ଓଲିଉଡର ସୁପର୍-ହିଟ୍ ଷ୍ଟାର୍ ଯୋଡ଼ି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବିବାହ ଉତ୍ସବ ରାଜସ୍ଥାନରେ ଧୁମଧାମରେ ଅନୁଷ୍ଠିତ ହୋଇଛି । ରାଜସ୍ଥାନ ଉଦୟପୁରର ଏକ ପ୍ୟାଲେସରେ ସବ୍ୟଙ୍କ ହାତ ଧରି ସାତ ଜନମ ସାଥୀ ବନି ଯାଇଛନ୍ତି ଅର୍ଚ୍ଚିତା । ଦିଲ୍ଲୀ-ଜୟପୁର ରାଜପଥରେ ଥିବା ନେମ୍ରାନା ଫୋର୍ଟ ପ୍ୟାଲେସରେ ପ୍ରାୟ ୫୦ରୁ ୭୦ ଜଣ ଅତିଥିଙ୍କ ଉପସ୍ଥିତିରେ ସୋମବାର ଦିନ (ମାର୍ଚ୍ଚ ୧) ଏହି ବିବାହ ଅନୁଷ୍ଠିତ ହୋଇଛି (Sabyasachi Archita wedding) । ଏହି ବିବାହ ଉତ୍ସବରେ ଦୁଇ ପରିବାରର ସବୁ ସଦସ୍ୟ ଉପସ୍ଥିତ ଥିଲେ । ଏହି ଲୋକପ୍ରିୟ ଷ୍ଟାର୍ ଯୋଡ଼ିଙ୍କ ରିଙ୍ଗ୍ ସେରିମନି ରବିବାର ରାତିରେ ଅନୁଷ୍ଠିତ ହୋଇଥିଲା । ଉଦୟପୁରର ଏକ ପ୍ୟାଲେସରେ ବର ବେଶରେ ଥିଲେ ସବ୍ୟସାଚୀ ଓ ବଧୂ ବେଶରେ ଥିଲେ ଅର୍ଚ୍ଚିତା । ରାଜସ୍ଥାନୀ ଗେଟଅପରେ ସୁନ୍ଦର ଲାଗୁଥିଲେ ବାସ୍ତବ ଜୀବନର ଏହି ନାୟକ ଓ ନାୟିକା । ସେମାନଙ୍କ ପାଞ୍ଚ ବର୍ଷର ପ୍ରେମ ପରିଣୟର ରୂପ ନେଇଥିଲା । ଦିନେ ଅର୍ଚ୍ଚିତାଙ୍କ ପାଉଞ୍ଜି ଶବ୍ଦରେ ପାଗଳ ହେଉଥିବା ସବ୍ୟ ଅର୍ଚ୍ଚିତାଙ୍କ ମଥାରେ ସିନ୍ଦୂର ଦେଇ କରି ନେଇଛନ୍ତି ଜୀବନ ସାଥୀ । ଆଉ ତାଙ୍କ ପାଇଁ ତୋଳି ଆଣି ଦେଇଛନ୍ତି ଲକ୍ଷେ ଫଗୁଣ । ସପନ ସୌଦାଗର ସାଜି ଅର୍ଚିତାଙ୍କୁ କହିଛନ୍ତି ସ୍ମାଇଲ୍ ପ୍ଲିଜ୍ । ସବ୍ୟସାଚୀ-ଅର୍ଚ୍ଚିତାଙ୍କ ପ୍ରେମ କାହାଣୀକୁ ନେଇ ଢେର ବର୍ଷ ହେବ ସିନେପ୍ରେମୀଙ୍କ ଭିତରେ ଯେଉଁ ଉତ୍ସୁକତା ଥିଲା, ତାର ସୁଖଦ ଛବି ଆସିଛି ଆଖି ସାମ୍ନାକୁ । ରୂପେଲି ପରଦାରେ ଦର୍ଶକଙ୍କୁ ଅଗଣିତ ହିଟ୍ ଫିଲ୍ମ ଭେଟି ଦେଇଥିବା ଏହି ଯୋଡ଼ି ଏବେ ସିନେପ୍ରେମୀଙ୍କ ପାଖରେ ବନି ଯାଇଛନ୍ତି ରିଅଲ୍ ଯୋଡ଼ି ନମ୍ବର ୱାନ୍ । ସବୁ କଳ୍ପନାଜଳ୍ପନାରେ ବ୍ରେକ୍ ଲଗାଇଛନ୍ତି ଓଲିଉଡର ଏହି ସୁପର ଯୋଡ଼ି । ବିବାହ ପୂର୍ବର ଜୀବନ ଦର୍ଶନକୁ ଦୁହେଁ ଆହୁରି ଉଜ୍ବଳ କରିଛନ୍ତି । ବିବାହ ପରେ ଅର୍ଚ୍ଚିତା ଫେସବୁକରେ ଲେଖିଛନ୍ତି, ‘ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ’ର’’ ବିବାହ ବନ୍ଧନରେ ଆବଦ୍ଧ ହୋଇ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ଅର୍ଚ୍ଚିତାଙ୍କ ସହ ନିଜ ବିବାହର ଖୁସି ଖବର ନିଜେ ସବ୍ୟସାଚୀ (Sabyasachi Archita marriage) ସୋସିଆଲ୍ ମିଡି଼ଆ ପ୍ଲାଟଫର୍ମରେ ଶେୟାର୍ କରିଥିଲେ । ସେ ଲେଖିଥିଲେ, “ପ୍ରଭୁ ଜଗନ୍ନାଥ ଓ ଆମ ପରିବାରର ଆଶୀର୍ବାଦ ସହ ଆମେ ଏଇ ଖବର ବଡ଼ ଖୁସିରେ ଦେଉଛୁ ଯେ ଆମ ବାହାଘର ଆସନ୍ତାକାଲି ହେଉଛି ।” “ଆପଣମାନେ ସମସ୍ତେ ଆମ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆମର ଭଲ ଓ ଖରାପ ସମୟରେ ଆପଣମାନେ ସବୁବେଳେ ଆମକୁ ନିଜ ପ୍ରେମ ଦେଇଛନ୍ତି । ଆମେ ଆମର ନୂଆ ଯାତ୍ରା ଆରମ୍ଭ କରିବା ପାଇଁ ଏହି ଏତେ ବଡ଼ ଦିନରେ ଆପଣଙ୍କୁ କେମିତି ଭୁଲି ପାରିବୁ? ଆମେ ଆପଣଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ଲୋଡ଼ୁଛୁ,’’ ନିଜ ପୋଷ୍ଟରେ ଲେଖିଥିଲେ ସବ୍ୟସାଚୀ । ଅର୍ଚ୍ଚିତା ଓ ସବ୍ୟସାଚୀ ଓଡ଼ିଆ ସିନେମା ପରଦାର ହିଟ୍ ଯୋଡ଼ିଙ୍କ ମଧ୍ୟରୁ ଅନ୍ୟତମ । ଦୁହେଁ ଅନେକ ହିଟ୍ ଫିଲ୍ମ ଦେଇ ଲକ୍ଷ ଲକ୍ଷ ଓଡି଼ଆ ଚଳଚ୍ଚିତ୍ର ପ୍ରେମୀଙ୍କ ମନୋରଞ୍ଜନ କରିଛନ୍ତି । ଏହି ସଫଳ ଯୋଡ଼ିଙ୍କ ଫିଲ୍ମଗୁଡ଼ିକ ମଧ୍ୟରେ ଅଛନ୍ତି ‘ପିଲାଟା ବିଗିଡି଼ଗଲା’, ‘ମୁଁ ଏକା ତୁମର’, ‘ମୁଁ ସପନର ସୌଦାଗର’, 'ପାଗଳ କରିଛି ପାଉଞ୍ଜି ତୋ’ର’, ‘କୋଉ ଦୁନିଆ ରୁ ଆସିଲ ବନ୍ଧୁ’, ଓ ‘ତୋ’ର ମୋ’ର ଯୋଡି଼ ସୁନ୍ଦର’ । ଗତ କିଛି ବର୍ଷ ଧରି ସୋସିଆଲ୍ ମିଡି଼ଆରେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ପରଦା ବାହାରର ସମ୍ପର୍କକୁ ନେଇ ଅନେକ ତଥ୍ୟ ଘୂରିବୁଲୁଥିଲା । ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ପରଦା ଉପରର ରୋମାନ୍ସ ଏକ ପ୍ରକୃତ ସମ୍ପର୍କରେ ପରିଣତ ହେବା ପରେ ସେମାନଙ୍କ ପାଖକୁ ପ୍ରଂଶସକଙ୍କ ଶୁଭେଚ୍ଛାର ସୁଅ ସୁଟିଛି । ଅର୍ଚ୍ଚିତା ଓ ସବ୍ୟସାଚୀ ଅର୍ଚ୍ଚିତା ଓ ସବ୍ୟସାଚୀ ଅର୍ଚ୍ଚିତା ଓ ସବ୍ୟସାଚୀ ଅର୍ଚ୍ଚିତା ଓ ସବ୍ୟସାଚୀ ଅର୍ଚ୍ଚିତା ଓ ସବ୍ୟସାଚୀ ଅର୍ଚ୍ଚିତା ସାହୁ ଅର୍ଚ୍ଚିତା ସାହୁ ଅର୍ଚ୍ଚିତା ସାହୁ ଅର୍ଚ୍ଚିତା ସାହୁ ରିୟଲ୍ ଲାଇଫ୍ ବଧୁ ବେଶରେ ଅର୍ଚ୍ଚିତା ସାହୁ