜ ପ୍ରେମିକାଙ୍କୁ ଭେଟିବାକୁ ବାବା ବେଶ ଧରିଥିଲେ ଏହି ଯୁବକ । ସେମାନଙ୍କ ପ୍ରେମକୁ ପରିବାର ଲୋକେ ଅସ୍ବୀକାର କରୁଥିବାରୁ ନିଜ ପ୍ରେମିକାଙ୍କ ଘର ଲୋକଙ୍କୁ ରାଜି କରାଇବାକୁ ସେ ଏପରି ରୂପ ହୋଇଥିଲେ । ଜଣାପଡ଼ିଛି ଯେ ଯୁବକଙ୍କ ଘର ଅନୁଗୁଳ ଜିଲ୍ଲାରେ । ସେ ଭୁବନେଶ୍ବରର ଏକ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢ଼ନ୍ତି ।