ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମ ଦିନ ଅର୍ଥାତ୍ ୧୦ ତାରିଖରେ ଭୁବନେଶ୍ୱରରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାବେଳେ ୧୧ ତାରିଖରେ କଟକରେ କାର୍ଯ୍ୟକ୍ରମ ରହିଛି। କିନ୍ତୁ ତା ପୂର୍ବରୁ ଲିଙ୍ଗରାଜ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ବୁଧବାର କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ସୁରକ୍ଷା ଯାଞ୍ଚ ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, "ଲିଙ୍ଗରାଜ ମନ୍ଦିରକୁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୀମିତ ସମୟ ପାଇଁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ସେହିପରି କାର୍କେଡ଼ (ରାଷ୍ଟ୍ରପତିଙ୍କ ସହ ଯାଉଥିବା ଗାଡ଼ି) ଯାଉଥିବା ବେଳେ ଟ୍ରାଫିକ ଡାଇଭର୍ସନ ପାଇଁ ବ୍ୟବସ୍ଥା କରାଯିବ। ତେବେ ଯଥା ସମ୍ଭବ ସାଧାରଣ ଲୋକଙ୍କ ଗସ୍ତରେ ସମସ୍ୟା ନ ଉପୁଯିବ ସେ ନେଇ ଅଧିକ ଗୁରୁତ୍ୱ ଦିଆଯିବ। ଏପରିକି ମନ୍ଦିର ଭିତରେ କୌଣସି ଭିଜିଟର ରହି ପାରିବେ ନାହିଁ। ସେପଟେ ରାଷ୍ଟ୍ରପତି ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ। ଭୁବନେଶ୍ୱରରେ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ, ୨୦୦ରୁ ଅଧିକ ଅଫିସର। ଭୁବନେଶ୍ୱର ଡିସିପି ସୁରକ୍ଷା ଦାୟିତ୍ୱର ମଙ୍ଗ ଧରିବେ। ସେହିପରି ସାଧା ପୋଷକ ଧାରୀ ପୋଲିସ ଓ ରୁଫଟପ ସୁରକ୍ଷା କର୍ମୀ ମୁତୟନ କରାଯିବ। ଗୁରୁବାର ଏନେଇ କାର୍କେଡ଼ ରିହଲସଲ କରାଯିବ। ମହାମହିମଙ୍କ ଗସ୍ତ ସମୟରେ ହାଇ ଆଲର୍ଟରେ ରହିବ ସହର। ବସଷ୍ଟାଣ୍ଡ, ଷ୍ଟେସନ, ଏୟାରପୋର୍ଟ ଆଦି ସ୍ଥାନ ଉପରେ କଡ଼ା ନଜର ରହିବ। ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମନୟ ବୈଠକ ହୋଇଥିଲା। ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ଠାରୁ ଆରମ୍ଭ କରି , କାର୍ଯ୍ୟକ୍ରମ ସ୍ଥଳକୁ ଯିବା ଓ ରାଜଭବନରେ ରାତ୍ରି ରହଣୀ, ଲିଙ୍ଗରାଜ ମନ୍ଦିର ଦର୍ଶନ ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯିବ।