ବନ ବିଭାଗର ଧନ କୁବେର: ଯେତେ ଖୋଜିଲେ ସେତେ ବାହାରୁଛି ବାପ ଓ ପୁଅଙ୍କ ସମ୍ପତ୍ତି
ଭିଜିଲାନ୍ସ ରେଡ଼୍ ପରେ ସାମନାକୁ ଆସିଛି ବନ ବିଭାଗ ଅଫିସର୍ ଅଭୟକାନ୍ତ ପାଠକଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚରେ ଚାଲିଥିବା ବିଳାସୀ ଜୀବନ । ଡିସେମ୍ବରରେ ପୁଅର ବିବାହ ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ ବିଧାୟକଙ୍କ ଝିଅ ସହ ହେବାର ଥିଲା ।

ଆୟ-ବହିର୍ଭୁତ ସଂପତ୍ତି ଅଭିଯୋଗରେ ଆଇଏଫଏସ (IFS) ଅଫିସର୍ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱରରେ ଥିବା ବାସଭବନ ସମେତ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ଠିକଣାଗୁଡ଼ିକରେ ରେଡ଼ କରିବା ପରେ ତାଙ୍କ ଅମାପ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ ବିଭାଗ ।

IFS ଅଧିକାରୀ ଅଭୟକାନ୍ତ ପାଠକ (ଯିଏ ଏବେ ପିସିସିଏଫ୍ ପଦବୀରେ ଅଛନ୍ତି) ଓ ତାଙ୍କ ପୁଅ ଆକାଶ ପାଠକଙ୍କ ବିଦେଶ ଭ୍ରମଣ ଓ ଚାଟାର୍ଡ଼ ଫ୍ଲାଇଟରେ ଦେଶର ବିଭିନ୍ନ ସ୍ଥାନୁକୁ ଯିବାର ପ୍ରମାଣ ପାଇଛି ଭିଜିଲାନ୍ସ ।

ଅଭୟକାନ୍ତ ପାଠକ ଓଡ଼ିଶାର ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ (APCCF) ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରର ଅରଣ୍ୟ ଭବନରେ ।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ସେମାନେ ନିୟମିତ ଭାବେ ମାଲେସିଆ, ହଙ୍କକଙ୍ଗ, ୟୁ.କେ., ଆରବ ଏମିରେଟସ୍ ଓ ମାଳଦ୍ୱୀପ ଭଳି ଦେଶକୁ ଗସ୍ତ କରୁଥିଲେ ।

ଲକଡାଉନ୍ ସମୟରେ ଦେଶ ଭିତରେ ପୁଣେ, ଭୁବନେଶ୍ବର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର ଓ ଦିଲ୍ଲୀ ଭଳି ସହରକୁ ବି ଚାଟାର୍ଡ଼ ବିମାନରେ ଗ୍ରସ୍ତ କରୁଥିଲେ । ଚାଟାର୍ଡ଼ ଫ୍ଲାଇଟରେ ଥରେ ଗସ୍ତ କଲେ ୧୨ ଲକ୍ଷ ଟଙ୍କାରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ।

କେବଳ ଚାଟାର୍ଡ଼ ଫ୍ଲାଇଟ ବାବଦରେ ବାପ ଓ ପୁଅ ଖର୍ଚ୍ଚ କରିଥିବା ୩ କୋଟି ଟଙ୍କାର ବିଲ୍ ମଧ୍ୟ ଭିଜିଲାନ୍ସ ଜବତ କରିଛି ।

IFS ଅଫିସର୍ ଅଭୟକାନ୍ତ ପାଠକଙ୍କ ଆୟବର୍ହିଭୁତ ସମ୍ପତ୍ତି ବାବଦରେ ସୂଚନା ପାଇଁ ରାଜ୍ୟ ଭିଜିଲାନ୍ସ ନିଜ ଇତିହାସର ସବୁ ଠାରୁ ବଡ଼ ଅପରେସନ ଚଳାଇଛି ।

ଆକାଶଙ୍କ ନାଁରେ ଥିବା ଗୋଟିଏ ମର୍ସିଡେସ୍ କାର୍, ଗୋଟିଏ ବିଏମଡବ୍ଲୁ କାର୍ ଓ ଗୋଟିଏ ଟାଟା ହାରିୟର କାର୍ ବି ଥିବା ଠାବ କରାଯାଇଛି ।

ଆକାଶ ପାଠକଙ୍କ ନାଁରେ ୯ କୋଟି ୪୦ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ରହିଛି । ସେଥି ମଧ୍ୟରେ ୮ କୋଟି ୪୦ ଲକ୍ଷ କେବଳ ଭୁବନେଶ୍ବରର ବିଭିନ୍ନ ବ୍ୟାଙ୍କରେ ରହିଛି ।

କେବଳ ଚାର୍ଟାର୍ଡ ଫ୍ଲାଇଟରେ ଉଡିବା ସଉକ ନୁହେଁ, ବର୍ଂ ଘର ଭିତରେ ବାପ ଓ ପୁଅ ରାଜକୀୟ ଲାଇଫଷ୍ଟାଇଲ ବିତାଉଥିଲେ । ତାଙ୍କ ଆବାସର ଇଣ୍ଟେରିୟର ଡେକରେସନ କୌଣସି ରାଜମହଲ କି ବଙ୍ଗଳା ଠାରୁ କମ ନୁହେଁ।

ଘର ଭିତରେ ଲାଗିଥିବା ଉପକରଣ ରାଜପ୍ରାସାଦ ଭଳି ସଜଡ଼ା ଯାଇଛି । ସବୁ କିଛି ମୂଲ୍ୟବାନ କାଠରେ ତିଆରି ହୋଇଛି । କିଛି ବନ୍ୟ ପ୍ରାଣୀଙ୍କ ପାର୍ଟ ବି ଲାଗିଛି ।

ଅଭୟକାନ୍ତଙ୍କ ଭୁବନେଶ୍ବର ଘରୁ ଏକାଧିକ ଦାମୀ କାର୍, ୮ ଲକ୍ଷ ଟଙ୍କା ଓ ପ୍ରାୟ ୧ କେଜି ସୁନା ପାଇଛି ଭିଜିଲାନ୍ସ ।

ହର୍ଷ ପାଠକ କହିଛନ୍ତି, ‘‘ଭିଜିଲାନ୍ସ ଏ ପର୍ଯ୍ୟନ୍ତ ଆୟ ବହିର୍ଭୁତ କିଛି ଜବତ କରିନି ।’’ ସେ ମିଡ଼ିଆ କର୍ମୀଙ୍କୁ ତାଙ୍କ ସମ୍ପର୍କରେ ଖବର ପ୍ରସାରିତ ନ କରିବାକୁ କହୁଥିବା ଶୁଣିବାକୁ ମିଳିଛି ।

ଅଭୟକାନ୍ତଙ୍କ ପୁଅ ଆକାଶକୁ ଭିଜିଲାନ୍ସର ଗୋଟିଏ ଟିମ ମୁମ୍ବାଇରୁ ଭୁବନେଶ୍ୱର ଆଣିଛନ୍ତି । ବାପାଙ୍କ ନାମରେ ପୁଅ ବି ରାଜକୀୟ ଜୀବନ ଜିଉଁଥିଲା । ମାୟା ନଗରୀରେ ଜାଲ ବିଛାଇ ହାଇଫାଇ ଲାଇଫଷ୍ଟାଇଲ୍ ମେଣ୍ଟେନ କରୁଥିଲା । ସେଠାରେ ରହୁଥିବା ଫ୍ଲାଟ ଭଡା ବାବଦକୁ ମାସକୁ ଗଣୁଥିଲା ଦେଢ଼ ଲକ୍ଷ ଟଙ୍କା ।

ଡିସେମ୍ବର ୧୨ରେ ଆକାଶର ବାହାଘର ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ଝିଅଙ୍କ ସହ ହେବାର ସ୍ଥିର ହୋଇଛି । ସେଥି ପାଇଁ ରାଜସ୍ଥାନର ଉଦୟପୁରରେ ଏକ ପ୍ୟାଲେସ ବୁକ୍ ହେବା ସହ ବିମାନ ଟିକେଟ ବି ବୁକିଂ ହୋଇଥିଲା । ହେଲେ ତା’ ପୂବର୍ରୁ ଭିଜିଲାନ୍ସ ରେଡ୍ ପଡ଼ିଛି ।

ଅଭୟକାନ୍ତ ପାଠକଙ୍କ ଆୟବର୍ହିଭୁତ ସମ୍ପତ୍ତି ବାବଦରେ ସୂଚନା ପାଇଁ ରାଜ୍ୟ ଭିଜିଲାନ୍ସ ନିଜ ଇତିହାସର ସବୁ ଠାରୁ ବଡ଼ ଅପରେସନ ଚଳାଇଛି ।