ସମ୍ବଲପୁରୀ ଶାଢ଼ି ପିନ୍ଧି ଝଟକିଲେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍; ଖୁବ୍ ପ୍ରଶଂସା କଲେ
ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍ ନୂଆ ଡିଜାଇନର ଏକ ସୁନ୍ଦର ସମ୍ବଲପୁରୀ ବାନ୍ଧ ଶାଢ଼ି ପିନ୍ଧି ଖୁବ୍ ଖୁସି ଅନୁଭବ କରିଛନ୍ତି । ଗାଣିତିକ ସମୀକରଣର ପ୍ୟାଟର୍ଣ୍ଣ ଥିବା ଏହି ଶାଢ଼ି ଓଡ଼ିଶାର ସୋନପୁରରେ ତିଆରି ହୋଇଛି ।
ଚୁଲବୁଲି ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ମନ ଜିଣିଛି ସମ୍ବଲପୁରୀ ବାନ୍ଧ ଶାଢ଼ି । ‘ଶକୁନ୍ତଳା ଦେବୀ’ ଫିଲ୍ମର ପ୍ରମୋସନ୍ ଅବସରରେ ଏହି କଳା ରଙ୍ଗର ଆକର୍ଷଣୀୟ ସମ୍ବଲପୁରୀ ଶାଢ଼ି ପିନ୍ଧି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ବିଦ୍ୟା ।
ଏହି ଶାଢ଼ିର ବିଶେଷତ୍ବ ହେଲା ଏଥିରେ ବିଭିନ୍ନ ଗାଣିତିକ ସମୀକରଣର ଚିତ୍ର ରହିଛି । ବିଦ୍ୟାଙ୍କ ନୂଆ ଫିଲ୍ମ ଗଣିତ ବିଦ୍ୟାରେ ପ୍ରବୀଣା ମହିଳା ଶକୁନ୍ତଳା ଦେବୀଙ୍କ ଉପରେ ଆଧାରିତ । ଶକୁନ୍ତଳା ଦେବୀଙ୍କୁ ‘ହ୍ୟୁମାନ୍ କମ୍ପ୍ୟୁଟର୍’ କୁହାଯାଉଥିଲା ।
ବିଦ୍ୟା ପିନ୍ଧିଥିବା ଏହି ଶାଢ଼ିଟି ସୋନପୁରର କେନ୍ଦୁପଲ୍ଲୀରେ ତିଆରି ହୋଇଛି । ଏହି ଶାଢ଼ିଟିକୁ ତିଆରି କରିବାକୁ ଲାଗିଥିଲା ପ୍ରାୟ ଏକ ମାସ ସମୟ ।
ବିଦ୍ୟା କହିଛନ୍ତି ଯେ ଏହି ଶାଢ଼ି ତାଙ୍କର ଖୁବ୍ ପସନ୍ଦ ହୋଇଛି । ‘‘ବର୍ତ୍ତମାନ ଦୁଃସମୟ ଆସି ପହଞ୍ଚିଛି । ମାତ୍ର ଏହି ଅସମୟ ନିଶ୍ଚୟ ଚାଲିଯିବ । ସେ ଯାଏଁ ନିଜ ପ୍ରତି ଧ୍ୟାନ ରଖନ୍ତୁ,’’ ବିଦ୍ୟା ସେ କାରିଗରଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ଶାଢ଼ି ଉପରେ ବିଦ୍ୟାଙ୍କ ଉଚ୍ଛ୍ୱସିତ ପ୍ରଶଂସା ପରେ ଏହି ଡିଜାଇନ୍ ସମ୍ବଲପୁରୀ ଶାଢ଼ିର ଚାହିଦା ହଠାତ୍ ବଢ଼ିଯାଇଛି ।




