ବାଲେଶ୍ୱର: ଫେସବୁକ୍ ପ୍ରେମ ଏହି ଯୁବକଙ୍କୁ ମହଙ୍ଗା ପଡ଼ିଲା; ରାସ୍ତାରେ ତାଙ୍କୁ ଛେଚିଲେ ୩ ଯୁବତୀ
ଦିନ ଦ୍ୱିପହରେ ଜଣେ ଯୁବକଙ୍କୁ ତିନି ଜଣ ଯୁବତୀ ହାତରେ ବାଡ଼ି ଧରି ରାସ୍ତାରେ ରୋକିଲେ ଓ ବିଭିନ୍ନ ପ୍ରଶ୍ନ ପଚାରି ପିଟି ଚାଲିଲେ । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଯୁବକଙ୍କ ପ୍ରାଣ ବଞ୍ଚିଲା । ମାଡ଼ରେ ତାଙ୍କ ମଥା ଫାଟିଯାଇଥିଲା ।

ଜଳେଶ୍ବର ଟାଉନ ହାଇସ୍କୁଲ ସାମ୍ନା ଅଚାନକ ଲୋକାରଣ୍ୟ ହୋଇପଡ଼ିଲା । ଲାଗୁଥିଲା ଯେମିତି ରାସ୍ତା ଉପରେ କୌଣସି ନାଟକ ଚାଲିଛି ।

ଫେସବୁକ୍ ଓ ମେସେଞ୍ଜରରେ ସେହି ଯୁବକ ଏହି ଯୁବତୀମାନଙ୍କ ସହ କରିଥିବା ଚ୍ୟାଟିଂରେ ପ୍ରେମ ଓ ବିବାହ ସମ୍ପର୍କୀୟ କଥାକୁ ନେଇ ଯୁବତୀ ତିନି ଜଣ ତା’ ଉପରେ ଖପା ଥିଲେ ।

ଅସଲରେ ଯୁବତୀମାନେ ସିପୁନକୁ କଥାବାର୍ତ୍ତା କରିବାର ଅଛି ବୋଲି ଫୋନ୍ କରି ସେଠିକି ଡାକିଥିଲେ । ସେ ଆସିବାରୁ ତାକୁ ସେଇଠି ବିଭିନ୍ନ ପ୍ରଶ୍ନ ପଚାରି ମାଡ଼ ମାରିଥିଲେ ।

ସିପୁନର ଏକାଧିକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଅଛି ବୋଲି ଯୁବତୀମାନେ ତାକୁ ମାଡ଼ ମାରିବା ବେଳେ କହୁଥିବା ଶୁଣାଯାଇଥିଲା ।

ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ ଓ ଯୁବତୀମାନଙ୍କୁ ତାକୁ ମାଡ଼ ନ ମାରିବାକୁ କହିଥିଲେ । ହେଲେ ଯୁବତୀମାନେ ଶୁଣି ନ ଥିଲେ ।

ଲୋକେ ସେମାନଙ୍କୁ ଏହି ଅଭିଯୋଗ ନେଇ ଥାନାକୁ ଯିବାକୁ କହିବାରୁ ଯୁବତୀମାନେ କହିଥିଲେ ଯେ ଥାନାକୁ ଯାଇ କିଛି ଲାଭ ନାହିଁ ।

ତିନି ଜଣ ଯାକ ଯୁବତୀ ହାତରେ ବାଡ଼ି ଧରିଥିଲେ ଓ ଯୁବକକୁ ପିଟୁଥିଲେ । ସେମାନଙଅକ ମଧ୍ୟରୁ ଦୁଇ ଜଣ ନିଜ ମୁହଁ ଓଢ଼ଣୀରେ ଢାଙ୍କି ରଖିଥିଲେ, ହେଲେ ସବୁ ଠୁ ବେଶୀ ପିଟୁଥିବା ଯୁବତୀଙ୍କ ମୁହଁ ଖୋଲା ଥିଲା ।