ରାଜଧାନୀ ଭୁବନେଶ୍ବରରେ ସଡ଼କ ଉପରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ମିଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତମାନେ । ଏହି ଲୋମହର୍ଷକ ହତ୍ୟା କାଣ୍ଡ ଘଟିଛି ସାମନ୍ତରାପୁର ଛକରେ । ହତ୍ୟାର ଶିକାର ହୋଇଛନ୍ତି ମିଠା ଦୋକାନୀ ଜମ୍ବୁ ସାହୁ । ସାମନ୍ତରାପୁର ଛକରେ ଜମ୍ବୁ ସାହୁ ଏକ ଉଠା ମିଠା ଦୋକାନ କରି ଚଳନ୍ତି । ଛକରେ ସେ ଏକ ଚା’ ଦୋକାନରେ ଚା’ ପିଉଥିବା ବେଳେ ଦୁଇ ଜଣ ଯୁବକ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଏକ ଲମ୍ବା ଭୁଜାଲି ବା ଖଣ୍ଡା ପରି ଦିଶୁଥିବା ଧାରୁଆ ଅସ୍ତ୍ରରେ ଜମ୍ବୁଙ୍କ ଗଳା ନିକଟରେ ଓ ପିଠିକୁ ହାଣି ଦେଇଥିଲେ ଦୁଇ ଯୁବକ । ଏହା ପରେ ଦୁହେଁ ଗୋଟିଏ ବାଇକରେ ସେହି ଅସ୍ତ୍ର ହଲାଇ ହଲାଇ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ଜମ୍ବୁର ମୃତ୍ୟୁ ହୋଇଥିଲା । ସିସିଟିଭିରେ କଏଦ୍ ହୋଇଛି ପୂରା ହତ୍ୟାକାଣ୍ଡ । ସିସିଟିଭି ଫୁଟେଜରେ ଦେଖାଯାଉଛି ଜମ୍ବୁ ସାହୁଙ୍କୁ ଗୋଟିଏ ଚୋଟ ମାରିବା ପରେ ସେ ରକ୍ତାକ୍ତ ହୋଇ ଦୌଡ଼ି ସଡ଼କର ଏ ପାରିରୁ ସେପାରିକୁ ଚାଲିଯାଉଛନ୍ତି । ସେହି ସିସିଟିଭି ଫୁଟେଜରେ ଦେଖାଯାଉଛି କେମିତି ଏକ ଲମ୍ବା ଭୁଜାଲି ଧରି ଜମ୍ବୁଙ୍କ ପିଛା କରୁଛି ଜଣେ ଦୁର୍ବୃତ୍ତ । ତା’ ପରେ ସିସିଟିଭି ଫୁଟେଜରେ ଦେଖାଯାଉଛି କେମିତି ଦୁର୍ବୃତ୍ତମାନେ ବାଇକରେ ବସି ଭୁଜାଲି ହଲାଇ ହଲାଇ ଫେରାର ହୋଇଯାଉଛନ୍ତି । ରାସ୍ତା ଉପରେ ନିଜ ପତ୍ନୀ ମିନତି ସାହୁଙ୍କ କୋଳରେ ମଥା ରଖି ରକ୍ତାକ୍ତ ଅବସ୍ଥାରେ ଜମ୍ବୁ ସାହୁ ଶେଷ ନିଶ୍ୱାସ ନେଇଥିଲେ । ମିନତୀଙ୍କ ଶାଢ଼ି ଓ ରାସ୍ତାର ସେହି ଅଂଶ ଭିଜିଯାଇଥିଲା ଜମ୍ବୁଙ୍କ ରକ୍ତରେ । ମିନତି ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ପତିଙ୍କ ହତ୍ୟା ଦିଲୁ ବେହେରା ନାମକ ବ୍ୟକ୍ତି ନିଜେ କରିଥାଇପାରେ ବା ଲୋକ ପଠାଇ କରାଇଥାଇ ପାରେ । ଏହି ହତ୍ୟାକାଣ୍ଡ ଦେଖି ରାସ୍ତାରେ ଜମା ହୋଇଯାଇଥିଲେ ଲୋକେ । ତା’ ପରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲା ଉତ୍ତେଜନା । ହତ୍ୟାକାରୀଙ୍କୁ ଧରିବା ପାଇଁ ଦାବି କରି ଉତ୍ୟକ୍ତ ଲୋକେ ପୁରୀ-ଭୁବନେଶ୍ବର ରାସ୍ତା ଅବରୋଧ କରିଥିଲେ । ରାସ୍ତା ଉପରେ ଟାୟାର ଜଳାଇ ପ୍ରଦର୍ଶନ କରିଥିଲେ ଲୋକେ । ଏହା ପରେ ପୋଲିସ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୂର୍ବତନ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର କହିଥିଲେ ଯେ ପୋଲିସ ଦୁଇ ଦିନ ମଧ୍ୟରେ ଆସାମୀମାନଙ୍କୁ ଗିରଫ ନ କଲେ ଜନ ଆକ୍ରୋଶ ବଢ଼ିବ ଓ ଲୋକେ ପୁଣି ସଡ଼କ ଉପରକୁ ଓହ୍ଲାଇ ପ୍ରଦର୍ଶନ କରିବେ । ଭୁବନେଶ୍ବର ଏସିପି ବିଷ୍ଣୁ ପାତ୍ର ଘଟଣା ସ୍ଥଳରେ ପୋଲିସ ଦଳ ସହ ପହଞ୍ଚିଥିଲେ । ଖୁବ୍ ଶୀଘ୍ର ଆସାମୀମାନଙ୍କୁ ଗିରଫ କରାଯିବ ବୋଲି ସେ କହିଥିଲେ ।