ନିଜ ଦେହରେ କିରୋସିନ୍ ଢାଳି କାହିଁକି ନିଆଁ ଲଗାଉଥିଲେ ନୟାଗଡ଼ର ଏହି ସ୍ୱାମୀ ଓ ସ୍ତ୍ରୀ?
ଭୁବନେଶ୍ୱର ପୋଲିସ ନୟାଗଡ଼ ବାସିନ୍ଦା ଅଶୋକ ସାହୁ ଓ ତାଙ୍କ ପତ୍ନୀ ସୌଦାମିନୀ ସାହୁଙ୍କୁ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାର ଉଦ୍ୟମକୁ ପଣ୍ଡ କରି ଦମ୍ପତିଙ୍କ ପ୍ରାଣ ରକ୍ଷା କରିଥିଲା । ସେମାନଙ୍କ ଏହି ଉଦ୍ୟମ ପଛରେ ଅଛି ଏକ ଗଭୀର ଦୁଃଖ ।

ଭୁବନେଶ୍ୱର: ବିଧାନସଭା ସାମନାରେ ଏକ ଅଭାବନୀୟ କାଣ୍ଡ ଘଟିଗଲା । ଅଘଟଣ ଘଟୁ ଘଟୁ ପୋଲିସ କର୍ମୀମାନଙ୍କ ତୀକ୍ଷ୍ଣ ନଜର ଓ ଦ୍ରୁତ ପ୍ରୟାସ ଯୋଗୁଁ ରୋକିଗଲା । ପୋଲିସ ସ୍ୱାମୀ ଓ ସ୍ତ୍ରୀଙ୍କ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୂତି ଦେବାର ଉଦ୍ୟମକୁ ପଣ୍ଡ କରି ଦମ୍ପତିଙ୍କ ପ୍ରାଣ ରକ୍ଷା କରିଥିଲେ ।

ଏକ ଅଟୋରେ ନୟାଗଡ଼ର ସୌଦାମିନୀ ସାହୁ ଓ ତାଙ୍କ ସ୍ୱାମୀ ଅଶୋକ କୁମାର ସାହୁ ଆସି ପହଞ୍ଚିଥିଲେ । ଅଟୋରୁ ଓହ୍ଲାଇ ଦୁହେଁ ଅଲଗା ଅଲଗା ନିଜ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇବା ଉଦ୍ୟମ କରିଥିଲେ ।

ସୌଦାମିନୀ ସାହୁ ଶାଢ଼ୀ ପିନ୍ଧିଥିଲେ ଓ ଏକ ଚାଦର ଘୋଡ଼ିଥିଲେ । ସେ ଚାଦର ଭିତରେ ଏକ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଲୁଚାଇ ରଖିଥିଲେ ଓ ହାତରେ ଦିଆସିଲି ଧରିଥିଲେ ।

ତାଙ୍କ ସ୍ୱାମୀ ଅଶୋକ କୁମାର ସାହୁ ବି ଠିକ୍ ସେମିତି ଚାଦର ତଳେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଲୁଚାଇ ରଖି ହାତରେ ଦିଆସିଲି ଧରିଥିଲେ ।

ଦୁହେଁ ଅଲଗା ଅଲଗା ଠିଆ ହୋଇ ନିଜ ମଥାରେ ବୋତଲରୁ ପେଟ୍ରୋଲ୍ ଢାଳିବା ସମୟରେ ତାଙ୍କ ଉପରେ ପୋଲିସ କର୍ମୀମାନଙ୍କ ନଜର ପଡ଼ିଥିଲା ।

ତୁରନ୍ତ ଦୌଡ଼ିଯାଇ ପୋଲିସ କର୍ମୀମାନେ ସେମାନଙ୍କୁ ଧରିପକାଇଥିଲେ ଓ ତାଙ୍କ ହାତରୁ ପୋଟ୍ରେଲ ବୋତଲ ଓ ଦିଆସିଲି ଛଡ଼େଇ ନେଇଥିଲେ ।

ଏହି ଦମ୍ପତିଙ୍କ ଏମିତି ଆତ୍ମହତ୍ୟା ଉଦ୍ୟମ ପଛରେ ଅଛି ନୟାଗଡ଼ ଜିଲ୍ଲାର ଯଦୁପୁର ଶିଶୁ କନ୍ୟା ହତ୍ୟା ଘଟଣା । ସୌଦାମୀନି ଓ ଅଶୋକଙ୍କ ପାଞ୍ଚ ବର୍ଷର ଝିଅ ପରୀକୁ ମାରି ଟୁକୁଡ଼ା ଟୁକୁଡ଼ା କରି ଫିଙ୍ଗିଦେଇଥିଲେ ଦୁର୍ବୃତ୍ତମାନେ ।

ସେମାନେ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତଙ୍କୁ ଜାମିନ ମିଳିବା ପରେ ସେମାନଙ୍କ ଜୀବନ ପ୍ରତି ବିପଦ ବଢ଼ିଛି । ଅଭିଯୁକ୍ତମାନେ ସେମାନଙ୍କୁ ଲଗାତର ଧମକାଉଥିବା ସେମାନେ କହିଛନ୍ତି ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ନୟାଗଡ଼ ସଦର ଥାନାର ଏହି ମାମଲା ସମ୍ପର୍କରେ ନୟାଗଡ଼ର ଏସ୍.ପି.ଙ୍କ ସହ ସେ କଥା ହୋଇଛନ୍ତି ଓ ଦମ୍ପତିଙ୍କୁ ବି ଏସ୍.ପି.ଙ୍କ ସହ କଥା କରାଇଦେଇଛନ୍ତି । ଦମ୍ପତିଙ୍କୁ ପୋଲିସ ଡାକ୍ତରୀ ପରୀକ୍ଷା ପାଇଁ କ୍ୟାପିଟାଲ୍ ହସପିଟାଲକୁ ନେଇଥିବା ସେ କହିଛନ୍ତି ।

ଗତ ଜୁନ୍ ୨୩ ତାରିଖରେ ନୟାଗଡ଼ ସଦର ଥାନା ଯଦୁପୁର ଅଞ୍ଚଳରେ ଘଟିଥିଲା ଲୋମହର୍ଷକ ହତ୍ୟା । ଗାଁର ଅଶୋକ ସାହୁଙ୍କ ପାଞ୍ଚ ବର୍ଷର ଝିଅ ଅମ୍ରିତା ସାହୁ ଓରଫ ପରୀର ଗଳିତ ମୃତ ଦେହ ମିଳିଥିଲା ଅନ୍ୟ ଜଣେ ଗ୍ରାମବାସୀଙ୍କ ପରିତ୍ୟକ୍ତ ପୋଖରୀ ହୁଡ଼ାରୁ । ମୃତ ଦେହ ମିଳିବାର ୧୦ ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୧୪ରେ ପରି ହଠାତ୍ ନିଖୋଜ ହୋଇଯାଇଥିଲା ପରୀ । ଝିଅକୁ କେହି ଅପହରଣ କରିଛି ବୋଲି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ ।

ପରୀ ନିଖୋଜ ହେବାର ଦଶ ଦିନ ପରେ ତା’ ଗଳିତ ଶବ ମିଳିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିଲା । ଏହି ହତ୍ୟାକାଣ୍ଡକୁ ନେଇ ଜିଲ୍ଲାରେ ଜୋର୍ ଧରିଥିଲା ଆନ୍ଦୋଳନ । ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ ଓ ବିଜେପି । ପରିବାର ଲୋକେ ମଧ୍ୟ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ । ତଥାପି ପରି ହତ୍ୟାକାଣ୍ଡର ଖୁଲାସା ହୋଇପାରି ନ ଥିଲା ।

‘‘ଚାରି ଆଡୁ ନିରାଶ ହେବା ପରେ ନ୍ୟାୟ ନ ମିଳିବାରୁ ଆମେ ଆତ୍ମାହୁତି କରିବାକୁ ନିଷ୍ପତ୍ତି କରିଛୁ,’’ କହିଛନ୍ତି ସୌଦାମିନୀ ।

ପରୀର ବାପା ଅଶୋକ ସାହୁ କହିଛନ୍ତି ଯେ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଲୋକଙ୍କ ହାତ ଥିବାରୁ ପୋଲିସ ଚାପରେ ଆସି ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ।

ପରୀର ହତ୍ୟାକାଣ୍ଡ ଘଟଣାରେ ପ୍ରମାଣ ନଷ୍ଟ କରିବା ପାଇଁ ହତ୍ୟାକାରୀମାନେ ମୃତ ଦେହକୁ ଖଣ୍ଡ ଖଣ୍ଡ କରି କାଟି ସେଥିରେ କେମିକାଲ ପକାଇ ପୋଡ଼ି ନଷ୍ଟ କରିବାର ବି ପ୍ରୟାସ କରିଥିଲେ ବୋଲି ପୋଲିସ କହିଥିଲା । ଏକ ଅଖା ଭିତରୁ ନିଖୋଜ ପରୀର ମୃତ ଦେହର ହାଡ଼ କଙ୍କାଳ ଜବତ କରିଥିଲା ପୋଲିସ । ହତ୍ୟାକାଣ୍ଡ ପଛରେ ଗାଁର ଓ ଗାଁ ବାହାରର କିଛି ଲୋକଙ୍କ ସମ୍ପୃକ୍ତି ରହିଥିବା ପରୀର ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।

ହତ୍ୟାକାଣ୍ଡ ପଛରେ ଗାଁର ଓ ଗାଁ ବାହାରର କିଛି ଲୋକଙ୍କ ସମ୍ପୃକ୍ତି ରହିଥିବା ପରୀର ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।