ଭୁବନେଶ୍ବର ବରମୁଣ୍ଡା ଓଭରବ୍ରିଜରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବା ପରେ ନିଜ ଟ୍ରକରେ ଚାପି ହୋଇ ପାଖାପାଖି ତିନି ଘଣ୍ଟା ରହିଥିଲେ ଟ୍ରକ୍ ଡ୍ରାଇଭର । ଟ୍ରଲର୍ ପଛରେ ବାଡେଇଥିଲା ତାଙ୍କର ମାଲ୍ ବୋଝେଇ ଟ୍ରକ୍ । ଟ୍ରକର ଷ୍ଟିଅରିଂ ହ୍ୱିଲରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର୍। ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇଥିଲା। ଏଥିରେ କ୍ରେନ୍ ଓ ଗ୍ୟାସ୍ କଟର୍ ବ୍ୟବହାର କରାଯାଇଥିଲା । ପ୍ରାୟ ଅଢେଇ ଘଣ୍ଟାର ଜଟିଳ ଉଦ୍ଧାର କାର୍ଯ୍ୟ ପରେ ଦୁର୍ଘଟଣାରେ ଫଶିଥିବା ଟ୍ରକ୍ ଡ୍ରାଇଭରଙ୍କୁ ବାହାରକୁ ଅଣାଯାଇ ପାରିଥିଲା । ଓଡ୍ରାଫ୍ ଟିମ୍, ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସର ମିଳିତ ଅପରସେନରେ ଡ୍ରାଇଭରଙ୍କୁ ଟ୍ରକ୍ ଭିତରୁ ଉଦ୍ଧାର କରାଯାଇଥିଲା । ଓଭରବ୍ରିଜ୍ ଉପରେ ଏକ ଟ୍ରଲର୍ ପଛ ପଟେ ବାଡ଼େଇ ଦେଇଥିଲା ମାଲ ବୋଝେଇ ଟ୍ରକଟି । ଫଳରେ ଟ୍ରକ୍ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ । ଗ୍ୟାସ୍ କଟର ସାହାଯ୍ୟରେ ଟ୍ରକ୍ ଓ ଟ୍ରଲରକୁ ଅଲଗା କରାଯିବା ପରେ ଡ୍ରାଇଭରକୁ ବାହାର କରାଯାଇଥିଲା । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବିଭାଗ କର୍ମଚାରୀ ଓ କମିଶନରେଟ୍ ପୋଲିସକୁ ଖୁବ୍ ପ୍ରଶଂସା ମିଳୁଛି । ଗୁରୁତର ଆହତ ହୋଇଥିବା ଟ୍ରକ୍ ଡ୍ରାଇଭରଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି ।