MLA ପ୍ରଦୀପଙ୍କ ଝିଅ ଓ IFS ଅଭୟକାନ୍ତଙ୍କ ପୁଅଙ୍କ ବାହାଘର ହେବ ତ? କେବେ ଓ କେମିତି ହେବ?
BJDରୁ ବହିଷ୍କୃତ ଗଞ୍ଜାମ ଗୋପାଳପୁରର MLA ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ଓ ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ବିବାହ ଡିସେମ୍ବର ୧୧ରେ ହେବାର ଥିଲା ।

MLA ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଓ ଜେଲରେ ଥିବା IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିବାହ ପାଇଁ ସବୁ ଆୟୋଜନ ସରିଥିଲା । ରାଜସ୍ଥାନର ଯୋଧପୁରରେ ଥିବା ଏକ ଷ୍ଟାର୍ ହୋଟେଲ ଡିସେମ୍ବର ୧୧ ତାରିଖରେ ବିବାହ ହେବାର ଥିଲା । ହେଲେ ତା’ ପୂର୍ବରୁ ସବୁ ଓଲଟପାଲଟ ହୋଇଗଲା । (ଫଟୋରେ ଶ୍ରୁତି ଓ ଆକାଶ)

କୋଟି କୋଟି ଟଙ୍କାର ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଓ ଟାଟା ମୋଟର୍ସ କମ୍ପାନୀ ନାମରେ ଅନେକ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଉଭୟ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନଭେମ୍ବର ୨୭ ତାରିଖରେ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ ।

ନଭେମ୍ବର ୨୫ ତାରିଖ ଠାରୁ ଆରମ୍ଭ କରି ଲଗାତର ଦୁଇ ଦିନ ଧରି ୧୯୮୭ ବ୍ୟାଚର ଆଇଏଫଏସ (IFS) ଅଧିକାରୀ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ସମେତ ଦେଶର ପାଞ୍ଚଟି ସ୍ଥାନରେ ଥିବା ତାଙ୍କ ଠିକଣା ଉପରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ବିଭାଗ ।

ଓଡ଼ିଶାର ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (APCCF) ଭାବେ କାର୍ଯ୍ୟ କରୁଥିବା IFS ଅଫିସର୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଭୁବନେଶ୍ୱରରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ଆଠ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କ୍ୟାଶ୍ ଡିପୋଜିଟ୍ ଥିବା କହିଥିଲେ ଭିଜିଲାନ୍ସ ଅଧିକାରୀମାନେ ।

ପାଠକ ପିତାପୁତ୍ର ଗିରଫ ହେବା ପରେ ସେମାନଙ୍କ ପାରିବାରିକ ବନ୍ଧୁ ହେବାକୁ ଯାଉଥିବା ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା ।

ପାଠକ ପିତାପୁତ୍ରଙ୍କ କୋଟିକୋଟି ଟଙ୍କାର ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିବାରେ ପ୍ରଦୀପ ପାଣିଗ୍ରାହୀଙ୍କ ହାତ ଥିବା ଧାରଣା ବଢ଼ିବା ପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ବିଜେଡି କହିଥିଲା ଯେ ‘‘ଜନ-ବିରୋଧୀ କାର୍ଯ୍ୟକଳାପ ପାଇଁ’’ ତାଙ୍କ ଠାରୁ ଦଳର ପ୍ରାଥମିକ ସଦସ୍ୟତା କାଢ଼ିନିଆଯାଉଛି ।

ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ବିଜେଡିର ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଅନୁଚିତ ଓ ଅନ୍ୟାୟ ବୋଲି କହିଥିଲେ ଓ ପ୍ରଦୀପ କୌଣସି ଜନ-ବିରୋଧୀ କାର୍ଯ୍ୟ କରିନାହାନ୍ତି ବୋଲି ଜୋର୍ ଦେଇ କହିଥିଲେ ।

ପ୍ରଦୀପ ପାଣିଗ୍ରାହୀ କହିଥିଲେ ଯେ ପାଠକ ପିତାପୁତ୍ରଙ୍କୁ ଗିରଫ କରି ତାଙ୍କ ଝିଅ ଓ ସେମାନଙ୍କ ପୁଅର ବିବାହରେ ଅଯଥା ବାଧା ସୃଷ୍ଟି କରାଯାଉଛି ।

ତାଙ୍କ ଜ୍ୱାଇଁ ହେବାକୁ ଯାଉଥିବା ଆକାଶ ପାଠକ ଜଣେ ଜ୍ଞାନୀ ଯୁବକ ଓ ସେ ନିଜେ ପାଉଥିବା ମୋଟା ଦରମାରେ ନିଜ କଥିତ ବିଳାସପୂର୍ଣ୍ଣ ଜୀବନଶୈଳୀ ଚଳାଇଥିଲେ ବୋଲି ପ୍ରଦୀପ ପାଣିଗ୍ରାହୀ କହିଥିଲେ । ଅଭୟକାନ୍ତ ପାଠକଙ୍କୁ ଜଣେ ‘‘ସର୍ବୋତ୍ତମ ଅଫିସର’’ ବୋଲି କହି ପାଣିଗ୍ରାହୀ କହିଥିଲେ ଯେ ପାଠକ ପିତାପୁତ୍ରଙ୍କ ବିରୋଧରେ ଲାଗିଥିବା ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଓ ଲୋକଙ୍କୁ ଠକିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।

ଏକଦା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତି ପାଖ ଲୋକ ଥିଲେ ପ୍ରଦୀପ ପାଣିଗ୍ରାହୀ । ନବୀନ ତାଙ୍କୁ ତିନି ଥର ବିଧାୟକ ଟିକେଟ ଦେବା ସହ ମନ୍ତ୍ରୀ ବି ବନାଇଥିଲେ । ପ୍ରଦୀପ ଓ ଅଭୟକାନ୍ତ ଏକଦା ସପରିବାର ନବୀନଙ୍କ ସହ ସୌଜନ୍ୟ ସାକ୍ଷାତ ବି କରିଥିଲେ ।