ଶେଷରେ ଆଜି ଠାରୁ ଖୋଲିଲା ପୁରୀ ଶ୍ରୀମନ୍ଦିର; ଭକ୍ତମାନଙ୍କ ପାଇଁ ହୋଇଛି ଅନେକ ବ୍ୟବସ୍ଥା
କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଦୀର୍ଘ ନଅ ମାସ କାଳ ଭକ୍ତଙ୍କ ପାଇଁ ବନ୍ଦ ହୋଇ ରହିବା ପରେ ଆଜି ଠାରୁ ଖୋଲୁଛି ଶ୍ରୀମନ୍ଦିର । ଏଥି ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା (ଏସ୍.ଓ.ପି.) ଚୂଡ଼ାନ୍ତ ହୋଇଛି ଓ କେତେକ ନୂଆ ନିୟମ ଜାରି ହୋଇଛି ।

ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲିବା ଉପରେ ତିଆରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ଡିସେମ୍ବର ୨୩, ୨୪ ଓ ୨୫ ତାରିଖରେ କେବଳ ଶ୍ରୀମନ୍ଦିର ସେବାୟତଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ଡିସେମ୍ବର ୨୬ ତାରିଖରୁ ୩୧ ପର୍ଯ୍ୟନ୍ତ କେବଳ ପୁରୀବାସୀ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ପୁରୀ ସହରର ପ୍ରତି ୱାର୍ଡ଼ରେ ବୁଲିବୁଲି ପୌର ସଂସ୍ଥା ତରଫରୁ ସ୍ୱଚ୍ଛ ସାଥୀମାନେ ଟୋକନ ବାଣ୍ଟିବେ । ମିଳିଥିବା ଟୋକନ ଦେଖାଇ ମାର୍କେଟ ଛକରୁ ବ୍ୟାରିକେଡ ଦେଇ ପ୍ରବେଶ କରିବେ ପୁରୀବାସୀ ।

ସକାଳ ସାଢ଼େ ୭ଟାରୁ ମହାପ୍ରଭୁଙ୍କ ପହୁଡ଼ ପର୍ଯ୍ୟନ୍ତ ଚାଲିବ ଦର୍ଶନ । ପୁରୀବାସୀ ଓ ସେବାୟତଙ୍କ ପାଇଁ ଆବଶ୍ୟକ ହେବ ନାହିଁ କୋଭିଡ ନେଗେଟିଭ ପ୍ରମାଣ ପତ୍ର।

ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ସାଧାରଣ ଦର୍ଶନ । ସେହି ସମୟରେ ମଧ୍ୟ ପୁରୀବାସୀଙ୍କୁ ସକାଳେ ଓ ସନ୍ଧ୍ୟାରେ ଏକ ଘଣ୍ଟା ଲେଖାଏଁ ଦର୍ଶନର ସୁଯୋଗ ମିଳିବ ।

ଭକ୍ତମାନେ ମାର୍କେଟ ଛକରୁ ଟୋକନ ଦେଖାଇ ବ୍ୟାରିକେଡ଼ ଦେଇ ପ୍ରବେଶ କରିବେ । ସିଂହଦ୍ଵାର ଥାନା ସମ୍ମୁଖ ବ୍ୟାରିକେଡ ନିକଟରେ କରାଯିବ ଭକ୍ତଙ୍କ ଫଟୋଗ୍ରାଫି।

ଏଣିକି ମାର୍କେଟ ଛକରୁ ଚାଲିକରି ଆସିବାକୁ ହେଉଥିବାରୁ ପୁରୀ ସହରବାସୀ ଓ ଅନେକ ଭକ୍ତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମାର୍କେଟ ଛକ ପରିବର୍ତ୍ତେ ଶ୍ରୀନଅର ନିକଟରୁ ପୁରୀ ସହରବାସୀଙ୍କୁ ଛାଡିବା ପାଇଁ ଅନୁରୋଧ କରିଛନ୍ତି ସହରବାସୀମାନେ ।

ସିଂହଦ୍ଵାର ଥାନା ନିକଟରେ ହେବ ଦଶଟି କିଓସ୍କ କାଉଁଟର। ସେଇଠି ଭକ୍ତଙ୍କର ହେବ ଫଟୋଗ୍ରାଫି। ତା’ପରେ ନଅଟି ଧାଡ଼ିରେ ସିଂହଦ୍ଵାର ଦେଇ କୋଭିଡ କଟକଣା ଭିତରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତମାନେ ଓ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

ନୂଆ ବର୍ଷ ଆସୁଥିବାରୁ ପୁରୀ ସହର ଓ ମନ୍ଦିର ଅଞ୍ଚଳ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ଚଳଚଞ୍ଚଳ ହୋଇ ଉଠିଲାଣି ।