ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ଓ ଅନୁଭବ ମହାନ୍ତି (Anubhav Mohanty) (ଫାଇଲ୍ ଫଟୋ) ଓଲିଉଡର ରିଲ୍ ଯୋଡ଼ିରୁ ରିଏଲ୍ ଯୋଡ଼ି ହୋଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ବିଳମ୍ବିତ ହୋଇଚାଲିଛି । (ଫାଇଲ୍ ଫଟୋ) ଜୁନ୍ ୨୪ ତାରିଖରେ ପୂର୍ବ-ନିର୍ଦ୍ଧାରିତ ତାରିଖ ଥିବା ସତ୍ତ୍ୱେ ଲଗାତର ଦ୍ୱିତୀୟ ଦିନ ପାଇଁ କଟକର ପରିବାର ଅଦାଲତରେ ଥିବା ମଧ୍ୟସ୍ଥତା କେନ୍ଦ୍ରକୁ ଆସି ନ ଥିଲେ ବର୍ଷା । ଲଗାତର ଦୁଇ ଦିନ ଧରି ମଧ୍ୟସ୍ଥତା କେନ୍ଦ୍ରକୁ ଆସି ଫେରିଥିବା ତାଙ୍କ ସ୍ୱାମୀ ତଥା କେନ୍ଦ୍ରାପଡ଼ା ଏମ୍.ପି. ଅନୁଭବ ମହାନ୍ତି ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ଷାଙ୍କୁ ‘‘ବର୍ଷା ମ୍ୟାଡାମ୍’’ ବୋଲି କହି ସାମ୍ବାଦିକମାନଙ୍କୁ ଅନୁଭବ କହିଥିଲେ ଯେ ବାରମ୍ବାର ନୋଟିସ୍ ସତ୍ତ୍ୱେ ବର୍ଷା ମଧ୍ୟସ୍ଥତା କେନ୍ଦ୍ରକୁ ଆସୁନାହାନ୍ତି । ବର୍ଷା ଜାଣିଶୁଣି ଏହି ମାମଲାକୁ ବିଳମ୍ବିତ କରୁଥିବା ଅଭିଯୋଗ କରିଥିଲା ବି.ଜେ.ଡି. ସାଂସଦ ଅନୁଭବ ମହାନ୍ତି । କଟକ ପରିବାର ଅଦାଲତରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ଜୁନ୍ ୨୪ ତାରିଖ ଦିନ ଉଭୟଙ୍କ ମଧ୍ୟରେ ମିଳାମିଶା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ‘‘ମୁଁ କାଲି ଆସିଥିଲି, ବର୍ଷା ମ୍ୟାଡାମ୍ ଆସିଲେନି । ଆଜି ବି ଆସିଲି, ସେ ଆସିଲେନି,’’ କହିଥିଲେ ଅନୁଭବ । ବର୍ଷା ଶୁଣାଣି ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବିତ କରୁଛନ୍ତି ବୋଲି ଅନୁଭବ ଅଭିଯୋଗ କରିଥିଲେ ବି ଏ ନେଇ ବର୍ଷାଙ୍କର ପ୍ରତିକ୍ରିୟା ମିଳି ପାରି ନ ଥିଲା । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପତ୍ନୀ ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ପ୍ରଥମେ ଆବେଦନ କରିଥିଲେ । ତା’ ପରେ ଅନୁଭବଙ୍କ ବିରୁଦ୍ଧରେ ବର୍ଷା ଘରୋଇ ହିଂସା ଅଭିଯୋଗ ଆଣିଥିଲେ ଓ ଅନୁଭବଙ୍କ ସହ ବୈବାହିକ ଜୀବନକୁ ବଜାୟ ରଖିବାକୁ କଟକ ଏସ୍.ଡି.ଜେ.ଏମ୍. କୋର୍ଟରେ ସେ ଦୁଇଟି ଆବେଦନ କରିଥିଲେ । ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତରିତ କରିବାକୁ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ମାର୍ଚ୍ଚ ୫ ତାରିଖରେ ଏହି ମାମଲାକୁ କଟକ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ।