ଖୋଲିବ ପରୀ ହତ୍ୟା ରହସ୍ୟ: SIT ତଦନ୍ତ ଜୋର୍ ଧରିଲା, ବାବୁଲି ନାୟକକୁ ୨ ଘଣ୍ଟା ଜେରା କରାଗଲା
ନୟାଗଡ଼ ଜିଲ୍ଲାରେ ପାଞ୍ଚ ବର୍ଷୀୟା ଝିଅ ପରୀର ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳମାନେ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଇସ୍ତଫା ବା ବହିଷ୍କାର ଦାବି କରୁଥିବା ବେଳେ ଏହି ହତ୍ୟା ପଛର ରହସ୍ୟ ଉଦ୍ଭେଦନ ପାଇଁ SITର ତଦନ୍ତ ଆଗକୁ ବଢ଼ୁଛି ।

ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ପରୀର ଘରକୁ ଯାଇ ତା’ ବାପା ଅଟୋ ଚାଳକ ଅଶୋକ ସାହୁ ଓ ମା’ ସୌଦାମିନୀ ସାହୁଙ୍କ ସହ କଥା ହୋଇଥିଲେ । ସେମାନଙ୍କ ଠାରୁ ତଦନ୍ତକାରୀ ଟିମ୍ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି ।

SIT ତଦନ୍ତର ଦ୍ବିତୀୟ ଦିନରେ ବୋଥ୍ରାଙ୍କ ଟିମ୍ ପରୀର ବାପା ଓ ମାଆଙ୍କ ଅଭିଯୋଗକୁ ଭିତ୍ତି କରି ଏହି ମାମଲାର ଅଭିଯୁକ୍ତ ବାବୁଲି ନାୟକଙ୍କୁ ଟାଉନ୍ ଥାନାକୁ ଡାକି ଦୁଇ ଘଣ୍ଟା ଜେରା କରିଥିଲା । (ଫଟୋରେ ବାବୁଲି ନାୟକ)

ପରୀ ନିଖୋଜ ହେବା ଠାରୁ ତା’ ହାଡ଼ କଙ୍କାଳ ମିଳିବା ପର୍ଯ୍ୟନ୍ତ ବାବୁଲିର ଗତିବିଧି ଅନୁସନ୍ଧାନ କରିଥିଲା କ୍ରାଇମ ବ୍ରାଞ୍ଚ । ପରୀର ବାପା ଓ ମାଆଙ୍କ ଉପରେ ଆକ୍ରମଣ ଘଟଣାରେ ବି ବାବୁଲିକୁ ପଚରା ଉଚାର କରାଯାଇଥିଲା । ତା’ ପରେ SITର ଟିମ୍ ଯଦୁପୁର ଗାଁକୁ ଯାଇ ତଦନ୍ତ କରିବା ସହ ଗାଁ ଲୋକଙ୍କୁ ପଚରାଉଚରା କରିଥିଲା । (ଫଟୋରେ ପରୀର ମା’ ସୌଦାମିନୀ ସାହୁ)

SIT ମୁଖ୍ୟ ଅରୁଣ ବୋଥ୍ରା ପୂରା ତଦନ୍ତ ନିଜେ ଦେଖୁଥିବା ବେଳେ ଜେରା ପରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ।

“ମୁଁ ଏବେ କିଛି କହି ପାରିବି ନାହିଁ । ସମୟ ଆସିଲେ ଆପଣଙ୍କୁ କହିବି । ମୋତେ କିଛି ସମୟ ଦିଅନ୍ତୁ । କାମ କରିବାକୁ ଆସିଛୁ, କାମ କରିବୁ…,’’ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ବୋଥ୍ରା ।

ପରୀର ହତ୍ୟା ଘଟଣାକୁ ଚାରି ମାସ ବିତିଯାଇଥିଲେ ବି ତା’ ହତ୍ୟାକାରୀଙ୍କୁ ଗିରଫ କରିବାରେ ପୋଲିସର ନିଷ୍କ୍ରିୟତାରେ ଅତିଷ୍ଠ ହୋଇ ପରୀର ବାପା ଓ ମା’ ବିଧାନସଭା ବାହାରେ ଆତ୍ମାହୂତି କରିବାକୁ ଉଦ୍ୟମ କରିଥିଲେ ।

ଏହି ମାମଲାରେ ରାଜ୍ୟବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇବା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଟି ଦ୍ୱାରା ତଦନ୍ତର ଆଦେଶ ଦେଇଥିଲେ ।

ପରୀ ହତ୍ୟା ମାମଲାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ।

ବିଜେପି ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି ଯେ ପରୀ ହତ୍ୟାକାଣ୍ଡରେ ରାଜନେତାଙ୍କ ସଂପୃକ୍ତି ଥିବାରୁ ଏହାର ତଦନ୍ତ ସଠିକ୍ ବାଟରେ କରିବାକୁ ଚାହୁଁନାହାନ୍ତି ରାଜ୍ୟ ସରକାର । ସେଇଥି ପାଇଁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଦଳ କହିଛି ।

ଏହି ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ରାଜଧାନୀ ଭୁବନେଶ୍ୱରରେ ଗର୍ଜିଛନ୍ତି ଏବିଭିପି କର୍ମୀମାନେ ।

ଏବିଭିପି କର୍ମୀମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ ଉଦ୍ୟମ କରିବା ବେଳେ ପୋଲିସ ସେମାନଙ୍କୁ ରୋକିଥିଲା ।