ମୃତ ଝିଅଟିର ବଡ଼ ଭଉଣୀ କାନ୍ଦିକାନ୍ଦି ନିଜ ଅବସ୍ଥା ଖରାପ କଲାଣି । ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ମହୁଲିଆ ପଞ୍ଚାୟତର ମାଣପଡ଼ା ଗାଁରେ ଘଟିଛି । ସମ୍ପର୍କରେ ମାମୁଁଙ୍କ ପୁଅ ସଞ୍ଜୟ ବେହେରା ତା’ ମା’ ଓ ଭଉଣୀକୁ ହତ୍ୟା କରିଥିବା କହିଛି ଝିଅଟି । ଗ୍ରାମର ପତିତପାବନ ନାଥଙ୍କ ସ୍ତ୍ରୀ ପ୍ରମିଳା ଓ ଝିଅ ସତ୍ୟପ୍ରିୟାଙ୍କ ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ତିନି ଦିନ ଧରି ଅନ୍ତିମ ସଂସ୍କାର ହୋଇ ନ ପାରି ପଡ଼ି ରହିଥିଲା । ଏହି ଦୁଇଟି ସନ୍ଦେହଜନକ ମୃତ୍ୟୁକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରମିଳା ୧୯ ତାରିଖରୁ ନିଖୋଜ ଥିଲେ । ତାଙ୍କ ଶବ ହଂସୁଆ ନଦୀର ଗୋବର୍ଦ୍ଧନପୁର ଘାଟ ନିକଟରେ ୨୦ ତାରିଖ ରାତିରେ ମିଳିଥିଲା । ଶବର ହାତ ଓ ଗୋଡ଼ ବନ୍ଧା ହୋଇଥିବା କହିଛନ୍ତି ଗ୍ରାମବାସୀମାନେ । ଏହାକୁ ଏକ ହତ୍ୟା ବୋଲି ସେମାନେ କହିଛନ୍ତି । ଝିଅ ସତ୍ୟପ୍ରିୟାର ଶବ ମାମୁଁ ଘର ପୋଖରୀରୁ ୨୦ ତାରିଖ ସକାଳେ ମିଳିଥିଲା । ପୋଖରୀରେ ମାତ୍ର ଚାରି ଫୁଟ ଗଭୀର ପାଣି ଅଛି । ସତ୍ୟପ୍ରିୟାର ମା’ ଦିନକ ଆଗରୁ ‘‘ନିଖୋଜ’’ ହେବା ପରେ ସେ ପୂର୍ବ ରାତିରେ ମାମୁଁ ଘରେ ଶୋଇବାକୁ ଯାଇଥିଲା । ସତ୍ୟପ୍ରିୟାର ଶବ ବ୍ୟବଚ୍ଛେଦରୁ ତା’ ଗର୍ଭରେ ଆଠ ମାସର ଏକ ଶିଶୁ କନ୍ୟା ଥିବା ଜଣା ପଡ଼ିଥିଲା । ମା’ ଓ ଝିଅଙ୍କ ଶବ ବ୍ୟବଚ୍ଛେଦ ପରେ ଦୁଇଟି ଶବକୁ ମାମୁଁ ପୁଅ ଭାଇ ଅଭିଯୁକ୍ତ ସଞ୍ଜୟ ବେହେରା ଆଣି ତାଙ୍କ ଘର ଦାଣ୍ଡରେ ରଖିଦେଇ ପଳେଇଥିବା କହିଛନ୍ତି ଗ୍ରାମବାସୀମାନେ । ତିନି ଦିନ Oରି ଗାଁ ଦାଣ୍ତରେ ପଡ଼ି ରହିଥିଲା ମାଆ ଓ ଝିଅଙ୍କ ମୃତ ଦେହ । ଶବ ପଚି ଦୁର୍ଗନ୍ଧ ହେଉଥିଲା। ଲୋକେ ଅଭିଯୁକ୍ତ ସଞ୍ଜୟ ହେହେରାକୁ ଗିରଫ କରିବା ଦାବିରେ ଆନ୍ଦୋଳନ କରୁଥିଲେ ଓ ଶବ ଦାହ ହେବାକୁ ଦେଉ ନ ଥିଲେ । ଅଭିଯୁକ୍ତ ସଞ୍ଜୟ ବେହେରାକୁ ପୋଲିସ ଅଟକ ରଖିଛି । ତାକୁ ଗିରଫ କରିବା ଦାବିରେ ଅଡ଼ି ବସିଛନ୍ତି ଗାଁ ଲୋକେ । ରାସ୍ତା ଅବରୋଧ କରିବା ସହିତ ଧାରଣାରେ ବସିଛନ୍ତି । ତିନି ଦିନ ହେଲା ଶବ ପଡ଼ି ରହିଥିବାରୁ ଗାଁରେ ଦେବଦେବୀଙ୍କ ପୂଜାପାଠ ମଧ୍ୟ ବନ୍ଦ ରହିଥିଲା । ବଡ଼ ଝିଅଟି କାନ୍ଦି କାନ୍ଦି କହିଛି ଯେ ଅଭିଯୁକ୍ତ ସଞ୍ଜୟ ବେହେରାକୁ ଫାଶୀ ଦଣ୍ଡ ମିଳିବା ଉଚିତ । ‘‘ଚାରି ବର୍ଷ ତଳେ ମୋ’ ଭାଇର ମୃତ୍ୟୁ ହେବା ପରେ ସେ ମୋ’ ମା’ର ସବୁ ଟଙ୍କା ହଡ଼ପ କରିନେଇଥିଲା । ତା’ ପରେ ମୋ’ ଭଉଣୀ ସହ ଶାରୀରିକ ସମ୍ପର୍କ ରଖି ତାକୁ ଗର୍ଭବତୀ କଲା,’’ ସେ କହିଛି । ‘‘ମୋ’ ମା’ ନିଖୋଜ ହୋଇଯାଇଛି ବୋଲି ସଞ୍ଜୟ ବେହେରା କହିଲା । କିନ୍ତୁ ତା’ ପାଖରେ ମୋ’ ମା’ର ଚପଲ ଓ ମୋବାଇଲ୍ ଫୋନ୍ ଅଛି ବୋଲି କହିଲା । ସେ ହିଁ ମୋ’ ମା’ ଓ ଭଉଣୀକୁ ହତ୍ୟା କରିଛି,’’ ସେ କହିଛି । ଗାଁରେ ରାଜନଗର ବିଡ଼ିଓ, ତହସିଲଦାର ଓ ଆଇଆଇସି ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝା ସୁଝା କରିବା ପରେ ଲୋକେ ଶବଦାହ ପାଇଁ ଅନୁମତି ଦେଇଥିଲେ । ଶେଷରେ ଶବ ସଂସ୍କାର ହୋଇଥିଲା ।